ଆଜିଠାରୁ ଆରମ୍ଭ ହୋଇଯାଇଛି ମାଟ୍ରିକ ସମେଟିଭ ୧ ପରୀକ୍ଷା

କଟକ: ଆଜି ଠାରୁ ଆରମ୍ଭ ହୋଇଯାଇଛି ମାଟ୍ରିକ ସମେଟିଭ ୧ ପରୀକ୍ଷା। ପରୀକ୍ଷାର୍ଥୀମାନେ ସକାଳ ୯ ରୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିଛନ୍ତି। କେବଳ ଆଡ଼ମିଟ କାର୍ଡ ଏବଂ କଲମ ନେଇ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିଛନ୍ତି ପରୀକ୍ଷାର୍ଥୀ। ତେବେ ପ୍ରଥମ ଦିନରେ ଇଂରାଜୀ ବିଷୟ ଥିବାରୁ ପରୀକ୍ଷାର୍ଥୀମାନେ ନିଜକୁ ପ୍ରସ୍ତୁତ କରିଥିବା କଥା କହିଛନ୍ତି ।

ଅନ୍ୟପଟେ ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ବେଶ୍ ଗୁରୁତ୍ୱ ବହନ କରୁଥିବା ଏହି ପରୀକ୍ଷା ପରିଚାଳନା ପାଇଁ ପରୀକ୍ଷା କେନ୍ଦ୍ରର କର୍ତ୍ତୃପକ୍ଷମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ମଧ୍ୟ ରହିଛନ୍ତି । କପି ରୋକିବା ପାଇଁ ପରୀକ୍ଷାର୍ଥୀମାନଙ୍କୁ ତନ୍ନତନ୍ନ କରି ଯାଞ୍ଚ କରାଯାଇ କେନ୍ଦ୍ର ପରିସରକୁ ଛଡାଯାଇଛି । ଚଳିତବର୍ଷ ୫ ଲକ୍ଷ ୪୦ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ୩୦୨୯ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ।

ସେହିପରି ମଧ୍ୟମାରେ ୨୯୧୪ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୧୦୮ଟି କେନ୍ଦ୍ର ଥିବା ବେଳେ ଓପନ ସ୍କୁଲ ସାର୍ଟିଫିକେଟ ପାଇଁ ୭୧୮୧ ଜଣ ପରୀକ୍ଷାର୍ଥୀ ୧୪୬ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି । ୩୧୬ ନୋଡାଲ ସେଣ୍ଟର ଥିବା ବେଳେ ପ୍ରଶ୍ନପତ୍ର କଡ଼ା ସୁରକ୍ଷାରେ ରହିବ ବୋଲି ବୋର୍ଡ଼ ସ୍ପଷ୍ଟ କରିଛି । ଅନ୍ୟପଟେ ମାଓ ପ୍ରଭାବିତ ଅଞ୍ଚଳରେ ୨୨ଟି ନୋଡାଲ ସେଣ୍ଟର୍ କରାଯାଇଛି। ପ୍ରଶ୍ନପତ୍ର କଡା ସୁରକ୍ଷାରେ ରଖାଯାଉଛି । ପରୀକ୍ଷାକୁ ଶୃଙ୍ଖଳିତ ରଖିବାକୁ ଏବଂ କପି ରୋକିବା ପାଇଁ ସ୍ୱତନ୍ତ୍ର ସ୍କ୍ବାର୍ଡ ମଧ୍ୟ ଗଠନ କରାଯାଇଥିବା ନେଇ କହିଛନ୍ତି ବୋର୍ଡ ଉପସଭାପତି । ସେହିପରି ପ୍ରଥମ ଇଂରାଜୀ ପରୀକ୍ଷା ରହିଥିବା ବେଳେ ପରୀକ୍ଷା ବେଶ ଭଲ ହୋଇଥିବା କହିଛନ୍ତି ଛାତ୍ରଛାତ୍ରୀ |

ସମ୍ବନ୍ଧିତ ଖବର