ହଜିଗଲା ମାଟ୍ରିକ ଖାତା, କର୍ମଚାରୀ ନିଲମ୍ବିତ

ଖାତା ମୂଲ୍ୟାୟନ ୨୦ରୁ, ବିଜ୍ଞାନରେ ୩୪୧ଏମ୍‌ପି, ପୁଣି ପ୍ରଶ୍ନପତ୍ର ଭାଇରାଲ୍‌

କଟକ: ଛାତ୍ରଛାତ୍ରୀଙ୍କ ମାଟ୍ରିକ ପରୀକ୍ଷା ଖାତା କେନ୍ଦ୍ରାପଡ଼ାର ଏକ ନୋଡାଲ ସେଣ୍ଟରରୁ ବାରିପଦା ଯାଉଥିବା ବେଳେ ଅଧାରାସ୍ତାରେ ଖାତା ପ୍ୟାକେଟ୍‌ ଗାଡ଼ିରୁ ଖସି ପଡ଼ିବା ଭଳି ଅଭାବନୀୟ ଘଟଣା ଘଟିଛି। ଆନନ୍ଦପୁର ନିକଟରେ ଜଣେ ପାନ ଦୋକାନୀ ଏହାକୁ ପାଇ ଏହାକୁ ଗଣଶିକ୍ଷା ମନ୍ତ୍ରୀଙ୍କ ଜିମା ଦେଇଛନ୍ତି। ଖାତା ହଜିବା ଘଟଣାକୁ ନେଇ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିରଂଜନ ନାୟକଙ୍କୁ ବୋର୍ଡ କର୍ତ୍ତୃପକ୍ଷ ନିଲମ୍ବିତ କରିଛନ୍ତି। ଏହି ଘଟଣାକୁ ନେଇ ଛାତ୍ରଛାତ୍ରୀ ତଥା ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଅନ୍ୟପଟେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ୨୦ତାରିଖରୁ ମାଟ୍ରିକ୍‌ ଖାତା ଦେଖା ଆରମ୍ଭ ହେବ। ଏବର୍ଷ ମାଟ୍ରିକ ସହିତ ରାଜ୍ୟ ମୁକ୍ତ ବିଦ୍ୟାଳୟ(ଓପନ୍‌ ସ୍କୁଲ) ଓ ସଂସ୍କୃତ ମଧ୍ୟମା ପରୀକ୍ଷା ଖାତା ଏକକାଳୀନ ମୂଲ୍ୟାୟନ କରାଯିବାକୁ ବୋର୍ଡ ପକ୍ଷରୁ ବ୍ୟବସ୍ଥା ହୋଇଛି। ବୋର୍ଡ ପକ୍ଷରୁ ୫୭ଟି ମୂଲ୍ୟାୟନ କେନ୍ଦ୍ର ସ୍ଥିର ହୋଇଥିବା ବେଳେ ମୂଲ୍ୟାୟନ ପାଇଁ ମୋଟ ୧୩,୨୮୦ଜଣ ପରୀକ୍ଷକ ନିଯୁକ୍ତି ପାଇଛନ୍ତି। ମାଟ୍ରିକ୍‌ ଖାତାକୁ ୧୨ଦିନ, ମୁକ୍ତ ବିଦ୍ୟାଳୟ ଖାତାକୁ ୭ଦିନ ଓ ମଧ୍ୟମା ଖାତାକୁ ୧୦ଦିନ ମଧ୍ୟରେ ଶେଷ କରିବାକୁ ସମୟ ସୀମା ଧାର୍ଯ୍ୟ ହୋଇଛି।

ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ନିୟୋଜିତ ମୁଖ୍ୟ ପରୀକ୍ଷକ, ଡେପୁଟି ପରୀକ୍ଷକ ଓ ପରୀକ୍ଷକଙ୍କ ନିଯୁକ୍ତିପତ୍ର ସ୍କୁଲଓ୍ଵାରୀ େଓ୍ଵବ୍‌ସାଇଟ୍‌ରେ ଛଡ଼ାଯାଇଛି। ସଂପୃକ୍ତ ସ୍କୁଲର ପ୍ରଧାନଶିକ୍ଷକମାନେ ନିଜ ସ୍କୁଲ କୋଡ୍‌ ଓ ପାସ୍‌ ଓ୍ଵାର୍ଡ ବ୍ୟବହାର କରି ମୂଲ୍ୟାୟନ କାର୍ଯ୍ୟ ପାଇଁ ଚୟନ ହୋଇଥିବା ଶିକ୍ଷକମାନଙ୍କ ନିଯୁକ୍ତିପତ୍ର ଡାଉନ୍‌ଲୋଡ୍‌ କରି ସେମାନଙ୍କୁ ପ୍ରଦାନ କରିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପରୀକ୍ଷକମାନେ ଆସନ୍ତା ୧୯ତାରିଖ ସକାଳ ୧୦ଟାରେ ମୂଲ୍ୟାୟନ କେନ୍ଦ୍ରରେ ଯୋଗଦେବେ। ସେହିଦିନ ଅପରାହ୍‌ଣ ୩ଟାରେ ଜିଲ୍ଲା ଶିକ୍ଷାଧିକାରୀମାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପରୀକ୍ଷକଙ୍କ ସମେତ କ୍ୟାମ୍ପ୍‌ ଅଫିସର, କ୍ୟାମ୍ପ ସୁପରଭାଇଜରମାନେ ଉପସ୍ଥିତ ରହି ଆଲୋଚନା କରିବାକୁ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଯଦି କୌଣସି କେନ୍ଦ୍ରରେ କେହି ପରୀକ୍ଷକ ଅନୁପସ୍ଥିତ ରହିବେ, ତେବେ ଡିଇଓମାନେ ତୁରନ୍ତ ବିକଳ୍ପ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୨୦ ତାରିଖ ସକାଳ ୯.୩୦ ମିନିଟ୍‌ରୁ ମୂଲ୍ୟାୟନ ଆରମ୍ଭ ହେବାକୁ ଚୂଡ଼ାନ୍ତ ହୋଇଛି। ଗତବର୍ଷ ଭଳି ଏବର୍ଷ ମୂଲ୍ୟାୟନ କେନ୍ଦ୍ରରୁ ସିଧାସଳଖ ଅନ୍‌ଲାଇନ୍‌ରେ ମାର୍କ ପୋଷ୍ଟିଂ କରାଯିବ। ମୂଲ୍ୟାୟନ ପାଇଁ ନିଯୁକ୍ତି ପାଇଥିବା ଡାଟା ଏଣ୍ଟି୍ର ଅପରେଟରମାନେ ୨୦ ତାରିଖ ସକାଳ ୧୦ଟାରେ ମୂଲ୍ୟାୟନ କେନ୍ଦ୍ରରେ ଯୋଗଦେବେ। ଏହା ମଧ୍ୟରେ ନୋଡାଲ୍‌ ସେଣ୍ଟରରୁ ପ୍ରଥମ ପର୍ଯ୍ୟାୟରେ ହୋଇଥିବା ତିନିଟିଯାକ ଭାଷା ପେପର ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚିଯାଇଥିବା ବେଳେ ଅବଶିଷ୍ଟ ତିନିଟି ପେପର ଆସନ୍ତା ୯ତାରିଖ ପରେ ମୂଲ୍ୟାୟନ କେନ୍ଦ୍ରକୁ ଯିବ ବୋଲି ସୂଚନା ମିଳିଛି। ମଙ୍ଗଳବାର ଅନୁଷ୍ଠିତ ସାଧାରଣ ବିଜ୍ଞାନ ପରୀକ୍ଷାରେ କପି କରୁଥିବା ଅଭିଯୋଗରେ ମୋଟ ୪୩୧ ଜଣ ପରୀକ୍ଷାର୍ଥୀଙ୍କୁ ମାଲ୍‌ପ୍ରାକ୍ଟିସ୍‌(ଏମ୍‌ପି) କରାଯାଇଛି। ସେହିପରି ଆଜି ସାଧାରଣ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ର କେନ୍ଦୁଝର ଜିଲ୍ଲା ଘଷିପୁରା ପରୀକ୍ଷାକେନ୍ଦ୍ରରେ ଭାଇରାଲ୍‌ ହୋଇଥିବା ଅଭିଯୋଗ ହୋଇଛି। ପରୀକ୍ଷା ଚାଲିଥିବା ବେଳେ ସୋସିଆଲ୍‌ ମିଡିଆରେ ବିଜ୍ଞାନ ପ୍ରଶ୍ନପତ୍ର ଛଡାଯାଇଥିଲା। କିନ୍ତୁ ବୋର୍ଡ କର୍ତ୍ତୃପକ୍ଷ ଏହାକୁ ଖଣ୍ଡନ କରିବା ସହିତ ପରୀକ୍ଷା ପରେ କିଛି ଦୁବୃର୍ତ୍ତ ପ୍ରଶ୍ନପତ୍ର ସୋସିଆଲ୍‌ ମିଡିଆରେ ଛାଡି ବିଭ୍ରାଟ ସୃଷ୍ଟି କରୁଥିବା ପ୍ରକାଶ କରିଛନ୍ତି। ରାଜଧାନୀରେ ମନ୍ତ୍ରୀ ମଧ୍ୟ ଏହାକୁ ଅସ୍ୱୀକାର କରିଛନ୍ତି ।

ସମ୍ବନ୍ଧିତ ଖବର