ଜିଲ୍ଲା ବିଜେଡି କାର୍ଯ୍ୟକାରିଣୀ ବୈଠକ:, ଅନୁଭବ, ରାଜଶ୍ରୀ ଆସିଲେନି; ଦୁଇ ପ୍ରଭାତ, ସୌମେନ୍ଦ୍ର, ମୀନାକ୍ଷୀ?

କଟକ: କଟକ ଜିଲ୍ଲା ବିଜେଡିର କାର୍ଯ୍ୟକାରିଣୀ ବୈଠକ ହୋଟେଲ୍ ଦ୍ବାରକାରେ ଅନୁଷ୍ଠିତ ହୋଇଛି। ପଂଚାୟତ ତଥା ପୌର ନିର୍ବାଚନ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି, ଯୁବ ଓ ଛାତ୍ର ସଂଗଠନକୁ ଗୁରୁତ୍ବ, ସକ୍ରୀୟ ସଦସ୍ୟ ସଂଗ୍ରହ ଅଭିଯାନ ଏବଂ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବୀମା କାର୍ଡ ସଂପର୍କିତ ତଥ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚାଇବା ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଜିଲ୍ଲା ସଭାପତି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଜିଲ୍ଲା ପର୍ଯ୍ୟବେକ୍ଷକ ଉଷା ଦେବୀ, ମନ୍ତ୍ରୀ ପ୍ରତ‌ାପ ଜେନା, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସାଂସଦ ଭର୍ତ୍ତୃହରି ମହତାବ, ସାଂସଦ ସୁବାସ ସିଂହ, ବିଧାୟକ ଦେବୀପ୍ରସାଦ ମିଶ୍ର, ଡାକ୍ତର ପ୍ରମୋଦ ମଲ୍ଲିକ, ଚନ୍ଦ୍ରସାରଥି ବେହେରା, ପ୍ରଶାନ୍ତ ବେହେରା, ଦେବୀରଂଜନ ତ୍ରିପାଠୀ, ସୌଭିକ ବିଶ୍ବାଳ ଏବଂ ଦଳର ଅନ୍ୟ ଛାମୁଆ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ। କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋତିରେଖା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ କିନ୍ତୁ ବୈଠକରେ ଯୋଗ ଦେଇ ନଥିଲେ। କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରର ଦୁଇଟି ବିଧାନସଭା ଆସନ କଟକ ଜିଲ୍ଲାରେ ଥିବା ବେଳେ ଜଗତସିଂହପୁର ସଂସଦୀୟ କ୍ଷେତ୍ରର ଗୋଟିଏ ବିଧାନସଭା ଆସନ କଟକ ଜିଲ୍ଲାରେ ରହିଥିବାରୁ ସେମାନେ ଏହି ବୈଠକକୁ ଆମନ୍ତ୍ରିତ ହୋଇଥିଲେ। ଅବଶ୍ୟ ଅନୁଭବ ମହାନ୍ତି ଦ୍ବାରକା ହୋଟେଲରେ ଆୟୋଜିତ କେନ୍ଦ୍ରାପଡା ଜିଲ୍ଲା ସାଂଗଠନିକ ବୈଠକକୁ ବି ଆସି ନଥିଲେ।

କଟକ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଅନୁଭବ ଓ ରାଜଶ୍ରୀଙ୍କ ଅନୁପସ୍ଥିତି ଯେତିକି ଗୁରୁତ୍ବ ରଖି ନାହିଁ, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ବାଳ, ପୂର୍ବତନ ମେୟର ସୌମେନ୍ଦ୍ର ଘୋଷ ଏବଂ ପୂର୍ବତନ ମେୟର ମୀନାକ୍ଷୀ ବେହେରା ପ୍ରମୁଖଙ୍କ ଅନୁପସ୍ଥିତି ବିଶେଷ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଦୁଇ ପ୍ରଭାତ, ସୌମେନ୍ଦ୍ର ଓ ମୀନାକ୍ଷିଙ୍କୁ ଡକାଯାଇଥିଲା, ସେମାନେ ଆସିଲେନି ନା ସେମାନଙ୍କୁ ବୈଠକକୁ ଡକା ଯାଇ ନଥିଲା, ତାହା ଅବଶ୍ୟ କୌଣସି ମହଲରୁ ସ୍ପଷ୍ଟ ହୋଇନାହିଁ। ବୈଠକ ପୂର୍ବରୁ ବିଭିନ୍ନ ଲୋକଙ୍କ ପାଖକୁ ଦୁଇଟି ଏକାଭଳି ଚିଠି ଯାଇଥିଲା। ଗୋଟିଏ ଚିଠି ଜିଲ୍ଲା ପର୍ଯ୍ୟବେକ୍ଷକ ଉଷା ଦେବୀ ଓ ଅନ୍ୟଟି ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟଙ୍କ ସ୍ବାକ୍ଷରରେ ଯିବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଥିଲା। ଏମାନେ ଦୁଇଟି ଯାକ ଚିଠି ପାଇ ନଥିଲେ ନା କେଉଁ ଗୋଟିଏ ଚିଠି ପାଇଥିବାରୁ ବୈଠକକୁ ଆସିବାକୁ ଉଚିତ ମନେ କରି ନଥିଲେ, ତାହାକୁ ନେଇ ଏବେ କେତେକ ମହଲରେ ଜୋରଦାର ଆଲୋଚନା ଚାଲିଛି। କଟକରେ ପଂଚାୟତ ଆଉ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ବସୁଥିବା ବେଳେ ସେମାନଙ୍କର ଅନୁଭବ ଆଉ ପୂର୍ବ ପଦବି ଦୃଷ୍ଟିରୁ ଏହି ୪ ନେତା/ନେତ୍ରୀ ସ୍ବତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ ବୈଠକରେ ଗୁରୁତ୍ବ ପାଇବା କଥା। କିନ୍ତୁ ୪ ନେତା/ନେତ୍ରୀଙ୍କ ଅନୁପସ୍ଥିତି ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଥିବା ବେଳେ ଆଗକୁ ଏହା ରୋଚକ ରାଜନ‌ୈତିକ ପ୍ରସଙ୍ଗ ପାଲଟିବ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର