କଟକ: କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ ଅବସ୍ଥା ଓ ଟ୍ରାଫିକ୍ ବ୍ୟବସ୍ଥାକୁ ନେଇ ସବୁ ବେଳେ ଚର୍ଚ୍ଚା ହେଉଥିବା ବେଳେ ସାଧାରଣ ଯାତ୍ରୀଙ୍କ ସମସ୍ୟା ପ୍ରତି କାହାର ନିଘା ନାହିଁ। ପ୍ରତିଦିନ କଟକ ସହରରେ ସାଧାରଣ ଲୋକ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ବେଳେ ଶୋଷଣର ଶିକାର ହେଉଛନ୍ତି। ଏହି ପୁରାତନ ସହରରେ ଅଟୋ ଓ ଟ୍ୟାକ୍ସିରେ କୌଣସି ମିଟର ନାହିଁ କି ଭଡ଼ା କିଛି ଧାର୍ଯ୍ୟ କରାଯାଇ ନାହିଁ। ନୂଆ ମୋଟରଯାନ ଆଇନ କଡ଼ାକଡ଼ି ହେବା ପରେ ବିଭିନ୍ନ କାରଣରୁ ଦୁଇଚକିଆ ଯାନରେ ଯାତାୟତ କରିବା ଆଉ ସହଜ ହେଉ ନାହିଁ। ଦୁଇଚକିଆ ଗାଡ଼ିର ପଛ ସିଟ୍ରେ ବସିଥିବା ଆରୋହୀଙ୍କ ପାଇଁ ହେଲମେଟ୍ ବାଧ୍ୟତାମୂଳକ ହେବା ପରେ ସାଧାରଣ ଲୋକଙ୍କ ପାଇଁ ପରିସ୍ଥିତି ଅଧିକ ଜଟିଳ ହୋଇଛି। ଏଭଳି ସ୍ଥିତିରେ ସହରର ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯା’ ଆସ ପାଇଁ ସାଧାରଣ ଲୋକମାନେ ଏବେ ମୁଖ୍ୟତଃ ଅଟୋ ଉପରେ ନିର୍ଭର କରୁଛନ୍ତି। କିନ୍ତୁ ଅଟୋ ଭଡ଼ା ଉପରେ କିଛି ଲଗାମ୍ ନାହିଁ ବୋଲି ଅଭିଯୋଗ ହୋଇଛି। ଫଳରେ ମନ ଇଚ୍ଛା ଯାତ୍ରୀଙ୍କ ନିକଟରୁ ଭଡ଼ା ଆଦାୟ କରାଯାଉଛି। ମୋ ବସ୍ ସେବା ବାଦାମବାଡି, ଲିଙ୍କରୋଡ୍, ସିଡିଏ, ଜଗତପୁର ଓ ଅନ୍ୟ କେତେକ ସ୍ଥାନକୁ କେବଳ ରହିଥିବା ବେଳେ ସହରବାସୀଙ୍କ ପାଇଁ ଏହା ପର୍ଯ୍ୟାପ୍ତ ନୁହେଁ। କଟକ ସହରରେ ୫୨ ବଜାର ୫୩ ଗଳି କୁହାଯାଉଥିବା ବେଳେ ଏବେ ସଡିଏ, ଜଗତପୁର, ୪୨ ମୌଜା, ଗୋପାଳପୁର, ବିରିବାଟୀ ଦିଗକୁ ସହର ସଂପ୍ରସାରିତ ହୋଇଛି। କିନ୍ତୁ ସେୟାର୍ ଅଟୋ ସବୁ ସ୍ଥାନକୁ ନାହିଁ। ଏଥି ସହିତ ସେୟାର ଅଟୋରେ ନିର୍ଦ୍ଧାରିତ ସଂଖ୍ୟକ ଯାତ୍ରୀ ହେବା ପରେ ଗାଡ଼ି ଛାଡିଥାଏ। ସେୟାରିଂ ଅଟୋରେ ମଧ୍ୟ ମନଇଚ୍ଛା ଭଡା ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି। ବହୁ ଯାତ୍ରୀ ରିଜର୍ଭ କରି ଅଟୋରେ ଯବାକୁ ବାଧ୍ୟ ହେଉଛନ୍ତି। କିନ୍ତୁ ରିଜର୍ଭରେ ୨/୩ କି.