ପ୍ରଥମ ଦିନ ଦୁଇ ଘଣ୍ଟା ବୈଠକ କଲେ ସୁବାସ, କାମରେ ଢିଲା ହେଲେ କଠୋର କାର୍ଯ୍ୟାନୁଷ୍ଠାନ

କଟକ: ଦାୟିତ୍ବ ନେବାର ପ୍ରଥମ ଦିନ ପାଖାପାଖି ୨ ଘଣ୍ଟା କାଳ କଟକ ମହାନଗର ନିଗମରେ ଉଚ୍ଚସ୍ତରୀୟ ବୈଠକ ଡାକି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ନୂଆ ମେୟର ସୁବାସ ସିଂହ। ଦୁର୍ନୀତି, ଅପରାଗତା, ନିଷ୍କ୍ରିୟତା ଏବଂ ଖାମଖିଆଲ ଆଚରଣ କ୍ଷେତ୍ରରେ ଶୂନ୍ୟ ସହନଶୀଳତା ଅବଲମ୍ବନ କରାଯିବ ବୋଲି ଅଧିକାରୀ ମାନଙ୍କୁ ଆରମ୍ଭରୁ ସୁବାସ ଚେତାଇ ଦେଇଛନ୍ତି। ଅଧିକାରୀ ମାନଙ୍କୁ ଲୋକଙ୍କ ପାଇଁ କାମ କରିବାକୁ ପଡ଼ିବ। ଲୋକଙ୍କ ପାଖକୁ ଯିବାକୁ ପଡିବ। ଦକ୍ଷତା ସହିତ ସମୟାନୁବର୍ତ୍ତିତା ରକ୍ଷା କରିବାକୁ ପଡିବ। ଏସବୁର ଖିଲାପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁବାସ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଚେତାଇ ଦେଇଛନ୍ତି। ମେୟରଙ୍କ ସମ୍ମିଳନୀ କକ୍ଷରେ ଆ‌ଜି ଆୟୋଜିତ ଏହି ଉଚ୍ଚସ୍ତରୀୟ ବୈଠକରେ ସିଏମସିର ପ୍ରଶାସକ ଅନିଲ ସାମଲ, କମିସନର ଅନନ୍ୟା ଦାସ, ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର, ସିଟି ଇଂଜିନିୟର ସୁବାରାଓ ପାତ୍ର, ଏଫ୍‌ଓ ଲୁସି ସ୍ବାଇଁଙ୍କ ସମେତ ସମସ୍ତ ବରିଷ୍ଠ ଓ କନିଷ୍ଠ ଅଧିକାରୀ ତଥା କର୍ମଚାରୀ ଉପସ୍ଥିତ ଥିଲେ। ବିଭିନ୍ନ ପ୍ରସଙ୍ଗରେ ଅଧିକାରୀ ଓ କର୍ମଚାରୀଙ୍କ ସହିତ ଆଲୋଚନା କରିବା ପରେ କାର୍ଯ୍ୟକ୍ରମର ରୂପରେଖ ସଂପର୍କରେ ସୁବାସ ପରାମର୍ଶ ଦେଇଥିଲେ। ନିଷ୍ପତ୍ତି ଅନୁଯାୟୀ ଆସନ୍ତାକାଲି ଠାରୁ ବର୍ତ୍ତମାନର ସବୁଠୁ ଗୁରୁତ୍ବପୂର୍ଣ୍ଣ ପ‌ଙ୍କୋଦ୍ଧାର କାର୍ଯ୍ୟକ୍ରମ ସଂପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ।

ମଶା ନିୟନ୍ତ୍ରଣ ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବ। ଏହି ବୈଠକକୁ କଟକ ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷ ତଥା ମଶାମରା ଅଭିଯାନରେ ସବୁଠୁ ସଫଳ ବ୍ୟକ୍ତି ଭାବେ ଜଣାଶୁଣା ବରିଷ୍ଠ ନେତା ତ୍ରିଲୋଚନ କାନୁନଗୋଙ୍କୁ ସ୍ବତନ୍ତ୍ର ସମ୍ମାନିତ ଅତିଥି ଭାବେ ଡକାଯିବ। କଟକରେ ଯେଭଳି ବିଭିନ୍ନ ବିଭାଗ ଭିତରେ ସମନ୍ବୟ ରହୁନି, ସେଥିପାଇଁ ରାସ୍ତାଘାଟ ଖାଲଖମା ହେଉଛି, ତାହାର ସମାଧାନ ପାଇଁ ଆରଡି, ପିଏଚଡି, ଆରଆଣ୍ଡବି ଭଳି ବିଭିନ୍ନ ବିଭାଗ ଭିତରେ ସମନ୍ବୟ ବୈଠକ ହେବ। କଟକର ଗଳିକନ୍ଦି ସାହି ଦୃଷ୍ଟିରୁ ଅଧିକାରୀମାନେ ଦୁଇ ଚକିଆ ଗାଡ଼ିରେ ବିଭିନ୍ନ ସ୍ଥାନକୁ ଯାଇ କାର୍ଯ୍ୟର ଅନୁଧ୍ୟାନ କରିବେ। ପ୍ରତି ମାସରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରାଯିବ ଏବଂ ସେହି ଅନୁଯାୟୀ ଆଗାମୀ ପଦକ୍ଷେପ ନିଆଯିବ ବୋଲି ଆଜିର ବୈଠକରେ ସୁବାସ ସୂଚାଇ ଦେଇଛନ୍ତି। ପ୍ରଥମ ବୈଠକରେ ସୁବାସ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ଦେଇଥିବା ବେଳେ ଆଗକୁ ସିଏମସିର କାର୍ଯ୍ୟକାରିତା ଉପରେ ଏହାର କି ପ୍ରକାର ପ୍ରଭାବ ପଡୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର