ମାନସ ସ୍ବାଇଁ ହତ୍ୟାକାଣ୍ଡ: ମାସେ ଯାଏ ଅଭିଯୁକ୍ତ ଥିଲେ ଭୁବନେଶ୍ବରରେ

କଟକ: କ୍ୟାମେରାମ୍ୟାନ୍ ମାନସ ସ୍ବାଇଁଙ୍କୁ ହତ୍ୟା କରିବାର ମାସେ ଯାଏ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇ ଭୁବନେଶ୍ବରରେ ଥିଲେ। ଫେବ୍ରୁଆରି ୭ ତାରିଖରେ ମାନସଙ୍କୁ ହତ୍ୟା କରାଯାଇଥିବା ବେଳେ ମାର୍ଚ୍ଚ ୭ ତାରିଖରେ ଶର୍ମିଷ୍ଠା ଓ ଝୁନା ଭୁବନେଶ୍ବରରୁ ଯାଜପୁର ପଳାଇ ଯାଇଥିଲେ। କିନ୍ତୁ ପୁଲିସକୁ ଭୂଆଁ ବୁଲାଇବାକୁ ନିଜ ମୋବାଇଲ୍ ଫୋନକୁ ସୁନ୍ଦରପଦା ଜଟଣୀ ରାସ୍ତାରେ ଥିବା ଆପାର୍ଟମେଣ୍ଟରେ ଛାଡ଼ି ଦେଇଯାଇଥିଲା ଶର୍ମିଷ୍ଠା। ସେଠୁ ଭଦ୍ରକ ଓ ପରେ ପଶ୍ଚିମବଙ୍ଗକୁ ଯାଇ ଶର୍ମିଷ୍ଠା ଓ ଝୁନା ଲୁଚିଥିଲେ।  ଦ୍ବିତୀୟ ଦିନର ଜେରାରୁ କ୍ରାଇମବ୍ରାଞ୍ଚ ଆଜି ଏଭଳି ସ୍ପଷ୍ଟ ସୂଚନା ହାସଲ କରିଛି। ଅନ୍ୟପଟେ ମାନସ ନାଁରେ ଝୁନା ବେହେରା ଲେଖିଥିବା ଏକ ଜାଲ୍‌ ଅଣ୍ଡର୍‌ଟେକିଂ କ୍ରାଇମବ୍ରାଞ୍ଚ ଜବତ କରି ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ ଚାନ୍ଦବାଲି ପଳାଶପୁରରୁ ଫେବ୍ରୁଆରି ୭ ତାରିଖରେ ମାନସ ସ୍ବାଇଁଙ୍କୁ ଅପହରଣ କରିବା ପରେ ଭୁବନେଶ୍ବର ସୁନ୍ଦରପଦାର ଦୟାଲ୍‌ ଆଶ୍ରମରେ ହତ୍ୟା କରି ୮ ତାରିଖରେ ନୟାଗଡ଼ ରଣପୁର ଥାନା ବଧିପାଟଣାରେ ପାହାଡ଼ପାର୍ଶ୍ବରେ ପୋତି ଦେଇଥିଲେ। ମାର୍ଚ୍ଚ ୭ ତାରିଖରେ ଶର୍ମିଷ୍ଠା ସମ୍ପୂର୍ଣ୍ଣା ୱେବପୋର୍ଟାଲର କେୟାର୍‌ଟେକର୍ ଝୁନା ବେହେରାକୁ ଧରି ସୁନ୍ଦରପଦାରୁ ଯାଜପୁର ଜିଲ୍ଲା କାଳିଆପାଣି କୋଇପାସି ଯାଇଥିଲା। କାଳିଆପାଣିରେ ନିଜ ଶାଶୂଙ୍କ ସହିତ ୩ ଦିନ କଟାଇଥିଲା ଶର୍ମିଷ୍ଠା। ୩ ଦିନି ରହଣୀ ପରେ ଶର୍ମିଷ୍ଠା ନିଜ ଶାଶୂ ଓ କେୟାର୍‌ଟେକର୍ ଝୁନା ସହିତ ୧୦ ତାରିଖ ଭୋର ପ୍ରାୟ ୫ଟା ୩୦ରେ ଭଦ୍ରକ ଆଗରପଡ଼ା ପୁରୁଷଣ୍ଢ ଗାଁରେ ଥିବା ନଣନ୍ଦ ଘରକୁ ଯାଇଥିଲେ। ନଣନ୍ଦ ଘରେ ବି ତିନି ଦିନ ଶର୍ମିଷ୍ଠା ଓ ଝୁନା ରହିଲେ। ସେଠି ରହିବା ସମୟରେ ହିଁ ଶର୍ମିଷ୍ଠା ଏକ ନୂଆ ସିମ୍‌କାର୍ଡ କିଣିଥିଲା। ଶର୍ମିଷ୍ଠା ନଣନ୍ଦ ଘରେ ଥିବା ସମୟରେ ୧୦ ତାରିଖରେ ଚାନ୍ଦବାଲି ପୁଲିସ ଖଣ୍ଡଗିରି ଫାର୍ମା ବସ୍ତିର ବୋଲେରୋ ଡ୍ରାଇଭର୍ ଭାଗ୍ୟଧର ନାୟକ, ଶର୍ମିଷ୍ଠାର ସହଯୋଗୀ ରଣପୁର ଧମଡ଼ାର ବିବେକ ନାୟକ, ପୁରୁଣା ଭୁବନେଶ୍ବର ମଙ୍ଗଳାସାହିର କୃଷ୍ଣଚନ୍ଦ୍ର ନାୟକକୁ ଗିରଫ କରିଥିଲା। ୧୨ ତାରିଖରେ ବଧିପାଟଣା ପାହାଡ଼ ନିକଟରୁ ମାନସର ଶବ ମିଳିବା ପରେ ଶର୍ମିଷ୍ଠା ଭୟଭୀତ ହୋଇଯାଇଥିଲା।

୧୩ ତାରିଖ ଦିନ ପ୍ରାୟ ୨ଟା ୫୦ରେ ଏକ ଅଟୋରେ ବାଲେଶ୍ବର ଯୋରଗାଡ଼ିଆ ନିକଟ କୁପାରି ବସ୍‌ଷ୍ଟାଣ୍ଡ ନିକଟକୁ ଉଭୟ ଶର୍ମିଷ୍ଟା ଓ ଝୁନା ଆସିଥିଲେ। ସେଠାରୁ ସେମାନେ ପାଖାପାଖି ୬୫ କିମି ଦୂର ବାଲେଶ୍ବର ବସଷ୍ଟାଣ୍ଡକୁ ଯାଇଥିଲେ। ବାଲେଶ୍ବର ବସଷ୍ଟାଣ୍ଡରେ ପହଞ୍ଚିବା ପରେ ଟ୍ରେନରେ ସିଧା କଲିକତା ଚାଲିଯାଇଥିଲେ। ୧୪ ତାରିଖରେ ଶର୍ମିଷ୍ଠା ଓ ଝୁନା କଲିକତାରେ ପହଞ୍ଚିଥିଲେ। କଲିକତାରେ ଶର୍ମିଷ୍ଠା ପୁଣି ଦୁଇଟି ନୂଆ ସିମ୍‌କାର୍ଡ କିଣିଥିଲା। ପରେ ସେ ଦୁହେଁ ନଦୀୟା ଜିଲ୍ଲା କଲ୍ୟାଣୀ ଆଡ଼କୁ ଯାଇଥିଲେ। କଲ୍ୟାଣୀରେ କିଛିଦିନ ରହିବା ପରେ ସେହି ଜିଲ୍ଲାର ମାୟାପୁରୀ ଅଞ୍ଚଳକୁ ଯାଇଥିଲେ। ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ରହୁଥିବା ଶର୍ମିଷ୍ଠାର ବଡ଼ଭାଇ ପରମେଶ୍ବର ରାଉତ ସହିତ ପରିଚିତ ଥିବା ମାୟାପୁରୀର ଅସୀମା ଦାସ ଘରେ ଆଶ୍ରୟ ନେଇଥିଲେ। ପୁଲିସର ଗିରଫଦାରୀକୁ ଏଡ଼ାଇବା ପାଇଁ ସେଠୁ ସେମାନେ ଜଲପାଇଗୁଡ଼ି ଜିଲ୍ଲାକୁ ଯାଇଥିଲେ। ସେଠି ବି କିଛିଦିନ ଉଭୟ ରହିଥିଲେ। କଲିକତା ଆସି ସେଠି ବି କିଛି ଦିନ ରହିଲେ। ଟଙ୍କା ସରିଯିବାରୁ ଏବଂ କୌଣସି ଆଶ୍ରୟ ନମିଳିବାରୁ ଓଡ଼ିଶାକୁ ଗଲା ୨୮ ତାରିଖରେ ଫେରୁଥିବା ବେଳେ ଭଦ୍ରକ ନଳାଙ୍ଗ ସାଇମନ୍ଦିର ନିକଟରେ ଏକ ବସ୍‌କୁ ଅଟକାଇ ଉଭୟ ଶର୍ମିଷ୍ଠା ଓ ଝୁନାକୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ତେବେ ନୟାଗଡ଼ରେ ହୋଇଥିବା ମାନସଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କୁ କୌଣସି କଠିନ ଓ ଦନ୍ଥରା ବସ୍ତୁରେ ମାଡ଼ ହୋଇଛି। ତାଙ୍କ ପଞ୍ଜରା ହାଡ଼ ଏକାଧିକ ସ୍ଥାନରେ ଭାଙ୍ଗିଯାଇଛି। ମାଡ଼ ହେବା ପରେ ଶରୀର ଭିତରେ ଓ ବାହାରେ କ୍ଷତ ସୃଷ୍ଟି ହୋଇଥିଲା। ମରିବା ପୂର୍ବରୁ ତାଙ୍କୁ ମାଡ଼ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର