କଟକ: ବାପା ବମ୍ବେରେ ଇଣ୍ଡିଆନ୍ ନେଭିରେ ଅଫିସର୍ ଥିଲେ। ସେଇଠି ସ୍କୁଲ ପାଠପଢ଼ା। ରେଭେନ୍ସା କଲେଜରେ ପଢ଼ିବା ପାଇଁ ପ୍ରଥମେ କଟକକୁ ଆସିଥିଲି। ବମ୍ବେ ଭଳି ବଡ଼ ସହରରୁ ଆସିଥିଲି ବୋଲି କଟକ ସହର ମୋତେ ଆଦୌ ଭଲ ଲାଗୁ ନଥିଲା। ଗଳିକନ୍ଦି ରାସ୍ତା ଦେଖି ଚିଡ୍ଚିଡ୍ ହେଉଥିଲି। ହେଲେ, ବର୍ଷେ/ଦୁଇବର୍ଷ ଭିତରେ କଟକର ଭଲ ପାଇବା, ସ୍ନେହ-ଶ୍ରଦ୍ଧା ଓ ସାମାଜିକ ସୁରକ୍ଷା ଏତେ ପ୍ରଭାବିତ କଲା ଯେ ଆଉ କଟକ ଛାଡ଼ିବା କଥା ଚିନ୍ତା କରି ପାରିନି।
ଏଇଠି ପଢ଼ିଲି, ମଡେଲିଂ କଲି, ସିରିଅଲ୍ରେ ଅଭିନୟ, ସିନେମାରେ ଅଭିନୟ, ଓଡ଼ିଆ ପଢ଼ି ଶିଖିବା, ପ୍ରେମ ଓ ବିବାହ, ନିଜର ସ୍କୁଲ୍ରେ ଖୋଲିବା; ସବୁ ଏଇଠି। କହିବାକୁ ଗଲେ କଟକ ମୋତେ ସବୁକିଛି ଦେଇଛି। ପଢ଼ିବା ପାଇଁ, କ୍ୟାରିଅର୍ ପାଇଁ ଓ ଅଭିନୟ ଲାଇନ୍ରେ ଯିବା ପାଇଁ ବାହାରୁ ବହୁତ ଅଫର୍ ମିଳିଛି, ବାହାରେ ରହୁଥିବା ମୋ ସମ୍ପର୍କୀୟମାନେ ବହୁତ ଥର ପ୍ରସ୍ତାବ ଦେଇଛନ୍ତି, ହେଲେ କଟକ ଛାଡ଼ିବାକୁ କେବେ ଇଚ୍ଛା ବି ହୋଇନି। ଏବେ ତ’ ଲାଗୁଛି ଯେମିତି, କଟକ ମୋତେ ଏ ସବୁ ସଫଳତା ଦେବ ବୋଲି ମୋ ଅଜାଣତରେ ଡାକି ଆଣିଥିଲା।
ବମ୍ବେରେ ଥିବାବେଳେ ବହୁତ ଥର ଗଣେଶ ପୂଜାରେ ବୁଲିଛି। ହେଲେ, କଟକରେ ଦୁର୍ଗାପୂଜା, ବାଲିଯାତ୍ରା କି ରଜରେ ବୁଲିବା ମଜା ତା’ଠାରୁ ଶହେଗୁଣ ଭଲ। ଏଠି ପୂଜାରେ ଅଧ କିଲୋମିଟର ବୁଲି ଆସିଲେ ଅତିକମ୍ରେ ୫/୭ଟା ଚିହ୍ନା ମୁହଁ ମିଳିଯିବେ, ଭଲ-ମନ୍ଦ ପଚାରି ବୁଝିବେ, ଟିକେ ଅଟକି ଯିବେ, କୋଳେଇ ନେବେ। ଏହା କେବଳ କଟକରେ ଘଟିପାରେ। ରାତି ୧୨ଟା ବେଳେ ବି ପୂଜା-ଉତ୍ସବରେ ବୁଲିବାର ସାହସ କେବଳ କଟକର ଝିଅଟିଏ ହିଁ କରିପାରେ।
ଏକୁଟିଆ କେବେ ବସ୍ରୁ ଓହ୍ଲେଇବା ବେଳେ କିଛି ଅସୁବିଧା ହେଲେ ଛକରେ ବସିଥିବା ଅନେକ ଲୋକ ବାପା-ଭାଇ ଭଳି ସାହାଯ୍ୟ କରିବାକୁ ଆଗେଇ ଆସିବେ। କଟକରେ ଅଳ୍ପ କେତେଜଣ ଝିଅ ସ୍କୁଟି ଚଲଉଥିବା ବେଳେ ମୁଁ ଏଠି ସ୍କୁଟି ଚଲେଇ ବୁଲିଛି, କାର୍ ଚଲେଇ ବି ବୁଲିଛି। ସୁବିଧା, ଅସୁବିଧାରେ ସମସ୍ତେ ସହଯୋଗ କରିଛନ୍ତି। କଟକିଆଙ୍କ ଆପଣାର ଭାବ ଆଉ କୋଉଠି ମଳିବନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/Untitled-1-copy-19.jpg)