କଟକ: ଚତୁର୍ଥରୁ ସପ୍ତମ, ୪ଟି ଶ୍ରେଣୀ ପାଇଁ ମାତ୍ର ଜଣେ ଶିକ୍ଷକ। ଗତ ନଭେମ୍ବର ମାସରୁ ପ୍ରଧାନଶିକ୍ଷକ ପଦ ଖାଲି ପଡ଼ିଛି। କ୍ରୀଡ଼ା ଶିକ୍ଷକ କିମ୍ବା କିରାଣି ନାହାନ୍ତି। ଏଭଳି ଅଭାବନୀୟ ସ୍ଥିତିରେ ଚାଲିଛି ବାଲୁବଜାରସ୍ଥିତ ୯୦ବର୍ଷର ପୁରାତନ ଶିକ୍ଷାୟତନ ‘ମାରୁୱାଡି ହାଇସ୍କୁଲ’। ଶିକ୍ଷାବର୍ଷ ଅଧା ହେବାକୁ ବସିଥିଲେ ମଧ୍ୟ ଆବଶ୍ୟକ ଶିକ୍ଷକ ନିଯୁକ୍ତି ନ ଦିଆଯିବାକୁ ନେଇ ଅଭିଭାବକ ମହଲରେ ଘୋର ଅସନ୍ତୋଷ ଦେଖାଦେଇଛି। କରୋନା ପାଇଁ ଦୁଇ ବ‌ର୍ଷ ପାଠପଢ଼ା ବାଧାପ୍ରାପ୍ତ ହୋଇଥିବା ବେଳେ ଏବେ ଶିକ୍ଷକ ଅଭାବ ମାରୱାଡି ହାଇସ୍କୁଲ ଶିକ୍ଷାଦାନ ପ୍ରକ୍ରିୟା‌ ପାଇଁ ଜଟିଳ ପରିସ୍ଥିତି ସୃଷ୍ଟି କରିଛି। ୧୯୩୧ମସିହାରେ ପ୍ରତିଷ୍ଠିତ ମାରୱାଡି ହାଇସ୍କୁଲରେ ପ୍ରଥମେ ସପ୍ତମ ଶ୍ରେଣୀଯାଏ ବ୍ୟବସ୍ଥା ଥିଲା। ୧୯୩୬ରେ ମାଟ୍ରିକ୍ ପର୍ଯ୍ୟନ୍ତ ଖୋଲିଲା। ପ୍ରଥମରୁ ଘରୋଇ ଭାବେ ଚାଲୁଥିବା ବେଳେ ୧୯୯୪ରେ ରାଜ୍ୟ ସରକାର ହାତକୁ ନେଲେ। ୪ର୍ଥରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପଢୁଥିବା ଏହି ବିଦ୍ୟାଳୟରେ ଏବେ ୪ଶହ ଛାତ୍ରଛାତ୍ରୀ ପଢୁଛନ୍ତି। ହେଲେ ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ମିଶାଇ ମୋଟ ୮ଜଣ ଶିକ୍ଷକ ଅଛନ୍ତି। ପୁଣି ଏହି ବିଦ୍ୟାଳୟକୁ ତୃତୀୟ ପର୍ଯ୍ୟାୟରେ ୫-ଟି ସ୍କୁଲ କରାଯିବାକୁ ଚୟନ ହୋଇଛି। ହେଲେ ଛାତ୍ରଛାତ୍ରୀ ସଂଖ୍ୟା ବଢ଼ୁଥିବା ବେଳେ ସରକାରଙ୍କ ପକ୍ଷରୁ ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦିଆଯାଉନାହିଁ। ଏବେ ମାତ୍ର ଜଣେ ଟ୍ରେନଡ୍‌ ଇଣ୍ଟରମିଡିଏଟ୍ ଶିକ୍ଷକରେ ଚତୁର୍ଥ ଶ୍ରେଣୀରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାଇମେରି ସେକ୍ସନ ଚାଲିଛି। ଚତୁର୍ଥରୁ ସପ୍ତମ ପର୍ଯ୍ୟନ୍ତ ପାଖାପାଖି ୨୫୦ ଛାତ୍ରଛାତ୍ରୀ ରହିଥିବା ବେଳେ ଗୋଟିଏ ଗୋଟିଏ ଶ୍ରେଣୀରେ ଏକାଧିକ ସେକ୍ସନ ରହୁଥିବାରୁ ଶିକ୍ଷାଦାନ ଘୋର ବାଧାପ୍ରାପ୍ତ ହେଉଥିବା ଅଭି‌ଯୋଗ ହେଉଛି।

Advertisment

ପୂର୍ବରୁ ପ୍ରାଇମେରି ସେକ୍ସନରେ ମୋଟ ୩ଜଣ ଶିକ୍ଷକ ରହିଥିବା ବେଳେ ଦୁଇ ଜଣ ଟ୍ରେନ୍‌ଡ ମାଟ୍ରିକୁଲେଟ୍(ଟିଏମ୍‌)ଙ୍କୁ ପଦୋନ୍ନତି ଭିତ୍ତିରେ ଅନ୍ୟତ୍ର ବଦଳି କରି ଦିଆଯାଇଛି। କିନ୍ତୁ ସେମାନଙ୍କ ବଦଳି ପରେ ଆଉ ନୂଆ ନିଯୁକ୍ତି ନାହିଁ। ଗତ ନଭେମ୍ବର ମାସରେ ପ୍ରଧାନଶିକ୍ଷକଙ୍କ ଅବସର ପରେ ଆଉ ନୂଆ ପ୍ରଧାନଶିକ୍ଷକଙ୍କୁ ନିଯୁକ୍ତି ମିଳିନାହିଁ।‌ ସେହିପରି କ୍ରୀଡ଼ା ଶିକ୍ଷକ ନାହାନ୍ତି କି ଅଫିସ୍ କାମ କରିବାକୁ କିରାଣି ମଧ୍ୟ ନାହାନ୍ତି। ହାଇସ୍କୁଲ ପାଇଁ ଦୁଇ ଜଣ ଗଣିତ ଶିକ୍ଷକ ରହିଥିବା ବେଳେ ଜଣେ ଗଣିତ ଶିକ୍ଷକଙ୍କୁ ଏବେ ଅନ୍ୟ ଏକ ବିଦ୍ୟାଳୟରେ ତିନି ଦିନ କ୍ଲାସ୍ କରିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ଯୋଜନା ଚାଲିଛି। କରୋନା ପାଇଁ ଦୁଇ ବ‌ର୍ଷ ଶିକ୍ଷାଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିବା ବେଳେ ଏବେ ବିଦ୍ୟାଳୟର ୪ର୍ଥ ଶ୍ରେଣୀ ପିଲାଙ୍କୁ ତୃତୀୟ ପାଠ ଆସୁ ନଥିବା ସୂଚନା ମିଳିଛି। ପ୍ରାଥମିକ ଶ୍ରେଣୀରେ ଶିକ୍ଷକ ଅଭାବ ପାଇଁ ହାଇସ୍କୁଲରୁ କିଛି ଶିକ୍ଷକ ଆସି ପ୍ରାଇମେରି ସେକ୍ସନରେ ପଢ଼ାଉଛନ୍ତି। କିନ୍ତୁ ତାହା ଯଥେଷ୍ଟ ହେଉ ନ ଥିବା ସୂଚନା ମିଳିଛି। ଏ ସଂକ୍ରାନ୍ତରେ ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକ କହିଛନ୍ତି ଯେ, ମାରୱାଡି ହାଇସ୍କୁଲରୁ ତିନି ଜଣ ଶିକ୍ଷକ ପ ଦୋନ୍ନତି ପାଇଁ ଅନ୍ୟତ୍ର ବଦଳି ହୋଇଯାଇଛନ୍ତି। ସେମାନଙ୍କ ସ୍ଥାନରେ ନୂଆ ନିଯୁକ୍ତି ଦିଆଯାଇନାହିଁ। କିନ୍ତୁ ସ୍କୁଲ କର୍ତ୍ତୃପକ୍ଷ, ଅବସରପ୍ରାପ୍ତ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ଦେବାକୁ ଯୋଜନା କରନ୍ତୁ। ଏ ସଂକ୍ରାନ୍ତରେ ଆମକୁ ପ୍ରସ୍ତାବ ଦେଲେ, ଅତିଥି ଶିକ୍ଷକଙ୍କୁ ନିଯୁକ୍ତି ‌ଦେବାରେ କିଛି ଅସୁବିଧା ନାହିଁ ବୋଲି ଡିଇଓ ଶ୍ରୀ ନାୟକ ସୂଚନା ଦେଇଛନ୍ତି। ଏଯାଏ ବାଧାପ୍ରାପ୍ତ ହୋଇଥିବା ଶିକ୍ଷଦାନକୁ ଭରଣା କରିବା ପାଇଁ ଜରୁରିକାଳୀନ ଭିତ୍ତିରେ ଆବଶ୍ୟକ ଥିବା ଶିକ୍ଷକ ପଦ ପୂରଣ କରିବାକୁ ଅଭିଭାବକଙ୍କ ପକ୍ଷରୁ ଦାବି ହେଉଛି।