କଟକ: କଟକର ଐତିହ୍ୟ ମଧ୍ୟରୁ ବାଲୁବଜାରସ୍ଥିତ ଜାମା ମସ୍ଜିଦ୍ ସବୁଠୁ ସୁନ୍ଦର ଆଉ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ। ଏଥିରେ ଥିବା ପାରସ୍ୟ ଭାଷାରେ ଖୋଦିତ ଲେଖାରୁ ଜଣାଯାଏ ଯେ ଏହା ଔରଙ୍ଗଜେବ୍ଙ୍କ ସମୟର କୀର୍ତ୍ତି। ଔରଙ୍ଗଜେବ୍ଙ୍କ ବିଶ୍ବସ୍ତ ଅଧିକାରୀ ତଥା କଟକର ତତ୍କାଳୀନ ଶାସକ ନାଜିମ୍ ଏକ୍ରାମ୍ ଖାନ୍ ଏହାକୁ ନିର୍ମାଣ କରିଥିଲେ। ନିର୍ମାଣ ପରେ ସେ ଏହାକୁ ଔରଙ୍ଗଜେବ୍ଙ୍କ ଝିଅ ଦୈବୁନ୍ ନିଶାଙ୍କ ସମ୍ମାନ ଉଦ୍ଦେଶ୍ୟରେ ଅର୍ପଣ କରିଥିଲେ। ଭାରତ ଓ ମୋଗଲର ସମସ୍ତ ଶ୍ରେଷ୍ଠ କାରୁକାର୍ଯ୍ୟ ଏହି ମସ୍ଜିଦ୍ରେ ଦେଖିବାକୁ ମିଳେ। ଏହି ମସ୍ଜିଦ୍ଟି ୩ଶହ ବର୍ଷର ପୁରାତନ ପୀଠ ହୋଇଥିଲେ ମଧ୍ୟ ସୁନ୍ଦର ଓ ସୁଦୃଢ଼ ନିର୍ମାଣ ଶୈଳୀ ପାଇଁ ତାର ମୌଳିକତା ଏବେ ବି ଅକ୍ଷୂର୍ଣ୍ଣ ରହିଛି। ସହରର ପ୍ରମୁଖ ସ୍ଥଳ ହୋଇଥିବାରୁ ସବୁ ସମୟରେ ଏଠାରେ ପ୍ରାର୍ଥନା, ନମାଜ ପାଇଁ ଚଳଚଞ୍ଚଳ ରୁହେ।
ବାଲୁବଜାର ଜାମା ମସ୍ଜିଦ୍ ୧୬୮୯ରେ ନିର୍ମାଣ ଆରମ୍ଭ ହୋଇ ୧୬୯୧ରେ ସଂପୂର୍ଣ୍ଣ ହୋଇଥିଲା। ମସ୍ଜିଦ୍ରେ ଥିବା ପଥର ଖୋଦିତ ଲେଖାରୁ ଜଣାଯାଏ, ଶାସକ ଏକ୍ରାମ୍ ଖାନ୍ ଅତ୍ୟନ୍ତ ଧାର୍ମିକ, ପ୍ରଜାବତ୍ସଳ ଶାସକ ଥିଲେ। ତେଣୁ ଔରଙ୍ଗଜେବ୍ ତାଙ୍କୁ ‘ଖାନ-ଇ-ଖାନନ୍’ ଆଖ୍ୟା ଦେଇଥିଲେ। ମସ୍ଜିଦ୍ ନିର୍ମାଣ ପରେ ଏକ୍ରାମ୍ ହୁସେନ୍ ଏହି କୀର୍ତ୍ତିକୁ ଔରଙ୍ଗଜେବ୍ଙ୍କ କନ୍ୟା ଶାହାବାଜ ବେଗମ୍ ଦୈବୁନ୍ ନିଶାଙ୍କୁ ଅର୍ପଣ କରିଥିଲେ। ଏହି ମସ୍ଜିଦ୍ର ପ୍ରାର୍ଥନା ଗୃହଟି ପୂର୍ବରୁ ପଶ୍ଚିମକୁ ଲମ୍ବିଛି। ମକାରେ ଯେପରି ପ୍ରାର୍ଥନା କରାଯାଏ, ଏହି ପୀଠରେ ସେହିପରି ପ୍ରାର୍ଥନା କରାଯାଏ। ମସ୍ଜିଦର ଦକ୍ଷିଣ ଫାଟକରେ ପ୍ରବେଶ ପଥ ରହିଛି ଓ ଦକ୍ଷିଣ ଫାଟକ ଉପରେ ଆଜାନ୍ ଗାହା (ଯେଉଁଠି ଲୋକଙ୍କୁ ପ୍ରାର୍ଥନା ପାଇଁ ଡକାଯାଏ) ରହିଛି।
ମସ୍ଜିଦ୍ ଉପରେ ୪ଟି ସୁନ୍ଦର ଗମ୍ବୁଜ ରହିଛି ଓ ଚାରିକୋଣରେ ୪ଟି ମିନାର ରହିଛି। ସବୁଠୁ ବଡ଼ କଥା ହେଉଛି, ମସ୍ଜିଦ୍ ଭୂପୃଷ୍ଠ ପତନରୁ ୧୫ଫୁଟ୍ ଉପରେ ନିର୍ମାଣ ହୋଇଛି। ସୁରକ୍ଷା ପାଇଁ ଏହାର ଚାରିପଟେ ଏକ ସୁଉଚ୍ଚ ପ୍ରାଚୀର ରହିଛି। ମସ୍ଜିଦ୍ ଉପରେ ୨ଟି ବଡ଼ ମୀନାରେଟ୍ ରହଛି, ଯାହା କାରୁକାର୍ଯ୍ୟମୟ। ମସ୍ଜିଦ୍ ଉପରେ ଏକ ଟାୱାର ରହିଛି ଓ ଟାୱାରକୁ ଯିବାକୁ ସିଢି ଅଛି। ଏହି ଟାୱାରରୁ ସମଗ୍ର କଟକର ସୁନ୍ଦର ଛବି ଦେଖିହୁଏ। ମସ୍ଜିଦର ପୂର୍ବଦ୍ବାରରେ ଏକ କବର ରହିଛି। କିନ୍ତୁ କବରଟି କାହାର ତାହା ସେଠାରେ ଲେଖାନାହିଁ। ବିଶିଷ୍ଟ ଐତିହାସିକ ଡକ୍ଟର ଏକ୍ବାଲ ହୁସେନ୍ କହିଛନ୍ତି ଯେ, ଜାମା ମସ୍ଜିଦରେ ଥିବା ୨/୩ଟି ପାର୍ସି ଭାଷାର ପଥର ଖୋଦିତ ଲେଖାରୁ ଜଣାଯାଏ ଯେ ଏହା ଔରଙ୍ଗଜେବ୍ଙ୍କ ସମୟର ଓ ତତ୍କାଳୀନ ନାଜିମ୍ ଏକ୍ରାମ୍ ଖାନଙ୍କ ଦ୍ବାରା ନିର୍ମିତ। ଔରଙ୍ଗଜେବ୍ ଏକ୍ରାମ୍ ଖାନଙ୍କୁ ବହୁ ପ୍ରଶଂସା କରିଥିଲେ ଓ ତାଙ୍କୁ ଖାନ୍-ଇ-ଖାନନ୍ ଉପାଧି ପ୍ରଦାନ କରିଥିଲେ। ଏକ୍ରାମ୍ ଖାନ କଟକକୁ ସ୍ବର୍ଗ ଭଳି ସଜାଇ ରଖିଥିଲେ ବୋଲି ଡକ୍ଟର ଏକବାଲ ହୁସେନ ସୂଚନା ଦେଇଛନ୍ତି। ଜାମା ମସ୍ଜିଦ ପରିଚାଳନା କମିଟି ସାଧାରଣ ସଂପାଦକ ସୟଦ୍ ଏକ୍ରାମ୍ ହୁସେନ୍ କହିଛନ୍ତି, ଔରଙ୍ଗଜେବ୍ଙ୍କ ସମୟରେ ଏହି କୀର୍ତ୍ତି ପାଖାପାଖି ସାଢ଼େ ୧୨ଗୁଣ୍ଠ ଜମିରେ ରହିଛି। ପୂର୍ବରୁ ଯାହା ଥିଲା, ତାହାର ମୌଳିକତା ଏବେ ବି ରହିଛି। ଏହି ପୀଠରେ ଏକକାଳୀନ ଏକ ହଜାର ଲୋକ ଜନାମ କରିବା ଭଳି ବ୍ୟବସ୍ଥା ରହିଛି। ଏବେ ରମ୍ଜାନ ଚାଲୁଥିବାରୁ ପ୍ରତିଦିନ ୨ଶହରୁ ୩ଶହ ଲୋକ ପ୍ରାର୍ଥନା ପାଇଁ ଆସୁଛନ୍ତି ଓ ସଂଧ୍ୟାରେ ଆୟୋଜିତ ଇଫ୍ତାର ପାର୍ଟିରେ ୧୫୦ରୁ ଅଧିକ ଯୋଗଦେଇ ଓଷା ଫିଟାଉଛନ୍ତି। ମସ୍ଜିଦ୍ କମିଟି ପକ୍ଷରୁ ରମଜାନର ୨୭ତମ ଦିବସ ସବେକଦର ସଂଧ୍ୟାରେ ୮ଶହ ଲୋକଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯାଉଛି ବୋଲି ସଂପାଦକ ଶ୍ରୀ ହୁସେନ କହିଛନ୍ତି।