ଅଫିସର୍‌ଙ୍କୁ ମେୟର୍‌ଙ୍କ ତାଗିଦ୍‌: ଅଫିସ୍‌ରେ ନୁହେଁ, କାର୍ଯ୍ୟକ୍ଷେତ୍ରରେ ପହଞ୍ଚି ସମୀକ୍ଷା କର

କଟକ: ସମ୍ଭାବ୍ୟ ବର୍ଷା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ମେୟର ସୁବାସ ସିଂହ କଟକ ସହରର ଜଳ ନିଷ୍କାସନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। କିନ୍ତୁ ଆଜିର ସମୀକ୍ଷା ସମୟରେ ମେୟର ଶ୍ରୀ ସିଂହ ସିଏମସିର ଅଧିକାରୀ ମାନଙ୍କୁ ତାଗିଦ୍ କରିଛନ୍ତି। ଅଫିସ୍‌ର ଚାରି କାନ୍ଥ ଭିତରେ ବସି ସମୀକ୍ଷା ନକରି, ଅନ ସ୍ପଟ୍‌ ବା ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିବାକୁ ସେ ଅଧିକାରୀ, ଯନ୍ତ୍ରୀ, କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି। ଏହାଛଡ଼ା ଗଳିକନ୍ଦିର ସହର କଟକର ବାସ୍ତବ ଚିତ୍ର ଦେଖିବାକୁ ହେଲେ ଚାରି ଚକିଆ ଗାଡ଼ି ଛାଡ଼ି ବାଇକ୍‌ରେ ବୁଲିବାକୁ ଆହ୍ବାନ ଦେଇଛନ୍ତି। ଆଜି ମେୟର ଶ୍ରୀ ସିଂହ କମିସନର ଅନନ୍ୟା ଦାସଙ୍କ ସହିତ ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି ସ୍ଥିତିର ସମୀକ୍ଷା କରିଛନ୍ତି। ମେୟର ଶ୍ରୀ ସିଂହ ଓ ଅନ୍ୟ ପଦାଧିକାରୀମାନେ ମାତୃ ଭବନ, ବଜ୍ରକବାଟୀ ବକ୍ସ ଡ୍ରେନ୍‌, ତୁଳସୀପୁର ପମ୍ପ ହାଉସ୍ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ମାତୃଭବନ ନିକଟରେ ଥିବା ଏମଏସଡବ୍ଲୁ-୧ର ପଙ୍କୋଦ୍ଧାର କାର୍ଯ୍ୟକୁ ତଦାରଖ କରିବା ପାଇଁ ସେଠାରେ ପହଞ୍ଚିଥିଲେ। କଟକର ଜଳ ନିଷ୍କାସନର ମୁଖ୍ୟପଥ ମାତୃଭବନ ନିକଟରେ ମେୟର ପହଞ୍ଚି ଜଳ ନିଷ୍କାସନର ମାଧ୍ୟମକୁ ଯାଞ୍ଚ୍ କରିଥିଲେ।

ସେଠାରୁ ମେୟର ସମସ୍ତ ଅଧିକାରୀଙ୍କ ସହିତ ଯାଇ ବଜ୍ରକବାଟୀ ପୋଲଠାରୁ ଜାଇକା ଦ୍ବାରା ନିର୍ମିତ ବକ୍ସ ଡ୍ରେନ୍ ପାଖରେ ପହଞ୍ଚି ଜଳ ନିଷ୍କାସନ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ତୂଳସୀପୁର ୮ ନଂ ୱାର୍ଡରେ ଥିବା ପମ୍ପ ହାଉସକୁ ଯାଇ ନଦୀକୁ ହେଉଥିବା ନିଷ୍କାସନ ଠିକ୍ ଭାବେ ହେଉଛି କି ନାହିଁ ତାହା ଅନୁଧ୍ୟାନ କରିଥିଲେ। ମେୟରଙ୍କ ସହିତ ସିଏମସି କମିସନର ଅନନ୍ୟା ଦାସ, ଡେପୁଟି ମେୟର ଦମୟନ୍ତୀ ମାଝି, ଜାଇକା ପ୍ରକଳ୍ପ ନିର୍ଦ୍ଦେଶକ, ସ୍ବାସ୍ଥ୍ୟ ଅଧିକାରୀ, କର୍ପୋରେଟର ଯତୀନ କୁମାର ବେହେରା, ଗୋପାଳ ବେହେରା, ପୂର୍ବତନ କର୍ପୋରେଟର ରଂଜନ ବିଶ୍ବାଳ, କର୍ପୋରେଟର ଚନନ୍ଦ ଜେନା, ନମିତା ବାରିକ, ବିକାଶ ରଂଜନ ବେହେରା, ଲିଜାରାଣୀ ରାଉତ, ଲକ୍ଷ୍ମୀପ୍ରିୟା ବହେରା, ରାଜୀବ ମହାନ୍ତି, ଜଗନ୍ନାଥ ସ୍ବାଇଁ, ଜଗନ୍ନାଥ ସାହୁ, କାଳିଚରଣ ପାଣିଗ୍ରାହୀ, ଜନ ଆଶିଷ ବରାଳ, ରମଜାନ ଖାଁ, ‌ସେକ୍ ରିବାଜୁଲା, ପ୍ରଦୀପ ବାରିକ ପ୍ରମୁଖ ଏହି ସମୀକ୍ଷା ବେ‌ଳେ ଊପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର