ରିମାଣ୍ଡ୍‌ ଅବଧି ଶେଷ, ଜେଲ୍‌ ଗଲେ ଦୁଇ ଡାକ୍ତର

ଔଷଧ କଂପାନିକୁ ଅହେତୁକ ଅନୁକଂପା ମାମଲା

କଟକ : ଦୁଇ ଦିନିଆ ରିମାଣ୍ଡ୍‌ ଅବଧି ସରିବା ପରେ ଏସ୍‌ସିବି ମେଡିକାଲ କଲେଜର କ୍ଲିନିକାଲ ହେମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ରବୀନ୍ଦ୍ର କୁମାର ଜେନା ଓ ବିଭାଗର ସହକାରୀ ପ୍ରଫେସର ତଥା ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି(ଓଏସ୍‌ଟିଏଫ୍‌)ର ନୋଡାଲ ଅଫିସର ଡାକ୍ତର ସୁଧା ସେଠୀଙ୍କୁ ଆଜି ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯାଇଛି। ଉଭୟଙ୍କୁ ଚୌଦ୍ୱାର ଜେଲ ହାଜତକୁ ପଠାଇ ଦିଆଯାଇଛି। ଆସନ୍ତା ୨୦୧୮, ଜାନୁଆରି ୫ ତାରିଖରେ ଉଭୟଙ୍କୁ ପୁଣି ଅଦାଲତରେ ହାଜର କରାଯିବ। ଏଥି ସହିତ ଜାନୁଆରି ୫ରେ ଡାକ୍ତର ଜେନାଙ୍କ ଜାମିନ ଆବେଦନର ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ସେଦିନ ତଦନ୍ତର ସାନି ସ୍ଥିତି ସଂପର୍କରେ ତଥ୍ୟ ଓ କେସ୍‌ ଡାଏରି ଦାଖଲ କରିବ ଭିଜିଲାନ୍ସ।

ଦୁଇ ଦିନିଆ ଜେରା ସମୟରେ ଭିଜିଲାନ୍ସ ଉଦ୍ଦେଶ୍ୟମୂଳକ ଭାବେ ଔଷଧ କମ୍ପାନିକୁ ସୁହାଇଲା ଭଳି ପଦକ୍ଷେପ ନେଇ ରାଜ୍ୟ ରାଜକୋଷକୁ କ୍ଷତି ପହଞ୍ଚାଇବା ଏବଂ ଏଥିପାଇଁ ଅପରାଧିକ ଷଡଯନ୍ତ୍ର କରିବା ଭଳି ଅଭିଯୋଗ ସଂପର୍କରେ ଉଭୟଙ୍କୁ ପଚରାଉଚୁରା କରିଥିଲା। ଔଷଧର ଜେନେରିକ୍‌ ନାମ ନଲେଖି ନିର୍ଦ୍ଦିଷ୍ଟ ଏକ କଂପାନିର ଔଷଧ ଲେଖି ସଂପୃକ୍ତ ଘରୋଇ କଂପାନିକୁ ଅହେତୁକ ଅନୁକଂପା ପ୍ରଦର୍ଶନ କରିବା ପ୍ରସଂଗରେ ମଧ୍ୟ ସେମାନଙ୍କୁ ଜେରା କରାଯାଇଥିଲା। ଡାକ୍ତର ଜେନାଙ୍କ ବିଦେଶ ଗସ୍ତ ପ୍ରସଂଗରେ ମଧ୍ୟ ପଚରାଉଚୁରା କରାଯାଇଥିବା ସୂଚନା ମିଳିଛି। ସମସ୍ତ ଘଟଣାରେ ଘରୋଇ ଔଷଧ କଂପାନିର ସଂପୃକ୍ତି ନେଇ ଜେରା ସମୟରେ ବହୁ ତଥ୍ୟ ମିଳିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର