ଚୌଦ୍ବାର ସର୍କଲ ଜେଲରେ ପ୍ରେମୀଯୁଗଳଙ୍କ ବିବାହ

କଟକ: କଟକ ଜିଲ୍ଲା ଚୌଦ୍ୱାର ସର୍କଲ ଜେଲ୍‌ରେ ତୃତୀୟ ଥର ପାଇଁ ଜଣେ ଅଭିଯୁକ୍ତ ବନ୍ଦୀଙ୍କ ସହ ଅଭିଯୋଗକାରିଣୀଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ୍ୟ, ଯାହାକି ଚୌଦ୍ୱାର ମଣ୍ଡଳ କାରାଗାର ଠାରେ ଘଟିଛି। ବିବାହ ପାଇଁ ଜେଲ୍ ଭିତରେ ହୋଇଥିଲା ସମସ୍ତ ପ୍ରସ୍ତୁତି। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ପିଠାପଡ଼ା ଅଞ୍ଚଳର ଅଂଶୁମାନ ମଲ୍ଲିକ ଓ ସେହି ଅଞ୍ଚଳର ଚିନ୍ମୟୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପୀଡ଼ିତାଙ୍କ ପରିବାର ଲୋକ ଗାଁ ମୁରବିଙ୍କ ସହ ଆଲୋଚନା କରି ଚିନ୍ମୟୀକୁ ବାହା ହେବାକୁ ଅଂଶୁମାନ କହିଥିଲେ। କିନ୍ତୁ ଅଂଶୁମାନ ଏଥିରେ ରାଜି ନ ହେବାରୁ ଚିନ୍ମୟୀ ଘର ଲୋକେ ନିଶ୍ଚିନ୍ତକୋଇଲି ଥାନାରେ ଅଂଶୁମାନ ନାଁରେ ଏତେଲା କରିବା ପରେ ପୁଲିସ ଅଭିଯୁକ୍ତ ଅଂଶୁମାନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେବେଠାରୁ ଅଂଶୁମାନ ଚୌଦ୍ୱାର ଜେଲରେ ବନ୍ଦୀ ଭାବରେ ଜୀବନ ବିତାଉଥିଲା। ସ୍ପେଶାଲ ପୋସ୍କୋ କୋର୍ଟରେ ମାମଲା ବିଚାର ଚାଲିଥିବାବେଳେ ଅଭିଯୁକ୍ତ ଅଂଶୁମାନ ଦୀର୍ଘ ୯ ମାସ ପରେ ଜେଲରେ ରହିବାପରେ ପୀଡ଼ିତାଙ୍କୁ ବିବାହ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲା ଆଉ ଦୁଇପରିବାରଙ୍କ ମଧ୍ୟରେ ସମ୍ମତି ହୋଇଥିଲା। ତା’ସହ ବିବାହ କରିବା ପାଇଁ ଅଂଶୁମାନ କୋର୍ଟଙ୍କୁ ଅବଗତ କରାଇଥିଲା। କୋର୍ଟ ଅଂଶୁମାନର ଅନୁରୋଧକୁ ବିଚାର କରିବା ପରେ ଜେଲ ଅଧ୍ୟକ୍ଷଙ୍କୁ ଚିଠି ମାଧ୍ୟମରେ ଜଣାଇଥିଲେ।

ଏହାପରେ ଜେଲ ଅଧ୍ୟକ୍ଷକ ଏସଂକ୍ରାନ୍ତରେ ଟାଙ୍ଗୀ-ଚୌଦ୍ୱାରର ଏନ୍‌ଜିଓ ଉଦ୍ଧାର ଫାଉଣ୍ଡେସନକୁ ଜଣାଇଥିଲେ। ସଂଗଠନର ମୁଖ୍ୟ ନରୋତମ ଦାସଙ୍କ ପକ୍ଷରୁ ଉଭୟ ପରିବାରଙ୍କ ସହ ଆଲୋଚନା କରି ଦୁଇ ପରିବାରର ସହମତିକ୍ରମେ ବିବାହ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରିଥିଲେ। ଏବଂ ଚୌଦ୍ୱାର ମଣ୍ଡଳ କାରାଗାର ମଧ୍ୟରେ ସମସ୍ତ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିବା ସହିତ ଉଦ୍ଧାର ଫାଉଣ୍ଡେସନର କର୍ମକର୍ତ୍ତା ମାନେ ବିବାହ କାର୍ଯ୍ୟକୁ ସଂପୂର୍ଣ୍ଣ କରିଥିଲେ। ଏହି ବିବାହ ସରିବା ପରେ ଚିନ୍ମୟୀ ବହୁତ ଖୁସି ଅନୁଭବ କରିବା ସହିତ ପରିବାର ଲୋକମାନେ ମଧ୍ୟ ନିଜର ଆନନ୍ଦ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର