ଜଗତପୁର ନୂତନ ମାର୍କେଟ କ‌ମ୍ପ୍ଲେକ୍ସରେ ଅସାମାଜିକଙ୍କ ଆଡ୍ଡା

କଟକ: ୧୯୯୮ ମସିହା ଜାତୀୟ ରାଜପଥ ସଂପ୍ରସାରଣ ସମୟରେ ଦୋକାନ ଗୃହ ହରାଇଥିବା ୬୦୭ ଜଣ ବ୍ୟବସାୟୀଙ୍କୁ ଥଇଥାନ କରିବା ପାଇଁ ବିଶ୍ୱବ୍ୟାଙ୍କ ସହାୟତାରେ କଟକର ଜଗତପୁରସ୍ଥିତ ମହାନଦୀ କୂଳରେ ଏକ ନୂତନ ମାର୍କେଟ କମ୍ପ୍ଲେକ୍ସ ଗୃହ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତି କରାଯାଇଥିଲା l ବାର ବର୍ଷ ପରେ ୨୦୧୧ ମସିହା ଏପ୍ରିଲ ୨୫ ତାରିଖରେ  ଜଗତପୁର ଗୋଲେଇ ଛକଠାରୁ ୬୦୦ ମିଟର ଦୂର ଜାତୀୟ ରାଜପଥ କଡ଼ରେ ପୂର୍ତ୍ତ ବିଭାଗ ଦ୍ୱାରା ୮ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ କରାଯାଇଥିବା ନୂତନ ମାର୍କେଟ କମ୍ପ୍ଲେକ୍ସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ l

ଉପରୋକ୍ତ ୬୦୭ ଜଣ ହିତାଧିକାରୀ  ବ୍ୟବସାୟୀଙ୍କ ମଧ୍ୟରୁ ୨୩୬ ଜଣଙ୍କ  ଆବେଦନ ଅନୁଯାୟୀ ସମସ୍ତଙ୍କୁ କୋଠରୀ ଆବଣ୍ଟନ କରାଯାଇଥିଲା। ଉକ୍ତ ମାର୍କେଟ କମ୍ପ୍ଲେକ୍ସ ପରିଚାଳନା ପାଇଁ ଏକ ସାତଜଣିଆ କମିଟି ଗଠନ କରାଯାଇଥିଲା। କଟକ ଜିଲ୍ଲାପାଳଙ୍କୁ ଅଧ୍ୟକ୍ଷ ଓ ଟାଙ୍ଗୀ ଚୌଦ୍ୱାର ତହସିଲଦାରଙ୍କୁ ସମ୍ପାଦକ ଦାୟିତ୍ୱ ଦିଆଯାଇଥିଲା l ଉଦଘାଟନ ଦିନଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୯ ବର୍ଷ ବିତିଯାଇଥିଲେ ମଧ୍ୟ ଏହାର ଅଗ୍ରଗତି ହେବା ପରିବର୍ତ୍ତେ ଅବକ୍ଷୟ ହେବାରେ ଲାଗିଛି l ଉପଯୁକ୍ତ ରକ୍ଷାଣବେକ୍ଷଣ, ପାରିପାର୍ଶ୍ଵିକ ସ୍ଥିତି ଯୋଗୁଁ ଅର୍ଦ୍ଧାଧିକ କୋଠରୀ ଭୂତ କୋଠିରେ ପରିଣତ ହୋଇଛି l ସଂଯୋଗ ରାସ୍ତାଟି ଗୋଲେଇ ଛକଠାରୁ ମାର୍କେଟ କମ୍ପେକ୍ସ ପର୍ଯ୍ୟନ୍ତ ମରାମତି ଅଭାବରୁ ଶୋଚନୀୟ ହୋଇପଡ଼ିଛି l ଅଧିକାଂଶ ଜାଗାରେ ଖାଲଖମା ଯୋଗୁଁ ଗମନାଗମନରେ ବାଧା ସୃଷ୍ଟି ହେଉଛି l

ଏହି ସ୍ଥାନଟି ମହାନଦୀ କୂଳ ପାର୍ଶ୍ୱ ନିଛାଟିଆ ହୋଇଥିବାରୁ, ବିଦ୍ୟୁତ  ଖୁଣ୍ଟି ଆଲୋକ ବ୍ୟବସ୍ଥା ନ ଥିବା ଏବଂ ସୁରକ୍ଷା କର୍ମଚାରୀ ବ୍ୟବସ୍ଥା ନ ଥିବାରୁ ବ୍ୟବସାୟୀମାନେ ସୁରକ୍ଷିତ ମଣୁନାହାନ୍ତି l ଫଳରେ ରାତି ସମୟରେ ଅନ୍ଧାରର ସୁଯୋଗ ନେଇ ଅସାମାଜିଜ ଓ ଚୋରା ବେପାରୀଙ୍କର ଆଡ୍ଡା ଜମୁଛିl ଅଧିକାଂଶ ବିଳମ୍ବିତ ରାତିରେ ଏହି ବାଣିଜ୍ୟ ସୌଧ ପରିସର ଚୋରା କିରୋସିନ,  ନକଲି ଘିଅ ଓ ନକଲି ରିଫାଇନ ତେଲ ଅପମିଶ୍ରଣ ଓ ଚାଲାଣର ପେଣ୍ଠସ୍ଥଳୀ ପାଲଟିଛି l

ପୁଲିସ ଦେଖି ନ ଦେଖିଲା ପରି ବ୍ୟବହାର କରୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି l ଅସାମାଜିକଙ୍କ ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି l ଏଠାରୁ ପ୍ରାୟ ଏକମାସ ତଳେ ୧୧ କୁଇଣ୍ଟାଲ ଭାଙ୍ଗ ଜବତ କରାଯାଇ ସମ୍ପୃକ୍ତ ବ୍ୟକ୍ତିକୁ ଗିରଫ କରାଯାଇଥିଲା l ତାର ଠିକ୍ ୧୫ ଦିନ ପରେ ମାର୍କେଟ କମ୍ପ୍ଲେକ୍ସର ସାମ୍ନା ରାସ୍ତା କଡ଼ରୁ ବ୍ରାଉନ ସୁଗାର ଜବତ କରାଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା।

ଏ ସମ୍ପର୍କରେ ମାର୍କେଟ କମ୍ପ୍ଲେକ୍ସର ସମ୍ପାଦକ ପଦରେ ଥବା ଟାଙ୍ଗୀ – ଚୌଦ୍ୱାର ତହସିଲଦାର ନିରଞ୍ଜନ ବେହେରାଙ୍କୁ ପଚାରିବାରୁ, ଗୃହ ଆବଣ୍ଟନ ପରେ ତାଙ୍କର କୌଣସି ଦାୟିତ୍ୱ ନାହିଁ ଏବଂ ପରିଚାଳନାର ସମସ୍ତ ଦାୟିତ୍ୱ ହିତାଧିକାରୀ ବ୍ୟବସାୟୀଙ୍କର ବୋଲି କହିଛନ୍ତି। ମାର୍କେଟ କମ୍ପ୍ଲେକ୍ସର ସଦସ୍ୟ ଗୌରାଙ୍ଗ ଜେନା କହିବା ଅନୁଯାୟୀ ଏହି ସ୍ଥାନଟି ବ୍ୟବସାୟୀମାନଙ୍କ ପାଇଁ ଲାଭଜନକ ହୋଇନଥିବାରୁ ନିଜ ଦୋକାନ ଗୃହଟିକୁ ଚାବି ପକାଇଦେଇ  ଅନ୍ୟତ୍ର କେତେକ ଭଡ଼ା ଘରେ ଓ କେତେକ ଉଠା ଦୋକାନ କରି ବ୍ୟବସାୟ ଚଳାଉଛନ୍ତି l

ପୂର୍ବତନ କର୍ପୋରେଟର ନବ କିଶୋର ସ୍ୱାଇଁଙ୍କ ମତରେ ଏହି ମାର୍କେଟ କମ୍ପ୍ଲେକ୍ସ ପରିସର ସୁରକ୍ଷା ବ୍ୟବସ୍ଥା ଅଭାବରୁ ବାରମ୍ବାର ଚୋରି ଲୁଟ ଘଟଣା ଘଟିବା ଓ ଅସାମାଜିକ କାର୍ଯ୍ୟ ଘଟିବା ଓ ଯାତାୟାତ ନିମନ୍ତେ ଉପଯୁକ୍ତ ରାସ୍ତା ନଥିବାରୁ ବ୍ୟବସାୟୀମାନେ ଦୋକାନ କରିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ରାସ୍ତା, ଲାଇଟ୍ ବ୍ୟବସ୍ଥା ସହ ପୁଲିସ ସୁରକ୍ଷା ରହିଲେ ଏହା ବ୍ୟବହାର ଉପଯୋଗୀ ହୋଇପାରନ୍ତା ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର