କଟକ: ପହିଲି ରଜ ପଡ଼ିଲା ବୁଧବାର। ଆମିଷ ବାରରେ ପହିଲି ରଜ ପଡ଼ିଥିବା ବେଳେ ଲୋକ ଖାସି ମାଂସ ପାଇଁ ଦୋକାନରେ ​ଭିଡ଼ ଜମାଇ ଠେଲାପେଲା ହୋଇଥିଲେ। କଟକରେ ଆଜି ଦିନକରେ ଗୋଟିଏ ଟନରୁ ଅଧିକ ମଟନ ବିକ୍ରି ହୋଇଥିବା କୁହାଯାଉଛି। ଅନ୍ୟ ସାଧାରଣ ଦିନ ମାନଙ୍କରେ ମଟନ ହାରାହାରି ୫୦ କୁଇଣ୍ଟାଲ୍ ବିକ୍ରି ହୁଏ। ଏଭଳି ଚାହିଦା ବଢ଼ିବାରୁ ମଟନ୍ ଭଲ ଦେବାକୁ କହି କେତେକ ସ୍ଥାନରେ କେଜି ପିଛା ୧୦୦ ଟଙ୍କା ଦର ବଢାଇ ଦେଇଥିବା ସୂଚନା ମିଳିଛି। ସେହିଭଳି ଚିକେନ୍ ବି କେଜି ପିଛା ୫୦ ଟଙ୍କା ଯାଏ ବୃଦ୍ଧି ଘଟିଛି। ମଟନ୍ ଓ ଚିକେନର ମୂଲ୍ୟ ଏଭଳି ବୃଦ୍ଧି ପାଇଥିବା ବେଳେ ମାଛ ଓ ଚିଙ୍ଗୁଡ଼ି ମୂଲ୍ୟରେ କିନ୍ତୁ ହ୍ରାସ ଘଟିଛି। ମାଛ ମଣ୍ଡି ଫାଙ୍କା ପଡ଼ିଥିବା ବେଳେ ୧୦ ଟନ୍ ମାଛ ବଳି ପଡିଥିବା କୁହାଯାଉଛି।
ମଧୁପାଟଣା ମାଛ ଗୋଦାମରେ ଆମିଷ ବାରିରେ ସାଧାରଣତଃ ଆନ୍ଧ୍ର ମାଛ ୪୦ ଟନ୍ ବିକ୍ରି ହୁଏ। କିନ୍ତୁ ଆଜି ଏହା ୩୦ ଟନକୁ ହ୍ରାସ ପାଇଛି। ଗୋଦାମରେ ମାଛ ବିକ୍ରି ଭଲ ନହେବାରୁ କେଜି ପିଛା ହୋଲସେଲ୍ ମୂଲ୍ୟରେ ୫ ଟଙ୍କା ହ୍ରାସ ପାଇଛି। ୧୩୫ ଟଙ୍କାରେ ଆଜି ମାଛ ବିକ୍ରି ହୋଇଛି। ଖୋଲା ବଜାରରେ ୧୬୦ ଟଙ୍କା ବିକ୍ରି ହେଉଥିବା ବେଳେ ଦର ୧୫୦ ଟଙ୍କାକୁ ଖସିଛି। ସେହିଭଳି ମଧୁପାଟଣା ମାଛ ଗୋଦାମକୁ ଚିଙ୍ଗୁଡ଼ି ଦୈନିକ ୪ କୁଇଣ୍ଟାଲ ଆସିଥାଏ। ଏରସମା, ଜଗତସିଂହପୁର, ପୁରୀ, ବାଲୁଗାଁ, ବାଲେଶ୍ବରରୁ ଏହି ଚିଙ୍ଗୁଡ଼ି ଆମଦାନୀ ହେଉଛି। କିନ୍ତୁ ଆଜି ୨ କୁଇଣ୍ଟାଲ୍ ଚିଙ୍ଗୁଡ଼ି ବିକ୍ରି ହୋଇଛି। ଚିଙ୍ଗୁଡ଼ିର ହୋଲସେଲ୍ ମୂଲ୍ୟ ଆକାରକୁ ନେଇ ୨୨୦, ୨୩୦, ୨୫୦, ୩୦୦, ୩୫୦, ୪୦୦ ଟଙ୍କା ଯାଏ ବିକ୍ରି ହେଉଛି। ପ୍ରତ୍ୟେକ ଚିଙ୍ଗୁଡ଼ିର କେଜି ପିଛା ଦର ୨୦ ଟଙ୍କା ଲେଖାଏ ହ୍ରାସ ଘଟିଛି। ମଧୁପାଟଣା ମାଛ ହୋଲସେଲ୍ ମଣ୍ଡିରୁ କଟକ ସହର ସମେତ କଟକ ଗ୍ରାମାଞ୍ଚଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାକୁ ମାଛ, କଙ୍କଡ଼ା, ଚିଙ୍ଗୁଡ଼ି ଇତ୍ୟାଦି ଚାଲାଣ ହୋଇଥାଏ। କିନ୍ତୁ ଆଜି ସେଭଳି ଚାହିଦା ଦେଖିବାକୁ ମିଳି ନଥିଲା।

Advertisment

ଏହି ମଣ୍ଡିରେ ଥିବା ୫୦ ଗୋଦାମର ମାଲିକ ପହିଲି ରଜରେ ଏଭଳି ପ୍ରଭାବିତ ହୋଇଛନ୍ତି। ମାଛ ଗୋଦାମର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ସାହୁ କହିଛନ୍ତି ଯେ ମାଂସ ଉପରେ ଅଧିକ ଚାହିଦା ଥିବାରୁ ବୁଧବାର ମାଛ ଓ ଚିଙ୍ଗୁଡ଼ି ବିକ୍ରି ମାନ୍ଦା ପଡ଼ିଛି। ମାଛ ଓ ଚିଙ୍ଗୁଡ଼ି ଭଳି ଆମିଷ ଗଚ୍ଛିତ ହୋଇ ଅଧିକ ସମୟ ରହିବାରେ ସମସ୍ୟା ଥିବାରୁ ମୂଲ୍ୟ ହ୍ରାସ ଘଟିଥିବା ଶ୍ରୀ ସାହୁ ସୂଚନା ଦେଇଛନ୍ତି। କଟକ ସହରରେ ବକ୍ସିବଜାର, ସେମିନାରୀ ଛକ, ନୂଆବଜାର, ଖାନନଗର, ମହାନଦୀ ବିହାର, ଚାଉଳିଆଗଞ୍ଜ କଂସେଇ ଖାନା, ଚାଉଳିଆଦଞ୍ଜ ନାଳ କୂଳ, ଛତ୍ରବଜାର, ଓଏମପି, ଯୋବ୍ରା ଇତ୍ୟାଦି ଅଞ୍ଚଳରେ ୮୦୦ରୁ ଅଧିକ ମାଂସ ଦୋକାନ ରହିଛି। ଦୈନିକ ହାରାହାରି ୫୦ କୁଇଣ୍ଟାଲ୍ ମାଂସ ସହରରେ ବିକ୍ରି ହେଉଥିବା ବେଳେ ବୁଧବାର ଦୁଇ ଦିନ ବିକ୍ରି ହୋଇଛି। ଗ୍ରାହକଙ୍କ ଚାହିଦା ବଢ଼ିଯିବାରୁ ମୂଲ୍ୟ ୭୦୦ରୁ ୮୦୦କୁ ଛୁଇଁଛି। ଚିକେନ୍ ସାଧାରଣତଃ ୨୨୦ ଟଙ୍କା କେଜି ପିଛା ମୂଲ୍ୟରେ ବିକ୍ରି ହୁଏ। ଆଜି ୨୬୦ ଟଙ୍କା ଯାଏ ମୂଲ୍ୟ ଯାଇଛି। ବୁଚର୍ସ ପଏଣ୍ଟର ମାଲିକ ସି.ଏଚ ରାମାରାଓଙ୍କ କହିବା ଅନୁଯାୟୀ, ମଟନ୍ ଆଜି କିଲୋ ୭୫୦ ଟଙ୍କାରେ ବିକ୍ରି ହୋଇଛି। ସାଧାରଣତଃ ଆମିଷ ବାରିରେ ୪୦ରୁ ୫୦ କେଜି ଯାଏ ମଟନ୍ ବିକ୍ରି ହୁଏ। କିନ୍ତୁ ଆଜି ଗୋଟିଏ କୁଇଣ୍ଟାଲ୍ ମଟନ ବିକ୍ରି ହୋଇଛି। ଚିକେନ୍ ସେହିଭଳି କିଲୋ ୨୪୦ ଟଙ୍କାରେ ବିକ୍ରି ହୋଇଛି। ଆଜିର ବଜାର ମୂଲ୍ୟଠାରୁ ଆମର ୩୦ ଟଙ୍କା କମ୍ ରହିଥିବା ଶ୍ରୀ ରାମାରାଓ କହିଛନ୍ତି।