ଚୌଦ୍ୱାର ଜେଲ୍‌ରେ ଅଭିଯୁକ୍ତ-ପୀଡ଼ିତାଙ୍କ ବିବାହ, ମେହେନ୍ଦୀ ପରଂପରା ସହ ଭୋଜିଭାତର ଆସର

ଚୌଦ୍ବାର: ଚୌଦ୍ବାର ଜେଲରେ ଆଜି ପୁଣି ଏକ ନିଆରା ବିବାହ ଅନୁଷ୍ଠିତ ହୋଇଛି। ମେହେନ୍ଦୀ, ଭୋଜିଭାତ ସହିତ ବୈଦିକ ପରଂପରା ଅନୁସାରେ ଜଣେ ପୀଡିତା ଓ ଜଣେ ଅଭିଯୁକ୍ତଙ୍କ ମଧ୍ୟରେ ବିବାହ ସଂପନ୍ନ ହୋଇଛି। ଉଦ୍ଧାର ଫାଉଣ୍ଡେସନ ସଂଗଠନ ଓ ଚଣ୍ଡୀପ୍ରସାଦ ଫାଉଣ୍ଡେସନ ଏହି ବିବାହରେ ସହଯୋଗ କରିଛନ୍ତି। ଏଭଳି ଏକ ନିଆରା ବିବାହ ପାଇଁ ଅତିରିକ୍ତ ଜିଲ୍ଲା ଦୌରା ଜଜ (ପୋକ୍ସ କୋର୍ଟ) ଅନୁମତି ଦେଇଥିଲେ। ଅଭିଯୁକ୍ତ କଟକ ଜିଲ୍ଲା ବାଦାମବାଡ଼ି ଥାନା ଖାନନଗରର ତାପସ କୁମାର ବେହେରା ଓ ପି. ସି ସରକାର ଲେନ୍‌ର ପୀଡିତା ସୁନିତା ନାୟକଙ୍କ ମଧ୍ୟରେ ବିବାହ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ସମାଜସେବୀ ତଥା ଶିକ୍ଷାବିତ ଅମୀୟବାଳା ପରିଡା କନ୍ୟାଦାନ କରିଥିଲେ। ଉଭୟ ପକ୍ଷର ପିତାମାତା, ସମ୍ପର୍କୀୟ ଓ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ। ଉଦ୍ଧାର ଫାଉଣ୍ଡେସନର କର୍ମକର୍ତା ମାନେ ବିବାହର ରୀତିନୀତି ଅନୁଯାୟୀ ବର ଓ କନ୍ୟାଙ୍କୁ ମେହେନ୍ଦୀ କରିବା ସହିତ ନୂତନ ବସ୍ତ୍ର ଓ ଅଳଂକାରରେ ସଜାଇ ଦେଇଥିଲେ।

ପଣ୍ଡିତ ବିଶ୍ୱନାଥ ତ୍ରିପାଠୀ ଓ ପଣ୍ଡିତ ରାଜ କିଶୋର ତ୍ରିପାଠୀ ବିବାହ ରୀତିନୀତି ସଂପନ୍ନ କରିଥିଲେ। ଏହି ବିବାହକୁ ‌ମନେ ରଖିବା ପାଇଁ ଚୌଦ୍ୱାର ଜେଲ ପରିସରରେ ବରକନ୍ୟା ଏକ ବୃକ୍ଷ ରୋପଣ କରିଥିଲେ। ଆଇନଜୀବୀଙ୍କ ଦ୍ୱାରା ଉଭୟ ପକ୍ଷ ନିଜର ବିବାହ ଘୋଷଣା ଚୁକ୍ତିନାମା ସ୍ଵାକ୍ଷର କରିଥିଲେ। କାର୍ଯ୍ୟକ୍ରମରେ ଚୌଦ୍ୱାର ମଣ୍ଡଳ କାରାଗାର ଅଧୀକ୍ଷକ ପ୍ରଦୀପ୍ତ କୁମାର ବେହେରା, ଜେଲର ବିଭେନ୍ଦୁ ଭୂୟାଁ, ୱେଲଫେୟାର ଅଫିସର ରାମକୃଷ୍ଣ ଦାସ, ମଥୁରା ସେଠୀ  ଓ ଉଦ୍ଧାର ଫାଉଣ୍ଡେସନ ସଂଗଠନର ସଭାପତି ନରୋତ୍ତମ ଦାସ, ବରିଷ୍ଠ ଉପଦେଷ୍ଟା ଗୋଲାପ ସିଂ, ଉପ ସଭାପତି ଦିଲୀପ ସାହୁ, ବରିଷ୍ଠ ସଦସ୍ୟ ସଂଜୀବ ନାୟକ, ସିଦ୍ଧାର୍ଥ ଟିଭି ର ଆର.ଜେ. ମଳୟ, ସେକ ଅଜମତ, ସାମୁଏଲ ବେହେରା, ଚନ୍ଦ୍ରଶେଖର ପଣ୍ଡା, ସ୍ମୃତିରଞ୍ଜନ ନାୟକ, ଚନ୍ଦନ ସ୍ୱାଇଁ, ପ୍ରମିଳା ଓଝା, ସ୍ନେହପ୍ରଭା ମହାନ୍ତି, ବିନୋଦ ପ୍ରଧାନ, ବିକ୍ରମ ଜେନା, ଅବିନାଶ ଲେଙ୍କା, ମହେନ୍ଦ୍ର ବେହେରା, ସିଦ୍ଧାନ୍ତ ନାୟକ, କ୍ଷିତୀଶ କୁମାର ବେହେରା ଓ ମିନା ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ଚୌଦ୍ୱାର ଜେଲରେ ଏଭଳି ଚତୁର୍ଥ ଥର ବିବାହ ଅନୁଷ୍ଠିତ ହୋଇଛି।

ସମ୍ବନ୍ଧିତ ଖବର