କଟକ: ଗଣେଶ ପୂଜାରୁ ଜମି ଯିବ ମେଲୋଡ଼ି ମଞ୍ଚ। ଏଥର ନୂଆ ପୁରୁଣା ଗୀତ ସହ ବାଦ୍ୟଯନ୍ତ୍ରର ଧୂମ୍ଧଡାକ ଶୁଣିବାକୁ ମିଳିବ। ଦୀର୍ଘ ଦୁଇ ବର୍ଷ ବ୍ୟବଧାନ ପରେ ଏଭଳି କିଛି ପରିବେଶ ଚାରିଆଡେ଼ ଦେଖିବାକୁ ମଳିବ। ତେବେ ଏଥିପାଇଁ ଗାୟକମାନଙ୍କର ଚାହିଦା ଏବେ କାହିଁରେ କେତେ। ମଞ୍ଚରେ ବ୍ୟକ୍ତିଗତ ଭାବେ ଡକରା ହୋଇ ଆସୁଥିବା ଗାୟକଙ୍କ ମଧ୍ୟରୁ ମଣ୍ଟୁ ଛୁରିଆ ସବୁଠୁ ଦାମୀ ଭାବେ ପରିଚିତ। ମଣ୍ଟୁ ଗୋଟିଏ କାର୍ଯ୍ୟକ୍ରମ ପାଇଁ ଲକ୍ଷେ ୭୦ ହଜାରରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାବି କରୁଛନ୍ତି। ଓଲିଉଡ୍ ଓ ବିଭିନ୍ନ ଆଲ୍ବମ୍ରେ ହିଟ୍ ଗୀତ ଦେଇ ନୂଆ ସେନ୍ସେସନ୍ ପାଲଟିଥିବା ମଣ୍ଟୁଙ୍କ ଆଖପାଖରେ ବି କେହି ନାହାନ୍ତି। ତଥାପି ରାଜ୍ୟର ସ˚ଗୀତ ଦୁନିଆରେ ସବୁଠୁ ଚର୍ଚ୍ଚିତ ଚେହେରା ହ୍ୟୁମାନ ସାଗର ଯଦିଓ ଆଲ୍ବମ୍ ପାଇଁ ଟଙ୍କା ଚାର୍ଜ କରିଥାନ୍ତି, କିନ୍ତୁ ମଞ୍ଚ କାର୍ଯ୍ୟକ୍ରମ ପାଇଁ ତାଙ୍କର କୌଣସି ଦର ନିର୍ଧାରିତ ନାହିଁ। କାରଣ ତାଙ୍କର ଏକ ନିଜସ୍ବ ମେଲୋଡି ଗ୍ରୁପ୍ ରହିଥିବାରୁ ସେ ସମସ୍ତ କାର୍ଯ୍ୟକ୍ରମ ଉକ୍ତ ଗ୍ରୁପ୍ ଜରିଆରେ କରିଥାନ୍ତି। ଏମାନଙ୍କ ବ୍ୟତୀତ ଭେଟେରାନ୍ କଣ୍ଠଶିଳ୍ପୀ ଇରା ମହାନ୍ତି ୬୦ରୁ ୭୦ ହଜାର ଟଙ୍କା ଦାବି କରିଥାନ୍ତି।
ସେହିପରି ଅସୀମା ପଣ୍ତା ଓ ଦୀପ୍ତିରେଖା ପାଢୀ ଗୋଟିଏ କାର୍ଯ୍ୟକ୍ରମକୁ ପାଖାପାଖି ୫୦ ହଜାର ଟଙ୍କା ନେଉଥିଲାବେଳେ ସ˚ଗୀତ ନିର୍ଦ୍ଦେଶକ ତଥା ଗାୟକ ଅଭିଜିତ ମଜୁମ୍ଦାର ୩୫ରୁ ୪୦ ହଜାର ଟଙ୍କା ନେଉଥିବା ଜଣାପଡ଼ିଛି। ସତ୍ୟଜିତ ପ୍ରଧାନ ୩୫ରୁ ୪୦ହଜାର, ତାରିକ ଅଜିଜ୍ ୩୦ରୁ ୩୫ ହଜାର ଟଙ୍କା ଦାବି କରିଥାନ୍ତି। ଯେଉଁ ମେଲୋଡି ଗ୍ରୁପ୍ ସହିତ ଏମାନେ ଗୀତ ଗାଇବାକୁ ଯାଇଥାନ୍ତି, ସେମାନଙ୍କ ସହିତ ଗାୟକମାନଙ୍କର କିଛି ବ୍ୟକ୍ତିଗତ ବାଦ୍ୟଯନ୍ତ୍ର ସହଯୋଗୀମାନେ ବି ସାଙ୍ଗରେ ଯାଇଥାନ୍ତି। ବ୍ୟକ୍ତିଗତ ଦର ବାଦ୍ ମେଲୋଡି ଗ୍ରୁପ୍ ମାନଙ୍କ ମଧ୍ୟରେ ବି ପ୍ରତିଯୋଗିତା କିଛି କମ୍ ନାହିଁ। ମେଲୋଡି ବଜାରରେ ନିଜର ଦବ୍ଦବା ରଖିବା ପାଇଁ ନୂଆ ବୈଷୟିକ ଜ୍ଞାନକୌଶଳକୁ ବ୍ୟବହାର କରାଯାଉଛି। ବାଦ୍ୟ ଯନ୍ତ୍ରରେ ହେଉ କିମ୍ବା ସାଉଣ୍ତ ଇଫେକ୍ଟ, ଟ୍ରାକ୍ ଇତ୍ୟାଦି ବ୍ୟବହାର କ୍ଷେତ୍ରରେ ନୂଆ ପଦ୍ଧତିଗୁଡିକ ଉପରେ ଗୁରୁତ୍ବ ଦିଆଯାଉଛି। ହ୍ୟୁମାନ ସାଗର ବ୍ୟକ୍ତିଗତ ଭାବେ କୌଣସି ମେଲୋଡି ସହିତ ଜଡ଼ିତ ନଥିବାରୁ ନିଜ ଗ୍ରୁପ୍ର ଟେକ ରଖିବା ପାଇଁ ଚଳିତ ବର୍ଷ ଓଡ଼ିଶାରେ ପ୍ରଥମ ଥର ପାଇଁ ଭିଏସ୍ଟି ସାଉଣ୍ତ ସିଷ୍ଟମ ବ୍ୟବହାର କରିବେ ବୋଲି ଜଣାପଡ଼ିଛି। ଏଥିସହ ଗୁଣାତ୍ମକ ଓ ସୁଦୂର ପ୍ରସାରୀ ସାଉଣ୍ତ ପାଇଁ ଲାଇନେରି ସାଉଣ୍ତ ଲଗାଯାଉଥିବା ସୂଚନା ମିଳିଛି। କଟକ ସହରରେ ମେଲୋଡି ପାଇଁ ଯେଉଁ ଦଳମାନେ ରହିଛନ୍ତି ସେମାନଙ୍କ ମଧ୍ୟରୁ ବ୍ୟକ୍ତିଗତ ଗାୟକଙ୍କୁ ଛାଡ଼ିଦେଲେ ଗ୍ରୁପ୍ ପିଛା ସର୍ବନିମ୍ନ ୨୫ରୁ ୩୦ହଜାର ଟଙ୍କାରୁ ଆରମ୍ଭ କରି ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରାଯାଉଥିବା ଜଣାପଡ଼ିଛି।