ଗୋଦାମରୁ ମାମୁ-ଭଣଜାଙ୍କ ଶବ ଉଦ୍ଧାର, ହତ୍ୟା ସନ୍ଦେହ

ଫୁଲନଖରା : କଟକ ସଦର ଥାନା ଅନ୍ତର୍ଗତ ବିଶ୍ୱାଳପଡ଼ା ନିକଟ ଏକ ଗ୍ୟାସ୍‌ ସିଲିଣ୍ଡର ଗୋଦାମ ଗୃହରୁ ମାମୁ ଓ ଭଣଜାଙ୍କ ମୃତଦେହକୁ ଆଜି ପୁଲିସ ଉଦ୍ଧାର କରିଛି । ଉଭୟ ମାମୁ-ଭଜଣାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ମୃତ ମାମୁ ହେଉଛନ୍ତି ଶିଶୋ ଗ୍ରାମର ଜିତେନ୍ଦ୍ର ମହାପାତ୍ର(୪୫) ଏବଂ ତାଙ୍କ ଭଣଜା ବଣଦେଉଳିର ଶୁଭ୍ରଜିତ ମହାପାତ୍ର(୨୪) । ଦୁଇ ମୃତକଙ୍କ ଶବକୁ ପରିବାର ଲୋକେ ଥାନା ପରିସରରେ ପ୍ରାୟ ୪ ଘଣ୍ଟା କାଳ ରଖି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଥିଲେ ।

ପ୍ରକାଶ ଯେ ଘରୋଇ ରନ୍ଧନ ଗ୍ୟାସ୍‌ ଯୋଗାଣ ପାଇଁ ଗୋପାଳପୁରଠାରେ ଥିବା ସୁଯୋଗ ଗ୍ୟାସ ଏଜେନ୍ସିର ଏକ ଗୋଦାମ ଗୃହ ବିଶ୍ୱାଳପଡ଼ା ନିକଟରେ ରହିଛି। ସେଠାରେ ସଦର ଥାନା ଅନ୍ତର୍ଗତ ଶିଶୋ ଗ୍ରାମର ଜିତେନ୍ଦ୍ର ମହାପାତ୍ର କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ। ଅନ୍ୟ କର୍ମଚାରୀ ନୂଆବର୍ଷ ଛୁଟିରେ ଘରକୁ ପଳାଇବାରୁ ଜିତେନ୍ଦ୍ର ଏକା ରହିଥିଲେ। ଗତକାଲି ସେ ନିଜ ଭଣଜା ନଗରୀ ବଣଦେଉଳି ଗ୍ରାମର ଶୁଭ୍ରଜିତ ମହାପାତ୍ରଙ୍କୁ ଡକାଇ ଏକତ୍ର ରହିଥିଲେ। ମାତ୍ର ଆଜି ସକାଳେ ଜିତେନ୍ଦ୍ରଙ୍କର ଉଠିବାରେ ବିଳମ୍ବ ହେବାରୁ ଗ୍ୟାସ୍‌ ନେବା ପାଇଁ ଆସିଥିବା ଗ୍ରାହକଙ୍କ ସନ୍ଦେହ ହେଲା। ସେମାନେ ପୁଲିସକୁ ଖବର ଦେଇଥିଲେ।

ପୁଲିସ ସକାଳ ୯ଟା ବେଳେ ପହଞ୍ଚି ଘରର କବାଟ ଭାଙ୍ଗି ସେଥିରୁ ଉଭୟଙ୍କ ମୃତ ଦେହ ଉଦ୍ଧାର କରିଥିଲା। ଅନ୍ୟପକ୍ଷରେ ଅତି ତରବରିଆ ଭାବେ ପରିବାର ସଦସ୍ୟଙ୍କୁ ନଜଣାଇ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯିବା ଓ ଆମ୍ବୁଲାନ୍ସ ପରିବର୍ତ୍ତେ ଏକ ଯାତ୍ରୀବାହୀ ଅଟୋରେ ଶବକୁ ନେବା ଘଟଣା ମାମଲାକୁ ଅଧିକ ରହସ୍ୟଜନକ କରିଦେଇଛି। ସେହିପରି ସମ୍ପୃକ୍ତ ଗ୍ୟାସ ଏଜେନ୍ସି ମାଲିକ ମୃତକଙ୍କ ପରିବାରବର୍ଗ ସହିତ ଫୋନରେ ଯୋଗାଯୋଗ ନକରିବା ବିଷୟକୁ ପରିବାର ଲୋକେ ସନ୍ଦେହ କରିଛନ୍ତି । ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।

ପୂର୍ବରୁ ଜିତେନ୍ଦ୍ରଙ୍କ ସହ ଏଜେନ୍ସି ମାଲିକଙ୍କ ବଚସା ହୋଇଥିବା ପରିବାର ଲୋକେ ଅଭିଯୋଗରେ ଦର୍ଶାଇଛନ୍ତି। ଶବ ବ୍ୟବଚ୍ଛେଦ ପରେ ଗାଡ଼ି ସହିତ ଶବକୁ ଥାନା ପରିସରରେ ରଖି ଗ୍ରାମବାସୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଗ୍ୟାସ୍‌ ମାଲିକଙ୍କୁ ପୁଲିସ ଗିରଫ କରିବାକୁ ଦାବି କରିଥିଲେ। ଭାରପ୍ରାପ୍ତ ଏସିପି ଦେବଦତ୍ତ କର ସେମାନଙ୍କୁ ବୁଝାସୁଝା କରିବା ପରେ ଶବଗାଡ଼ି ଥାନାରୁ ବାହାରିଥିଲା।

ଏହି ଘଟଣାକୁ ନେଇ ଶିଶୋ ଓ ବଣଦେଉଳି ଗ୍ରାମରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଏସିପି ନିମାଇଁ ସେଠୀ ଓ ଦେବଦତ୍ତ କର ଅନ୍ୟ ପୁଲିସ କର୍ମଚାରୀଙ୍କ ସହ ନାଗବାଲିରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର