ଥାନାରେ ଇନ୍ସପେକ୍ଟରଙ୍କୁ ଆକ୍ରମଣ, ଅଭିଯୁକ୍ତ ଗିରଫ

କଟକ-ସିିଡିଏ : ମର୍କତନଗର ଥାନାରେ ଆଜି ଘଣ୍ଟାଏ କାଳ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅଢ଼େଇ କୋଟି ଟଙ୍କା ଠକେଇ ଘଟଣାରେ ଜଣେ ଅଭିଯୋଗକାରୀ ଆଜି ଥାନାରେ ଇନ୍‌ସ୍ପେକ୍ଟରଙ୍କୁ ଠେଲାପେଲା କରିବା ସହିତ ଜିନିଷପତ୍ର ଭଙ୍ଗାରୁଜା କରିଛନ୍ତିା ଠକେଇ ମାମଲାରେ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଅଭିଯୋଗ କରି ଥାନାରେ ଏ ପ୍ରକାର ଉନ୍ମତ୍ତ କାଣ୍ଡ ଘଟାଇଥିବା କୁହାଯାଉଛି। ଥାନା ଭିତରେ ଥାନା ଇନ୍‌ସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ସହିତ ଏ ପ୍ରକାର କାଣ୍ଡ ଘଟାଇବା ଅଭିଯୋଗରେ ଅଭିଯୁକ୍ତ ଆନନ୍ଦ କୁମାର ଶର୍ମାଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛିା ଆନନ୍ଦ ସେକ୍ଟର ୬ ସ୍ଥିତ ଜୟ ପ୍ରକାଶ ପାର୍କ ନିକଟରେ ପରିବାର ସହିତ ରହୁଥିବା ସୂଚନା ମିିଳିଛି ।

ପ୍ରକାଶ ଯେ ଆନନ୍ଦ କଟକ ସହରରେ ଏକ ସଫ୍ଟଓୟାର ବ୍ୟବସାୟ କରନ୍ତି । ଗତ ତିନି ବର୍ଷ ତଳେ ସେ ସହରର ଅନେକ ଗ୍ରାହକଙ୍କ ସହିତ ବ୍ୟବସାୟୀକ କାରବାର ଚଳାଇଥିଲେ। ଅନେକ ଗ୍ରାହକଙ୍କ ଉପରେ ତାଙ୍କର ଟଙ୍କା ବାକି ପଡ଼ିଥିଲା । ପାଖାପାଖି ଅଢ଼େଇ କୋଟିରୁ ଅଧିକ ଟଙ୍କା ବାକିଥିଲେ ମଧ୍ୟ ସମ୍ପୃକ୍ତ ଗ୍ରାହକମାନେ ଟଙ୍କା ଫେରସ୍ତ କରି ନଥିଲେ । ଫଳରେ ଆନନ୍ଦ ମର୍କତନଗର ଥାନା ଓ ଲାଲବାଗ ଥାନା ସମେତ ସହରର ବିଭିନ୍ନ ଥାନାରେ ଠକେଇ କରିଥିବା ଲୋକଙ୍କ ନାମରେ ଲିଖିତ ଏତଲା ଦେଇଥିବା କୁହନ୍ତି । ଗତ ତିିନି ବର୍ଷ ତଳେ ଦୁଇଟି ଥାନାରେ ଏତଲା ଦେଇଥିଲେ । କିନ୍ତୁ ପୁଲିସ ଅଭିଯୁକ୍ତଙ୍କ ବିରୋଧେରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ସେ ଅଭିଯୋଗ କରିଛନ୍ତି । ଏ ସଂକ୍ରାନ୍ତରେ ସେ ଡିସିପିଙ୍କ କାର୍ଯ୍ୟାଳୟରେ ମଧ୍ୟ ଫେରାଦ ହୋଇ ଘଟଣା ସମ୍ପର୍କରେ ଅବଗତ କରିଥିଲେ । କିନ୍ତୁ ଆନନ୍ଦ ଟଙ୍କା ଫେରି ନପାଇବା ଏବଂ ପୁଲିସ ଅଭିଯୁକ୍ତଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ହେତୁ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ।

ଆଜି ଆନନ୍ଦ ତାଙ୍କ ସ୍ତ୍ରୀ ଓ ପିଲାଙ୍କ ସହିତ ମର୍କତନଗର ଥାନାରେ ପହଞ୍ଚି ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ସମ୍ପର୍କରେ ଅସନ୍ତୋଷ ଜାହିର କରି ଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ୱାଳଙ୍କୁ ଗାଳିଗୁଲଜ କରିବା ସହିତ ଠେଲାପେଲା କରିଥିଲେ । ଥାନାର ଅନ୍ୟ କର୍ମଚାରୀ ମଧ୍ୟ ଆନନ୍ଦଙ୍କ ଆକ୍ରମଣରୁ ବାଦ୍‌ ପଡ଼ି ନଥିଲେ । ଥାନାରେ ଗ୍ରୀଲ ଓ କବାଟଙ୍କୁ ଗୋଇଠା ମାରି ଭଙ୍ଗାରୁଜା ମଧ୍ୟ କରିଥିଲେ । ଘଟଣା ସମ୍ପର୍କରେ ଖବର ପାଇ ଏସିପି ପ୍ରମୋଦ ରଥ, ବିଡ଼ାନାସୀ ଥାନା ଅଧିକାରୀ ପ୍ରଦୀପ ରାଉତ, ସିିଡିଏ ଫେଜ୍‌ ୨ ଥାନା ଅଧିକାରୀ ଦିଲ୍ଲୀପ ସ୍ୱାଇଁ ପ୍ରମୁଖ ପହଞ୍ଚି ସ୍ଥିତି ଆୟତ କରିବାକୁ ଉଦ୍ୟମ କରିଥିଲେ । ଇନ୍‌ସ୍ପେକ୍ଟର ଦେବେନ୍ଦ୍ର ବିଶ୍ୱାଳଙ୍କ ଅଭିଯୋଗ ଆଧାରରେ ଆନନ୍ଦଙ୍କ ବିରୋଧରେ ପୁଲିସ ଏକ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି ।

ସମ୍ବନ୍ଧିତ ଖବର