ସିଡିଏ: ଦୁଇଜଣ ଯୁବତୀଙ୍କୁ ପିଛା କରି ଗାଳି ଦେବା ଓ ଘର ପର୍ଯ୍ୟନ୍ତ ଗୋଡ଼ାଇ ଗୋଡ଼ାଇ ଆସି ଗାଳି ଦେବା ଜଣେ ରୋମିଓକୁ ମହଙ୍ଗା ପଡ଼ିଛି। ସ୍ଥାନୀୟ ଲୋକେ କାବୁ କରିନେବାରୁ ରୋମିଓଜଣକ କାନଧରି ଗୋଡ଼ତଳେ ପଡ଼ି ଭୁଲ ମାଗିବା ସହ ଏଭଳି ପୁନର୍ବାର ନ କରିବା ପାଇଁ ଲିଖିତ ଭାବେ ଦେଇ ଛାଡ଼ ପାଇଛି।
ସିଡିଏ ସେକ୍ଟର-୧୩ ଅଞ୍ଚଳରେ ଘଟିଥିବା ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରାପ୍ତ ଖବର ମୁତାବକ, ଗତକାଲି ଦୁଇଜଣ ଯୁବତୀ କୌଣସି କାମରେ ସିଡିଏରୁ କଟକ ସହର ଭିତରକୁ ଯାଇଥିଲେ। ସେମାନେ କାମ ସାରି ସେକ୍ଟର-୧୩ସ୍ଥିତ ନିଜ ଘରକୁ ସ୍କୁଟି ଚଲାଇ ଗତକାଲି ରାତି ଆଠଟା ସମୟରେ ଫେରୁଥିଲେ। କାଠଯୋଡ଼ି ନଦୀବନ୍ଧର ବିଜୁ ପଟ୍ଟନାୟକ ପାର୍କ ଗଡ଼ାଛକରୁ ଜଣେ ଯୁବକ ଏକ ସୁଇଫ୍ଟ କାର୍ ଚଳାଇ ସେମାନଙ୍କୁ ପିଛା କରି ଖରାପ ଭାଷାରେ ଗାଳିଗୁଲଜ କରି ଚାଲିଲା। ଯୁବତୀମାନେ ଭୟରେ ଗାଡି ଦ୍ରୁତ ଗତିରେ ଚଳାଇ ନିଜ ଘର ପାଖରେ ପହଞ୍ଚି ଘର ଭିତରେ ପଶିଯାଇ ଭିତରୁ କବାଟ ବନ୍ଦ କରି ଦେଇଥିଲେ।
ଏପଟେ ଯୁବକଜଣକ ସେମାନଙ୍କୁ ପିଛା କରି ସେହି ଘର ପାଖରେ ପହଞ୍ଚି ବିଭିନ୍ନ ପ୍ରକାର ଅଶ୍ରାବ୍ୟ ଗାଳିଗୁଲଜ କରି ଚାଲିଥିଲା। ଘର ଭିତରେ ଥିବା ଯୁବତୀଙ୍କ ମା’ ବାହାରକୁ ଆସି ଉକ୍ତ ଯୁବକକୁ ପାଟି କରିବାରୁ ତାଙ୍କ ପାଟି ଶୁଣି ପଡ଼ୋଶୀମାନେ ଏକାଠି ହୋଇଯାଇଥିଲେ। ସମସ୍ତେ ମିଶି ଯୁବକକୁ କାବୁ କରି ନେବା ପରେ ଯୁବକଜଣକ ଭୟରେ ସେମାନଙ୍କ ଗୋଡ଼ତଳେ ପଡ଼ି କାନ ଧରି ଭୁଲ ମାଗିଥିଲା ଓ ଥାନାରେ ନ ଦେବାକୁ ଗୁହାରି କରିଥିଲା। ଶେଷରେ ସ୍ଥାନୀୟ ଲୋକେ ତା’ଠାରୁ ଏକ ‘ଅଣ୍ଡରଟେକିଂ’ ଲେଖାଇ ଏପରି କାମ ପୁନର୍ବାର ନ କରିବାକୁ ତାକୁ ଚେତାବନୀ ଦେଇଥିଲେ। ଏହି ମାମଲା ଥାନାକୁ ଯାଇ ନାହିଁ। ସୂଚନା ଥାଉକି ସେକ୍ଟର-୧୩ ଅଞ୍ଚଳରେ ବିଲକୁଲ ଷ୍ଟ୍ରିଟ୍ ଲାଇଟ୍ ନ ଥିବା ହେତୁ ଅସାମାଜିକମାନେ ସଂଧ୍ୟାରେ ଏଠାରେ ଆଡ଼ା ମାରୁଥିବା ଦେଖିବାକୁ ମିଳୁଛି। ସେମାନଙ୍କ ଭୟରେ ଝିଅ-ବୋହୂମାନେ ସଂଧ୍ୟାରେ ଘରୁ ବାହାରି ପାରୁନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/download-34.jpg)