ରିଲାଏନ୍‌ସ ନାଁରେ ଠକେଇ : ଦୁଇ ଗୁଣ ଲୋଭ ଦେଖାଇ ୧୫ ଲକ୍ଷ ପୋଛିନେଲେ, ଦିଲ୍ଲୀରୁ ମାଷ୍ଟରମାଇଣ୍ଡ୍‌ ଗିରଫ, ଚାରି ଫେରାର

କଟକ : ରିଲାଏନ୍ସ ଜୀବନ ବୀମା କମ୍ପାନିର ଏକ ସହଯୋଗୀ ସଂସ୍ଥା ପରିଚୟରେ ହୋଇଛି ଏକ ବଡ଼ ଧରଣର ସାଇବର ଠକେଇ। ଦିଲ୍ଲୀର କୁଖ୍ୟାତ ସାଇବର ଅପରାଧୀମାନେ ବଲାଙ୍ଗୀରର ଜଣେ ବ୍ୟକ୍ତିଙ୍କ ବୀମା ଟଙ୍କା ଡବଲ୍‌ କରାଇବା ଲୋଭ ଦେଖାଇ ତାଙ୍କ ବ୍ୟାଙ୍କ ଜମାଖାତାରୁ ୧୪ ଲକ୍ଷ ୬୮ ହଜାର ୨୩୮ ଟଙ୍କା ଠକି ନେବା ଘଟଣାର ଆଜି ପର୍ଦ୍ଦାଫାସ ହୋଇଛି। ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ଏହି ଘଟଣାରେ ସଂପୃକ୍ତ ମାଷ୍ଟର୍‌ମାଇଣ୍ଡ ନୂଆଦିଲ୍ଲୀ ଲକ୍ଷ୍ମୀନଗର ଅଞ୍ଚଳର କ୍ରୀଷ୍ଣା ରାଠୋଡ୍‌(୨୪)କୁ ଦିଲ୍ଲୀସ୍ଥିତ ବାସଭବନରୁ ଗିରଫ କରିଛି। ତାଙ୍କ ନିକଟରୁ ପୁଲିସ ପ୍ୟାନ୍‌ କାର୍ଡ, ଆଧାର କାର୍ଡ, ମୋବାଇଲ୍‌ ଫୋନ୍‌ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। କ୍ରୀଷ୍ଣାର ଅନ୍ୟ ୪ ସହଯୋଗୀ ଫେରାର୍‌ ହୋଇଯାଇଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ସୂଚନାନୁଯାୟୀ, ବଲାଙ୍ଗୀର ଜିଲ୍ଲା ଲୋଇସିଙ୍ଗା ଅଞ୍ଚଳର ଜଣେ ବ୍ୟକ୍ତି ରିଲାଏନ୍ସ ଜୀବନ ବୀମା ସଂସ୍ଥାରେ ଦୁଇଟି ବୀମା କରିଥିଲେ। ହଠାତ୍‌ ତାଙ୍କ ମୋବାଇଲ୍‌ ଫୋନ୍‌କୁ ୨୦୧୬, ଜୁନ୍‌ ମାସରେ ଏକ ଅଜଣା ନମ୍ବରରୁ ଫୋନ୍‌ କଲ୍‌ ଆସିଥିଲା । ଫୋନ୍‌ କରିଥିବା ବ୍ୟକ୍ତି ନିଜକୁ ୟୁନିୟନ୍‌ ସଲ୍ୟୁସନ୍‌ର ମାଲିକ ଭାବେ ପରିଚୟ ଦେଇଥିଲେ। ତାଙ୍କ ସଂସ୍ଥା ରିଲାଏନ୍ସର ଏକ ସହଯୋଗୀ ସଂସ୍ଥା ହୋଇଥିବା ବେଳେ ୟୁନିୟନ୍‌ ସଲ୍ୟୁସନ୍‌ ମାଧ୍ୟମରେ କୌଣସି ବୀମା ରିଲାଏନ୍ସ ଜୀବନ ବୀମା ସଂସ୍ଥାରେ କଲେ ବର୍ଷକରେ ବୀମା ଟଙ୍କା ଦୁଇ ଗୁଣ ହୋଇଯିବ। ଏଭଳି ଲୋଭନୀୟ ସୁବିଧା ସମ୍ପର୍କରେ ବାରମ୍ବାର ଫୋନ୍‌ କରି ବଲାଙ୍ଗୀରର ବୀମାଧାରୀଙ୍କୁ କହିବା ସହ କାନାଡ଼ାରେ ନିବେଶ ହେଉଥିବାରୁ ଟଙ୍କା ଦୁଇ ଗୁଣ ହେଇ ଯାଉଥିବା କହିଥିଲା। ତେବେ ବଲାଙ୍ଗୀରର ସମ୍ପୃକ୍ତ ବ୍ୟକ୍ତି ଜଣକ ଏଥିରେ ରାଜି ହୋଇ ୨୦୧୬ ଜୁଲାଇରୁ ୨୦୧୭ ମାର୍ଚ୍ଚ ମଧ୍ୟରେ ମୋଟ ୧୪ ଲକ୍ଷ ୬୮ ହଜାର ୨୩୮ ଟଙ୍କା ୟୁନିଅନ୍‌ ସଲ୍ୟୁସନ୍‌ ନାଁରେ ଦିଲ୍ଲୀ ବସନ୍ତ ବିହାର ଆଇସିଆସିଆଇ ବ୍ୟାଙ୍କ ଶାଖାରେ ଖୋଲାଯାଇଥିବା ୪ଟି ଆକାଉଣ୍ଟରେ ପର୍ଯ୍ୟାୟକ୍ରମେ ଜମା କରିଥିଲେ। କିନ୍ତୁ ଏକ ବର୍ଷ ପରେ ମୂଳ ପ୍ରତିଶ୍ରୁତି ଅନୁଯାୟୀ, ଟଙ୍କା ଦୁଇ ଗୁଣ ନହେବାରୁ ସେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ।

ଏ ନେଇ ସେ କ୍ରାଇମ୍‌ବ୍ରାଞ୍ଚରେ ଗତ ୨୦୧୭ ଏପ୍ରିଲ ୧୩ ତାରିଖରେ ଏତଲା ଦେଇଥିଲେ। କ୍ରାଇମ୍‌ବ୍ରାଞ୍ଚର ସାଇବର ଥାନା ପୁଲିସ ଦଫା ୪୧୯, ୪୨୦, ୪୬୮, ୪୭୧ ଏବଂ ଆଇଟି ଆକ୍ଟର ୨୦୦୦ର ଦଫା ୬୬ସି/୬୬-ଡି’ରେ ଏକ ମାମଲା(କେସ୍‌ ନଂ ୧୩) ରୁଜୁ କରିଥିଲା। ଘଟଣାର ତଦନ୍ତ ସମୟରେ ଅର୍ଥ କାରବାର ହୋଇଥିବା ଦିଲ୍ଲୀର ଉକ୍ତ ବ୍ୟାଙ୍କ ଜମା ଖାତା ମାଧ୍ୟମରେ ସାଇବର୍‌ ଥାନାର ଇନ୍‌ସ୍ପେକ୍ଟର ନରେନ୍ଦ୍ର କୁମାର ମାହୁନ୍ତ ଦିଲ୍ଲୀରେ ପହଞ୍ଚିଥିଲେ। ଗତ ୨୭ ତାରିଖରେ ସାଇବର୍‌ ଥାନା ପୁଲିସ ଦିଲ୍ଲୀରେ ଟଙ୍କା ଠକିଥିବା କ୍ରୀଷ୍ଣା ରାଠୋଡ୍‌ ସମ୍ପର୍କରେ ସୂଚନା ପାଇ ତାକୁ ପ୍ରଥମେ ଗିରଫ କରିଥିଲେ। ବୀମା ଟଙ୍କା ଦୁଇ ଗୁଣ କରି ଟଙ୍କା ଠକିବା କାରବାର୍‌ରେ କ୍ରୀଷ୍ଣାର ଅନ୍ୟ ୪ ସହଯୋଗୀ ଥିବା ସାଇବର୍‌ ପୁଲିସ ଜାଣିବାକୁ ପାଇଛି। କିନ୍ତୁ ସେମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇପାରିନାହିଁ । ଗତ ୨୮ ତାରିଖରେ କ୍ରୀଷ୍ଣାକୁ କାର୍‌କାରଡୁମା କୋର୍ଟରେ ହାଜର କରାଯାଇ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଓଡ଼ିଶା ଅଣାଯାଇଥିଲା। ଆଜି କଟକ କ୍ରାଇମ୍‌ବ୍ରାଞ୍ଚ କାର୍ଯ୍ୟାଳୟରେ କ୍ରୀଷ୍ଣା ପହଞ୍ଚିବା ପରେ ତାକୁ ଜେରା କରାଯାଉଛି। ତେବେ ଏହି ସାଇବର୍‌ ଅପରାଧୀ ଗ୍ୟାଙ୍ଗ୍‌ ଅନୁରୂପ ଭାବେ ଦେଶର ବିଭିନ୍ନ ସ୍ଥାନରୁ କୋଟି କୋଟି ଟଙ୍କା ଠକେଇ କରିଥିବା ଜଣାପଡ଼ିଛି। ସେମାନଙ୍କ ବିରୋଧରେ ଏକାଧିକ ମାମଲା ମଧ୍ୟ ବିଭିନ୍ନ ଥାନାରେ ରୁଜୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଆସନ୍ତାକାଲି କ୍ରୀଷ୍ଣାକୁ ବଲାଙ୍ଗୀର ଜିଲ୍ଲା ଲୋଇସିଙ୍ଘାରେ ଥିବା ଜେଏମ୍‌ଏଫ୍‌ସିଙ୍କ କୋର୍ଟରେ ହାଜର କରାଯିବ ବୋଲି କ୍ରାଇମ୍‌ବ୍ରାଞ୍ଚ ଏସ୍‌ପି ରାଧାବିନୋଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର