କଟକ: ଦୀର୍ଘ ୨୦ ମାସ ପରେ ମେଲୋଡିକୁ ଅନୁମତି ମିଳିଛି। କେବଳ ମେଲୋଡି ନୁହେଁ, ସମସ୍ତ ପ୍ରକାରର ସ˚ଗୀତ ଭିତ୍ତିକ କାର୍ଯ୍ୟକ୍ରମ ପାଇଁ ଶେଷରେ ସରକାର ଅନୁମତି ଦେଇଛନ୍ତି। ହେଲେ ଯେଉଁ ସମୟରେ ସଙ୍ଗୀତ କଳାକାରମାନଙ୍କର ବ୍ୟବସାୟ ଅଧିକ ହୋଇଥାନ୍ତା, ସେହି ସମୟ ପାର‌୍‌ ହୋଇଗଲାଣି। ତେଣୁ ଏବେ ଆଉଟଡୋର କାର୍ଯ୍ୟକ୍ରମ ଅପେକ୍ଷା ଇନ୍‌ଡୋର କାର୍ଯ୍ୟକ୍ରମ ଉପରେ ଅଧିକ ଧ୍ୟାନ ଦିଆଯିବାକୁ ନେଇ ମାଲିକମାନଙ୍କ ମଧ୍ୟରେ ବିଚାରବିମର୍ଶ ଚାଲିଲାଣି। ତେବେ କୋଭିଡ୍‌ ପାଇଁ ପ୍ରଭାବିତ ହୋଇଥିବା ବାଦ୍ୟକାର, ସଙ୍ଗୀତକାର, ନୃତ୍ୟଶିଳ୍ପୀ, ଉଦ୍‌ଘୋଷକମାନେ ପୁଣି ଥରେ ଲୟକୁ ଫେରିବାର ଆଉ ଏକ ଅବସର ସୃଷ୍ଟି ହୋଇଛି।
ସରକାର ଅନୁମତି ଦେଇଥିଲେ ବି ମେଲୋଡି ମାଲିକମାନଙ୍କ ମଧ୍ୟରେ ଅଧିକ ଖୁସି ହେବା ଭଳି କିଛି ନାହିଁ। କାରଣ ପାର୍ବଣ ଋତୁରେ ସବୁଠୁ ଅଧିକ ମେଲୋଡି କାର୍ଯ୍ୟକ୍ରମ ହୋଇଥାଏ। ଗଣେଶ ପୂଜାଠୁ ଆରମ୍ଭ କରି କାର୍ତ୍ତିକ ପୂର୍ଣ୍ଣମୀ ପର୍ଯ୍ୟନ୍ତ ମେଲୋଡି ଗ୍ରୁପ୍‌ମାନଙ୍କୁ ଫୁରସତ୍‌ ନଥାଏ। ହେଲେ ସରକାର କାର୍ତ୍ତିକ ପୂର୍ଣ୍ଣମୀ ପରଦିନ କଟକଣା ଉଠାଇଛନ୍ତି। ଯାହାଫଳରେ ଏବେ ମେଲୋଡି ଗ୍ରୁପ୍‌ ମାଲିକମାନେ ବିବାହ ଭଳି ଇନ୍‌ଡୋର କାର୍ଯ୍ୟକ୍ରମ ଗୁଡ଼ିକର କଲ୍‌ ହାତେଇବା ପାଇଁ ଆଶା ବାନ୍ଧିଛନ୍ତି। ତେବେ ଇନ୍‌ଡୋର କାର୍ଯ୍ୟକ୍ରମରେ ଦର୍ଶକଙ୍କ ସ˚ଖ୍ୟା ଉପରେ ମଧ୍ୟ କଟକଣା ଥିବାରୁ ବ୍ୟବସାୟରେ ତାହା ପ୍ରଭାବ ପକାଇବ। ତେଣୁ ବାଦ୍ୟକାର, ନୃତ୍ୟଶିଳ୍ପୀମାନେ ମଧ୍ୟ ସେମାନଙ୍କ ପ୍ରାପ୍ୟ ପାଇବା ବେଳେ ଦରରେ କିଛିଟା ହ୍ରାସ ଘଟିପାରେ। ଏସବୁ ସତ୍ତ୍ବେ ବିଳମ୍ବରେ ହେଲେ ବି ସଙ୍ଗୀତ କାର୍ଯ୍ୟକ୍ରମକୁ ଅନୁମତି ମିଳିଥିବାରୁ ଏହାକୁ ସ୍ବାଗତ କରାଯାଇଛି।

Advertisment

ଓଡ଼ିଶା ମ୍ୟୁଜିକ ଆର୍ଟିଷ୍ଟ ୱେଲଫେୟାର ଆସୋସିଏସନ୍‌ ସଭାପତି ତଥା ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ କହିବା ଅନୁଯାୟୀ, ଯେଉଁ ବାଦ୍ୟକାର, କଣ୍ଠଶିଳ୍ପୀମାନେ ସେମାନଙ୍କ ରୋଜଗାର ହରାଇଛନ୍ତି, ତାଙ୍କ ଅବସ୍ଥା ଏବେ ସଙ୍ଗିନ। ସେମାନଙ୍କୁ ପୁଣି ଥରେ ମଞ୍ଚକୁ ଆଣିବା ଏକ ଚାଲେଞ୍ଜ। ଅନେକ ବାଦ୍ୟ ସରଞ୍ଜାମ ବିକ୍ରି କରି ଦେଲେଣି। ତଥାପି ଅନେକ ଅସୁବିଧା ସତ୍ତ୍ବେ ‘ମାନନୀୟ ମୁଖ୍ୟମନ୍ତ୍ରୀ...’ ଗୀତ ଗାଇ ସଙ୍ଗୀତ କାର୍ଯ୍ୟକ୍ରମକୁ ଅନୁମତି ଦେବା ପାଇଁ ଅନୁରୋଧ କରିଥିଲୁ। ବିଳମ୍ବରେ ହେଉ ପଛେ ସରକାର ସଙ୍ଗୀତ କାର୍ଯ୍ୟକ୍ରମକୁ ଅନୁମତି ଦେଇଥିବାରୁ ଅଭିଜିତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପାର୍ବଣ ସରି ଯାଇଥିଲେ ବି ମେଲୋଡି କାର୍ଯ୍ୟକ୍ରମ ଫିକା ପଡ଼ିବନି ବୋଲି ସେ ଆଶାବାଦୀ ଅଛନ୍ତି। ସେହିପରି ଓଡ଼ିଶା ମେଲୋଡି ସ˚ଘ ସମ୍ପାଦକ ଶ୍ୟାମ କୁମାର ନାୟରଙ୍କ ମତରେ ଇନ୍‌ଡୋର କାର୍ଯ୍ୟକ୍ରମ ପାଇଁ ଆଜିଠୁ ବୁକି˚ ଆରମ୍ଭ ହୋଇଛି। ଆଉଟଡୋର ପାଇଁ ସୁଯୋଗ ନଥିବାରୁ କଳାକାରମାନେ କିଛିଟା ହତାଶ ହେବେ। ତଥାପି କାର୍ଯ୍ୟକ୍ରମ କରିବାକୁ ସରକାର ଅନୁମତି ଦେଇଥିବାରୁ ଅପ୍ରସ୍ତୁତ ହୋଇ ପ୍ରଥମେ ମଞ୍ଚକୁ ଯିବାକୁ ହେବ। ଦର୍ଶକଙ୍କ ଚାହିଦା ଅନୁସାରେ ଗୀତ ବାଛିବାକୁ ପଡ଼ିବ। ଗତ ଦୁଇ ବର୍ଷ ମଧ୍ୟରେ କୌଣସି ଲୋକପ୍ରିୟ ସିନେମା କିମ୍ବା ଗୀତ ଶୁଣିବାକୁ ମିଳି ନାହିଁ। ତେଣୁ ଗୀତ ଚୟନ କରିବା ଏବେ ଟିକେ କଠିନ ହେବ। ତଥାପି ପୁରୁଣା ଗୀତ ଗୁଡ଼ିକ ଉପରେ ଆମକୁ ଭରସା କରିବାକୁ ପଡ଼ିବ। କରୋନା ପାଇଁ ଯାହା ହଜିଯାଇଛି, ତାହା ଏବେ ମିଳିବନି। ତଥାପି କ୍ଷତାକ୍ତ ଅବସ୍ଥାରେ ଆଗକୁ ବଢିବାକୁ ହେବ ବୋଲି ଶ୍ୟାମକୁମାର କହିଛନ୍ତି।