କଟକ: କଟକ ସହରର ବହୁ ସ୍ଥାନୀୟ ବାସିନ୍ଦାଙ୍କର ନିଜର ବାସ ସ୍ଥାନ ଉପରେ ସେମାନଙ୍କର ଅଧିକାର ସାବ୍ୟସ୍ତକୁ ନେଇ ଯେଉଁ ସମସ୍ୟା ଉପୁଜିଛ ତାହାକୁ ସମାଧାନ କରିବା ପାଇଁ ପ୍ରଶାସନ ଜାଣିଶୁଣି ଅବହେଳା କରୁଛନ୍ତି ଏବଂ ନିରୀହ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ରଞ୍ଜନ ଚୌଧୁରୀ ଆଜି ଶନିବାର କଟକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଶ୍ରୀ ଚୌଧୁରୀ କହିଛନ୍ତି ଯେ,  କଟକ ସହରର ୟୁନିଟ ନମ୍ବର ୧୦, ୧୧, ୧୨, ୧୩, ୧୪, ୨୦, ୨୧, ୨୨ର ପ୍ରାୟ ୧ଶହ ଏକର ଜାଗା ଉପରେ ୫ ହଜାରରୁ ଉର୍ଦ୍ଧ୍ବ କେସର ୫ହଜାରରୁ ଊର୍ଦ୍ଧ୍ବ ବାସିନ୍ଦା ନିଜ ଜାଗାର ସ୍ଥିତିବାନ ଷ୍ଟାଟସର ଅଧିକାର ରେକର୍ଡ ପାଇବାରୁ ବଞ୍ଚିତ ହେଉଛନ୍ତି। ଉକ୍ତ ଖାସ୍‌ମାହାଲ ଜାଗା ମାଲିକ ମାନଙ୍କର ପଟ୍ଟା ମିଆଦ ୧୯୭୩ ମସିହାରେ ସରିଗଲା ପରେ ଏହାର ରିନ୍ୟୁୱାଲ କରାଯାଇ ନଥିଲା।

Advertisment

୨୦୦୩ ମସିହାରେ ରିନ୍ୟୁୱାଲ ପାଇଁ ଏହି ଜମି ମାଲିକ ମାନେ ଆବେଦନ କରିଥିଲେ। ସେମାନଙ୍କୁ ପ୍ରଦତ୍ତ ହୋଇଥିବା ଖାସ୍‌ମାହଲ ପଟ୍ଟାକୁ ସେମାନେ ସ୍ଥିତିବାନରେ ପରିଣତ କରିବା ପାଇଁ ଆରଆଇ, ତହସିଲଦାର, ଉପଜିଲ୍ଲାପାଳ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଧାଉଁଛନ୍ତି। ମାତ୍ର ଉପରୋକ୍ତ କାର୍ଯ୍ୟାଳୟ ସେହି ଜାଗା ମାଲିକଙ୍କ କାମ ନ କରିବାର ଉଦ୍ଦେଶ୍ୟ ରଖି ଗତ ୫୦ବର୍ଷର ରେକର୍ଡ ମାଗୁଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି କି ଯେ, ଏହି ଜାଗା ମାଲିକ ମାନେ ଯେତେବେଳେ ଉପରୋକ୍ତ କାର୍ଯ୍ୟାଳୟକୁ ଆବଶ୍ୟକୀୟ କାଗଜପତ୍ର ଦେବା ପାଇଁ ଆବେଦନ କରୁଛନ୍ତି ଉକ୍ତ କାର୍ଯ୍ୟାଳୟ ପକ୍ଷରୁ କୁହାଯାଉଛି ଯେ, ସେସବୁ ଡକ୍ୟୁମେଣ୍ଟ ନଷ୍ଟ ହେଇଯାଇଛି। ତେବେ ଯଦି ସରକାର ଏହି ନିରୀହ ଜନତାଙ୍କୁ ସେହି ଡକ୍ୟୁମେଣ୍ଟ ନ ଦେବେ ତେବେ ସେମାନେ ଏହା ପାଇବେ କିପରି ? ବର୍ତ୍ତମାନ ଏହି ଜାଗା ମାଲିକ ମାନେ ରେକର୍ଡ ଅଫ ରାଇଟ ନ ପାଇବା ଫଳରେ କୌଣସି କାର୍ଯ୍ୟ କରିବା ପାଇଁ ନିଜ ଜାଗା ଉପରେ ଋଣ କରି ପାରୁ ନାହାନ୍ତି। ଭଙ୍ଗା ଘରକୁ ସଜାଡ଼ିବା ପାଇଁ, ପିଲା ମାନଙ୍କର ପାଠପଢା ପାଇଁ, ବିବାହ, ବ୍ରତ, ଶୁଦ୍ଧିକ୍ରିୟା ବା ରୋଗବ୍ୟାଧିରେ ଚିକିତ୍ସା ପାଇଁ ନିଜ ଜାଗା ବନ୍ଧକ ରଖବା ସମ୍ଭବ ହେଇ ପାରୁନାହିଁ କାରଣ ଜାଗା ମାଲିକଙ୍କ ପାଖରେ ସ୍ଥିତିବାନ ସ୍ଟାଟସର ଅଧିକାର ରେକର୍ଡ ନାହିଁ।
୨୦୨୧ ମସିହା ମେ ୪ ତାରିଖରେ ଚିଠି ନମ୍ବର ୪୮୩୮ ର ୧୮୦ଟି ରେକର୍ଡ ଉପରେ ଉପଜିଲ୍ଲାପାଳ କୌଣସି ପଦକ୍ଷେପ ନ ନେଇ ଏହାକୁ ଫେରାଇ ଦେଇଛନ୍ତି ବୋଲି ଜଣା ପଡିଛି। ପୁଣି ଜିଲ୍ଲାପାଳଙ୍କ ଅଗୋଚରରେ ଉପଜିଲ୍ଲାପାଳ ୧୯/୦୪/୨୦୨୧ ତାରିଖ ଦିନ ଏ ସଂକ୍ରାନ୍ତରେ ଏକ ନାମକୁ ମାତ୍ର ରିଭିୟୁ ବୈଠକ ଡକାଇଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ କଥା ଏହିକି ଯେ, କଟକର ୫ହଜାର ଜାଗା ମାଲିକଙ୍କ ଖାସ୍‌ମାହଲ କେସର ସମାଧାନ ପ୍ରଶାସନ ବର୍ଷ ବର୍ଷ ଧରି କରୁନଥିବା ବେଳେ କଟକର ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଜାଗା କେସ ନମ୍ବର ୨୫୫୭/୨୦୧୧କୁ କିପରି ସହଜ ରେ ରିନ୍ୟୁ କରାଗଲା କିପରି ? କଲେକଟର ଙ୍କର ଇୟୁନିଟ ୧୩ ଚାନ୍ଦିନୀଚୌକରେ ଥିବା ୧ଶହ ଡିସମିଲ ଜାଗା ଖାତା ନମ୍ବର ୫୭୩/୪୫୫, ପ୍ଲଟ ନଂ -୨୯୫୯କୁ ସ୍ଥିତିବାନ ଅବସ୍ଥାକୁ ପରିବର୍ତ୍ତନ କରାଗଲା କେଉଁ ଆଇନ ବଳରେ ? ହେଲେ ଏହି ସମାନ କେସରେ ଅନ୍ୟୁନ ୫ହଜାର ଜାଗା ମାଲିକଙ୍କୁ ରେକର୍ଡ ଅଫ ରାଇଟ ଦେବା ପାଇଁ ଜିଲ୍ଲାପାଳ ଭୂଆଁ ବୁଲାଉଛନ୍ତି କଣ ପାଇଁ ? ସେହି ଆଇନ ଏମାନଙ୍କ କ୍ଷେତ୍ରରେ ଲାଗୁ ହେବ ନାହିଁ କାହିଁକି ? ଜିଲ୍ଲାପାଳ ନିଜ ଜାଗାର ସମସ୍ୟାକୁ ସମାଧାନ କଲେ ହେଲେ କଟକ ସହରର ୫ହଜାର ନିରୀହ ଖାସ୍‌ମାହଲ ଜାଗା ଅଧିକାରୀଙ୍କ ଦୁଃଖ ଶୁଣିବ କିଏ? ସମ୍ପୃକ୍ତ ଜାଗା ମାଲିକ ମାନେ ତାଙ୍କର ଦୁଃଖ ୫ଟି ସଚିବ ବା ମୋ ସରକାରଙ୍କୁ ଲିଖିତ ଆକାରରେ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ସରକାର ତୁରନ୍ତ ଏକ ମାସିକିଆ କ୍ୟାମ୍ପକୋଟ ମାଧ୍ୟମରେ କିମ୍ବା ଏକ ଷ୍ଟାଣ୍ଡାର୍ଡ ଅର୍ଡର ଜାରିକରି ଏହି ଖାସ୍‌ମାଲ କେସ ଗୁଡିକର ସମାଧାନ କରନ୍ତୁ ନହେଲେ ଏହି ୫ହଜାର ଜାଗା ମାଲିକ ମାନେ ରାଜରାସ୍ତାକୁ ଓଲ୍ହାଇବେ ଓ କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ଏମାନଙ୍କ ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ ଦିଆଯାଇ ତୀବ୍ରତର କରାଯିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି।

୫ଟି ସଚିବ ଯିଏ କି ଏବେ ଓଡିଶାରେ ବୁଲିବୁଲି ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ବୋଲି ଦାବି କରୁଛନ୍ତି, ସିଏ ଉପରୋକ୍ତ ଦାବିକୁ ଗୁରୁତ୍ୱର ସହ ବିଚାର କରିବେ ବୋଲି ଆଶା କରୁଛୁ। ଯଦି ଏହି ଦାବିକୁ ସରକାର ଉପେକ୍ଷା କରନ୍ତି ତେବେ ଅଧିକାର ପାଇଁ ଲଢେଇର ଗତି ଯେଉଁ ରୂପ ନେବ ସରକାର ସେଥି ପାଇଁ ଦାୟି ରହିବେ ବୋଲି କଟକ ଜିଲ୍ଳା କଂଗ୍ରେସ ସଭାପତି ମାନସ ଚୌଧୁରୀ ଚେତାବନୀ ଦେଇଛନ୍ତି।