ମଶା ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବୈଠକ : ଭୋର୍‌ ୪ରୁ ଉଠି ସଫେଇ ତଦାରଖ ପାଇଁ ତ୍ରିଲୋଚନ କାନୁନ୍‌ଗୋଙ୍କ ପରାମର୍ଶ

କଟକ: କଟକରେ ମଶା ନିୟନ୍ତ୍ରଣ ପାଇଁ ଆଜି ଏକ ସ୍ବତନ୍ତ୍ର ‌ବୈଠକ ଅନୁଷ୍ଠିତ ହୋଇଛି। ମେୟର ସୁବାସ ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କଟକ ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷ ତ୍ରିଲୋଚନ କାନୁନ୍‌ଗୋ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମଶା ନିୟନ୍ତ୍ରଣ ପାଇଁ ସିଏମ୍‌ସିର ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ ସାଧୁତା ତଥା ନିଷ୍ଠାର ସହ କାମ କରିବାକୁ ଆହ୍ବାନ ଦେଇଛନ୍ତି। କଟକରେ ମଶା ନିୟନ୍ତ୍ରଣ ହୋଇପାରିଲେ ଏହା ନିଗମର ଅଧିକାରୀ ଓ କର୍ମଚାରୀଙ୍କ ବଡ଼ ସଫଳତା ହେବ ବୋଲି ମେୟର କହିଛନ୍ତି। ବୈଠକରେ ମଶା ନିୟନ୍ତ୍ରଣ ପାଇଁ ସିଏମ୍‌ସି‌ରେ ନିଆଯାଉଥିବା ବିଭିନ୍ନ ଯୋଜନା ଉପରେ ଆଲୋଚନା କରାଯିବା ସହ ଆସନ୍ତା ଦିନରେ ସମସ୍ତ ଆବଶ୍ୟକତା ପୂରଣ କରିବା ଦିଗରେ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଛି। ନିଗମରେ ମଶା ଉପରେ ବୈଷିୟକ ଜ୍ଞାନ ଥିବା କର୍ମଚାରୀଙ୍କ ପଦବି ପୂରଣ ସହ ଅଧିକ ସଂଖ୍ୟାରେ ବରିଷ୍ଠ ସହାୟକଙ୍କ ନିଯୁକ୍ତି କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ରଖାଯିବ। ‌ସେହିପରି ମଶା ନିୟନ୍ତ୍ରଣ ପାଇଁ ବ୍ୟବହାର ହେଉଥିବା ମଶା ତେଲକୁ ଯଥେଷ୍ଟ ପରିମାଣର ସିଏମ୍‌ସିକୁ ଦେବାକୁ ସରକାରଙ୍କୁ ପତ୍ର ଲେଖାଯିବ ବୋଲି ମେୟର ଶ୍ରୀ ସିଂହ କହିଛନ୍ତି। ମଶା ନିୟନ୍ତ୍ରଣ ପାଇଁ ୫୯ଟି ୱାର୍ଡରେ ଅଧିକ ସଂଖ୍ୟାରେ ଟିଫା ମେସିନ ବ୍ୟବହାର କରିବାକୁ ଏଥିରେ ନିଷ୍ପତ୍ତି ନିଆଯାଇଛି। ସହରରେ ମଶା ବଂଶକୁ ନିୟନ୍ତ୍ରଣରେ ରଖିବାକୁ ହେଲେ ଏଥିରେ ନିୟୋଜିତ ଥିବା ଅଧିକାରୀ ଓ କର୍ମଚାରୀ ଭୋର ୪ଟାରୁ ବିଭିନ୍ନ ୱାର୍ଡ ବୁଲି ନର୍ଦ୍ଦମା ଓ ଜଳାଶୟ ସଫେଇ କାମର ତଦାରଖ କରିବାକୁ ହେବ। ସିଏମ୍‌ସି କର୍ତ୍ତୃପକ୍ଷ ସଫେଇ କର୍ମଚାରୀଙ୍କ ସହିତ ହୃଦୟରୁ ସଂପର୍କ ରଖିପାରିଲେ କଟକ ଏକ ମଶା ମୁକ୍ତ ସହରରେ ପରିଣତ ହୋଇ ପାରିବ ବୋଲି ବୈଠକରେ ଶ୍ରୀ କାନୁନ୍‌ଗୋ କହିଥିଲେ। ଏହି ବୈଠକରେ କମିସନର ଅନନ୍ୟା ଦାସ,‌ ଡେପୁଟି ମେୟର ଦମୟନ୍ତୀ ମାଝୀ, ସହର ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର, ସିଟି ଇଂଜିନିୟର ସୁବାରାଓ ପାତ୍ରଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

କାମ ନ କଲେ କଟକ ଛାଡ଼
ମଶା ନିୟନ୍ତ୍ରଣ ପାଇଁ ସିଏମ୍‌ସିରେ ଆୟୋଜିତ ହୋଇଥିବା ବୈଠକରେ ମେୟର ସୁବାସ ସିଂହ କର୍ମଚାରୀଙ୍କ କାମ କରିବାକୁ ନେଇ କଡ଼ା ଆଭିମୁଖ୍ୟ ରଖିଛନ୍ତି। ମଶା ବଂଶ ନିପାତ ପାଇଁ ନିୟୋଜିତ ହୋଇଥିବା ଅଧିକାରୀ ଓ କର୍ମଚାରୀ ଭୋର ୪ରୁ ୱାର୍ଡ ବୁଲି ପରିମଳ ଓ ଡ୍ରେନ ସଫେଇ କାମର ତଦାରଖ କରିବାକୁ କହିଛନ୍ତି। ଯେଉଁମାନେ କାମ କରିବେ ନାହିଁ, ସେମାନେ କଟକ ଛାଡି ଅନ୍ୟତ୍ର ଚାଲି ଯାଅନ୍ତୁ ବୋଲି ମେୟର ଶ୍ରୀ ସିଂହ ଆଜିର ବୈଠକରେ କହିଛନ୍ତି। କଟକବାସୀଙ୍କୁ ମଶା ବଂଶ ନିୟନ୍ତ୍ରଣ ଉପରେ ସିଏମ୍‌ସିର କାମ କଥା କହିବ ବୋଲି ମେୟର ସୁବାସ ସିଂହ ଏଥି‌ରେ ଉପସ୍ଥିତ ଥିବା ନିଗମର ଅଧିକାରୀ ଓ କର୍ମଚାରୀଙ୍କୁ କହିଛନ୍ତି।

ଦୁଇ ମାସରେ କଟକ ମଶା ଶୂନ୍ୟ ହୋଇଥିଲା
୩୨ ବର୍ଷ ତଳେ ବିଟେକ୍ସ ତେଲକୁ ବ୍ୟବହାର କରି ୨ ମାସରେ ସହରରେ ମଶା ନିପାତ କରାଯାଇଥିଲା। ଏବେ କଟକ ସହରର ଜଳବାୟୁକୁ ଦେଖି କେଉଁ ତେଲକୁ ବ୍ୟବହାର କରି ମଶା ଉପରେ ନିୟନ୍ତ୍ରର ରଖାଯାଇ ପାରିବ, ଏହା ଉପରେ ଗବେଷଣା କରାଯାଉ। ଯେଉଁ ତେଲ ଉପଯୁକ୍ତ ହେବ ତାକୁ ନିଗମ ପକ୍ଷରୁ ବ୍ୟବହାର କରିବାକୁ କଟକ ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷ ତ୍ରିଲୋଚନ କାନୁନ୍‌ଗୋ ପରାମର୍ଶ ଦେଇଛନ୍ତି। ଭୋର ୪ଟାରୁ ସିଏମ୍‌ସି ଅଧିକାରୀ ଓ କର୍ମଚାରୀ ବିଭିନ୍ନ ୱାର୍ଡ ବୁଲି ପରିମଳ ଓ ଡ୍ରେନ ସଫେଇ କାମକୁ ତଦାରଖ କରିବାକୁ ଶ୍ରୀ କାନୁନ୍‌ଗୋ ବୈଠକରେ କହିଛନ୍ତି।

 

ମଶା ବଂଶ ନିୟନ୍ତ୍ରଣ ପାଇଁ ସିଏମ୍‌ସିରେ ନାହାନ୍ତି କର୍ମଚାରୀ
ସିଏମ୍‌ସିର ସ୍ବାସ୍ଥ୍ୟ ବିଭାଗରେ ଫାଇଲେରିଆ ଇନ୍ସପେକ୍ଟର ୩ ଓ ଜଣେ ମ୍ୟାଲେରିଆ ‌ଇନ୍ସପେକ୍ଟର ପଦବି ଥିବା ବେଳେ ସବୁ ଗୁଡିକ ଦୀର୍ଘ ଦିନ ଧରି ଖାଲି ରହିଛି। ସେହିପରି ଫାଇଲେରିଆ ସୁପରଭାଇଜର ପାଇଁ ୧୩ଟି ପଦବି ଥିବା ବେଳେ ମାତ୍ର ୨ଜଣ ଅଛନ୍ତି। ମ୍ୟାଲେରିଆ ସୁପରଭାଇଜର ପାଇଁ ୮ଟି ପଦବି ଥିବା ‌ସମୟରେ ଜଣେ ଅଛନ୍ତି। ଇନସେକ୍ଟ କଲେକ୍ଟର ୮ଟି ପଦବିରୁ ୭ଟି ଖାଲି ପଡିଛି। ସିନିୟର ହେଲ୍‌ପର ବା ବରିଷ୍ଠ ସହାୟକଙ୍କ ପଦବି ୮୩ଟି ଥିବା ବେଳେ ୪୧ଟି ପଦବି ଖାଲି ପଡିଛି। ଖାଲି ଥିବା ପଦବି ଗୁଡିକ ତୁରନ୍ତ ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ପତ୍ର ଲେଖାଯିବ ବୋଲି ବୈଠକରେ ସ୍ଥିର ହୋଇଛି।

ଜଳାଶୟ ସଫେଇ ପାଇଁ ସ୍ଥାନୀୟ ଯୁବକଙ୍କ ସହାୟତା ନିଆଯାଉ
ସିଏମ୍‌ସି ଅଞ୍ଚଳରେ ଥିବା ‌ଶହେରୁ ଅଧିକ ‌ଜଳାଶୟକୁ ସଫା କରିବାକୁ ମଶାକୁ ନେଇ ବସିଥିବା ବୈଠକରେ ଆଲୋଚନା କରାଯାଇଛି। ବିଭିନ୍ନ ୱାର୍ଡରେ ଥିବା ସରକାରୀ ଜଳାଶୟକୁ ପ୍ରଥମେ ସଫା କରିବା ସହ ଘରୋଇ ଜଳାଶୟ ଗୁଡିକୁ ମଧ୍ୟ ସଫା କରିବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଏଥିରେ ଯୋଗ ଦେଇଥିବା ବିଭିନ୍ନ ଅଧିକାରୀଙ୍କ ପକ୍ଷରୁ ପ୍ରସ୍ତାବ ରଖାଯାଇଛି। ସହରରେ ଜଳାଶୟ ଚିହ୍ନଟରୁ ଆରମ୍ଭ କରି ଏହାର ସଫେଇ ପର୍ଯ୍ୟନ୍ତ ସବୁ କାମରେ ସାହିବସ୍ତିର ଯୁବକଙ୍କୁ ନିୟୋଜିତ କରିବାକୁ ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷ ତ୍ରିଲୋଚନ କାନୁନ୍‌ଗୋ ପରାମର୍ଶ ଦେଇଛନ୍ତି।

୫ଦିନ ମଧ୍ୟରେ ନିର୍ବାଚନୀ ପୋଷ୍ଟର୍‌ ଓ ବ୍ୟାନର୍‌ ହଟାଇବାକୁ ନିର୍ଦ୍ଦେଶ
ସିଏମ୍‌ସି ନିର୍ବାଚନ ପରେ ସହରର ବିଭିନ୍ନ ସ୍ଥାନରେ ଦଳୀୟ ପତାକା ସହ ବ୍ୟାନର ଓ ପୋଷ୍ଟର ମରାଯାଇ ଥିବାର ଦେଖିବାକୁ ମିଳୁଛି। ନିର୍ବାଚନ ଶେଷ ହେବାକୁ ଏକ ମାସ ପୂରିବାକୁ ଥିବା ବେଳେ ସେଗୁଡିକୁ ସହରରୁ ହଟାଯାଇ ନଥିବାରୁ ଆଜିର ବୈଠକରେ ମେୟର ଶ୍ରୀ ସିଂହ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆସନ୍ତା ୫ ଦିନ ମଧ୍ୟରେ ଏହାକୁ ସହରର ଗଳିକନ୍ଦିରୁ ହଟାଇବା ଦିଗରେ କାମ କରିବାକୁ ନିଗମର ଅଧିକାରୀଙ୍କୁ ମେୟର ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର