ପୌର ନିଗମ ପକ୍ଷରୁ ରଥଯାତ୍ରା ପ୍ରସ୍ତୁତି ବୈଠକ
ମହିଳା କର୍ପୋରେଟର୍ଙ୍କୁ ତାଗିଦ୍ କରିବାକୁ ନେଇ ଅସନ୍ତୋଷ
କଟକ: ପୌର ନିଗମ ପକ୍ଷରୁ ଚଳିତବର୍ଷ ରଥଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ମେୟର୍ ସୁବାସ ସିଂହଙ୍କ ଅଧ୍ୟକ୍ଷତାରେ ବିଜୁ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ସାଢ଼େ ୪ଟାରେ ଆୟୋଜିତ ବୈଠକରେ ଆସନ୍ତା ମାସ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ପାଇଁ ବିଭିନ୍ନ ପ୍ରସ୍ତୁତି ଉପରେ ଆଲୋଚନା କରାଯାଇଛି। ସହରର ୩ଟି ପ୍ରମୁଖ ରଥ; ଦୋଳମୁଣ୍ଡାଇ, ଚାନ୍ଦିନୀଚୌକ ଓ ରାଣୀହାଟ ରଥ ସହ ମାନସିଂହପାଟାଣା, ଯୋବ୍ରା, ମହାନଦୀବିହାର ପରି ବିଭିନ୍ନ ଅଞ୍ଚଳର ରଥଯାତ୍ରା ଯେପରି ସୁରୁଖୁରରେ ହୋଇ ପାରିବ ଏହା ଉପର ବିଭିନ୍ନ ରଥଯାତ୍ରା କମିଟି, ପୂଜା କମିଟି, ସାହି ମୁରବିଙ୍କ ସହିତ କର୍ପୋରେଟର୍ଙ୍କ ଆଲୋଚନା ହୋଇଥିଲା।
ବିଶେଷ ଭାବେ ସହରର ଯେଉଁ ସ୍ଥାନରେ ରଥ ଚାଲିବ ଉକ୍ତ ରାସ୍ତାରୁ କେବୁଲ୍ ଓ ବିଦ୍ୟୁତ୍ ତାର ଉଠାଇବା, ରାସ୍ତାପାର୍ଶ୍ବରୁ ଗଛ ଡାଳ କାଟିବା, ଜାଇକା ଓ ପାଣି ପାଇପ୍ ବିଛାଇବା ପାଇଁ ରାସ୍ତା ଖୋଲା କାମ ବନ୍ଦ କରିବା, ଖୋଳାଯାଇଥିବା ରାସ୍ତାକୁ ମରାମତି କରିବା, ରଥ ଟାଣୁଥିବା ଭକ୍ତଙ୍କ ପାଇଁ ରାସ୍ତାରେ ପାଣି ପକାଇବା, ଟ୍ରାଫିକ୍ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା, ପିଇବା ପାଣି ଯୋଗାଇବାର ବ୍ୟବସ୍ଥା କରିବା ନେଇ ସଭାରେ ଆଲୋଚନା ହୋଇଥିଲା। ବୈଠକରେ କଟକ ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ରନାଥ ସାହୁ, ସମ୍ମାନିତ ଅତିଥି ଭାବେ ସଂପାଦକ ଭିକାରି ଦାସଙ୍କ ସମେତ ଯୋବ୍ରାର ଅମ୍ବିକା ସାମଲ, ମହାନଦୀବିହାରର ସଂଜୟ ସାହାଣୀ, ପିଠାପୁରର ସନ୍ତୋଷ କୁମାର ରାଉତ, କର୍ପୋରେଟର୍ ଝିଲି ବିହାରୀ, ସ୍ବର୍ଣ୍ଣପ୍ରଭା ପଶାୟତ ପ୍ରମୁଖ ରଥଯାତ୍ରା ଆୟୋଜନ ବ୍ୟବସ୍ଥା ଉପରେ ମତବ୍ୟକ୍ତ ରଖିଥିଲେ। ଏଥିରେ କମିସନର୍ ନିଖିଲ ପୱନ୍ କଲ୍ୟାଣଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ତେବେ ସଭାରେ ନିଗମର ୮ନମ୍ବର ୱାର୍ଡ କର୍ପୋରେଟର୍ ନମିତା ବାରିକ ତାଙ୍କ ୱାର୍ଡର ରଥଯାତ୍ରା ପାଇଁ ଗତ ୧୯ ତାରିଖ କାଳବୈଶାଖୀରେ ଭାଙ୍ଗି ଯାଇଥିବା ଗଛ କାଟିବାକୁ କହିଥିଲେ। ମାତ୍ର ମେୟର୍ ଓ କମିସନର୍ ତାଙ୍କୁ ସଭାରେ ନିରବ ରହିବାକୁ ତାଗିଦ୍ କରିଥିଲେ। ଜଣେ ମହିଳା ଜନପ୍ରତିନିଧିଙ୍କ ପ୍ରତି କର୍ତ୍ତୃପକ୍ଷଙ୍କ ଏପରି ବ୍ୟବହାରକୁ ନେଇ ସଭାରେ ଉପସ୍ଥିତ ଥିବା ସହରର ମୁରବି ଓ କର୍ପୋରେଟର୍ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା।