କଟକ: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅର୍ନ୍ତଗତ ଶାଳଦେଇ ବାଲିଘାଟ ବିବାଦରୁ ହତ୍ୟାର ଶିକାର ହୋଇଥିବା ମଲ୍ଲି ଜେନାଙ୍କ ହତ୍ୟାକାରୀକୁ ତୁରନ୍ତ ଗିରଫ ଓ ହତ୍ୟାଘଟଣାର ମାଷ୍ଟରମାଇଣ୍ଡ୍ ସ୍ଥାନୀୟ ବିଧାୟକଙ୍କ ପୁଅ ଦେବାଶିଷଙ୍କୁ ତଦନ୍ତ ପରିସରକୁ ନେବା ଓ ତାଙ୍କ ମୋବାଇଲ ଫୋନ୍ ଯାଞ୍ଚ୍ କରିବାକୁ ଘଷିପୁରା ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥ୍ବୀରାଜ କୁଅଁର ଆଜି କଟକ ସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ ପହଞ୍ଚି ଡିଜିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗ ମୁତାବକ, ଘଷିପୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରାମଚନ୍ଦ୍ରପୁର ଥାନା ଅଧୀନ ଶାଳଦେଇ ଗ୍ରାମର ବେଆଇନ ବାଲିଘାଟ ରୋକିବା ପାଇଁ ପ୍ରଶାସନକୁ ବାରମ୍ବାର ଅଭିଯୋଗ ଓ ଅନୁରୋଧ ହେଉଥିଲା। ଗତ ମାର୍ଚ୍ଚ ୨୨ ଓ ୨୩ ତାରିଖରେ ଗ୍ରାମର ଶହ ଶହ ମଳିଳା ବାଲିଘାଟକୁ ବିରୋଧ କରିଥିଲେ। ବିରୋଧ ବେଳେ ବାଲି ମାଫିଆମାନେ ଘଷିପୁରା ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ବାମୀ ବାବନ ସାହୁଙ୍କ ସମେତ ସ୍ଥାନୀୟ ତରୁଆଁ ପଞ୍ଚାୟତର ବଳରାମ ବେହେରା ଓ ଶାଳଦେଇ ଗ୍ରାମର ରାମକୃଷ୍ଣ ବୋଇତେଇଙ୍କ ନେତୃତ୍ବରେ ଶତାଧିକ ଯୁବକ ମହିଳାମାନଙ୍କ ଉପରେ ଆକ୍ରମଣ କରିଥିଲେ। ମଲ୍ଲି ଜେନା ନାମକ ଜଣେ ମହିଳାଙ୍କୁ ହାଣି ଦେଇଥିଲେ। ଗୁରୁତର ଥିବା ମଲ୍ଲିଙ୍କର ଦୀର୍ଘ ୬ ଦିନ କଟକରେ ଚିକିତ୍ସା ପରେ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ବିଧାୟକ ଓ ତାଙ୍କ ପୁଅଙ୍କ ସମର୍ଥକମାନେ ବିଭିନ୍ନ ସମୟରେ ଗୁଣ୍ଡାରାଜ ଓ ଆତଙ୍କରାଜ ଚଳାଇ ଆସୁଛନ୍ତି।
ସ୍ଥାନୀୟ ପୁଲିସ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଉ ନଥିବା ବିଜେପି ଅଭିଯୋଗ କରିଛି। ବିଜେପିର ଅଭିଯୋଗ ମୁତାବକ, ଏହି ଥାନା ଅଧୀନରେ ଖଲଣା ଗ୍ରାମରେ ସୁନନ୍ଦା ସେଠୀ ନାମକ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସେତେବେଳେ ସୁନନ୍ଦାଙ୍କ ପରିବାର ଲୋକ ସିଧାସଳଖ ବିଧାୟକ ବଦ୍ରି ନାରାୟଣ ପାତ୍ର ଓ ତାଙ୍କ ପୁଅ ଦେବାଶିଷ ପାତ୍ରଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଥିଲେ ହେଁ ଚୂଡାନ୍ତ ଚାର୍ଜସିଟରୁ ତାଙ୍କ ନାମକୁ କାଟି ଦିଆଯାଇଥିଲା। ଶାଳଦେଇ ଘଟଣାର ମୁଖ୍ୟ ଅଭିଯୁକ୍ତ ବାବନ ସାହୁ ଓ ଅନ୍ୟ ଅଭିଯୁକ୍ତମାନଙ୍କର ବିଧାୟକଙ୍କ ପୁଅ ଦେବାଶିଷଙ୍କ ସହିତ ଘନିଷ୍ଠ ସଂପର୍କ ରହିଛି। ବିଧାୟକଙ୍କ ପୁଅକୁ ତଦନ୍ତ ପରିସରକୁ ନେଇ ତାଙ୍କ ମୋବାଇଲ ଫୋନ୍ ଯାଞ୍ଚ କରାଗଲେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ବିଜେପି ଦାବି କରିଛି। ଅତୀତରେ ଦେବାଶିଷ ଆକ୍ରମଣ କରି ଜେଲ ଯିବା, ସ୍ଥାନୀୟ ପୁଲିସକୁ ମାଡ ମାରିବା ଓ ତାଙ୍କ ନାମରେ ଅନେକ ସଂଗିନ ଅଭିଯୋଗ ଥିଲେ ବି ପୁଲିସ ତଦନ୍ତରେ ଅବହେଳା କରୁଥବା ଘଷିପୁରା ବିଜେପି ପକ୍ଷରୁ ଶ୍ରୀ କୁଅଁର ଅଭିଯୋଗରେ ଦର୍ଶାଇଛନ୍ତି।