ମି. ରାସ୍ତା ପାଇଁ ଅଟୋ ଭଡ଼ା ଶହେ ଟଙ୍କାରୁ ଅଧିକ ଦେବାକୁ ପଡୁଛି। ବାଦାମବାଡିରୁ ଥୋରିଆସାହି ଅଢେଇ କି.ମି.ରୁ କମ୍ ରାସ୍ତା ପାଇଁ ଦେଢ ଶହ ଅଟୋ ଭଡା ପଡୁଛି। ସେହିଭଳି ଭାବେ ଯଦି ଜଣେ ବ୍ୟକ୍ତି ବିଦ୍ୟାଧରପୁର ବା ନୂଆବଜାରରୁ ବାରବାଟୀ ଷ୍ଟାଡିୟମ୍ ଯିବ ତେବେ ରିଜର୍ଭ ଅଟୋରେ ଦୁଇ ଶହ ଟଙ୍କା ଭଡା ଦେବାକୁ ପଡୁଛି। ଅଟୋ ଭଡା ପାଇଁ କିଛି ମାପଦଣ୍ଡ ନାହିଁ। ଯଦି ହସ୍ପିଟାଲ ଓ ରେଳଷ୍ଟେସନ ପାଇଁ ଅଟୋ ଭଡ଼ା କରିବେ ତେବେ ଦର ଭିନ୍ନ। ଏଥି ସହିତ ବରିଷ୍ଠ ନାଗରିକ ଓ ଚାଲିବାକୁ ଅକ୍ଷମ ବ୍ୟକ୍ତିଙ୍କ ନିକଟରୁ ମଧ୍ୟ ଉଚ୍ଚ ଦରରେ ଅଟୋ ଭଡ଼ା ନିଆଯାଉଥିବା ଅଭିଯୋଗ ହେଉଛି। ବରିଷ୍ଠ ନାଗରିକ ମୋ ବସ୍ରେ ମଧୁପାଟଣାରୁ ଭୁବନେଶ୍ବର ଏୟାରପୋର୍ଟ ଯିବାକୁ ହେଲେ ମାତ୍ର ୨୦/୨୫ ଟଙ୍କା ଦେଉଥିବା ବେଳେ ଯଦି ଜଣେ ଏଥି ପାଇଁ ଅଟୋ ବା ଟ୍ୟାକ୍ସି କରନ୍ତି ତେବେ ଭଡା ଯାଥାକ୍ରମେ ୮ଶହ ଓ ୧୨ ଶହ ଟଙ୍କା ପଡୁଛି। ପରିସ୍ଥିତି ଦେଖି ଅଟୋ ଭଡ଼ା ଧାର୍ଯ୍ୟ କରାଯାଉଥିବା ଅଭିଯୋଗ ହୋଇଛି।
ଏଥିପାଇଁ କିଛି ନୀତି ନିୟମ ନାହିଁ। ଏଭଳି ସ୍ଥିତିରେ ସାଧାରଣ ଯାତ୍ରୀ କେବଳ ଶୋଷଣର ଶିକାର ହେଉଛନ୍ତି। ବରିଷ୍ଠ ନାଗରିକ, ମହିଳା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଅଟୋରେ ଯିବା ପୂର୍ବରୁ ଭଡ଼ା କଥା ଚିନ୍ତା କରିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷରେ କଟକ ସହରରକୁ ଡାକ୍ତରୀ ଚିକିତ୍ସା ପାଇଁ ସୁଥିବା ଲୋକଙ୍କ ଅବସ୍ଥା ନ କହିଲେ ଭଲ। ବାହାରୁ ଆସୁଥିବା ଲୋକମାନେ ବାଦାମବାଡି, ମଧୁପାଟଣା, ଓଏମପି ଓ ରେଳ ଷ୍ଟେସନରୁ ଡାକ୍ତରଖାନାକୁ ଯିବା ଲାଗି ଦାବି ମୁତାବକ ଅଟୋ ଭଡ଼ା ଦେବାକୁ ବାଧ୍ୟ ହେଉଛନ୍ତି। କଟକ ସହରକୁ ଦେଶର ଅନ୍ୟ ସହର ଭଳି ଉନ୍ନତ ସହର କରିବାକୁ ସରକାର ଯୋଜନା କରୁଛନ୍ତି। କିନ୍ତୁ ସାଧାରଣ ପରିବହନ ବ୍ୟବସ୍ଥାରେ ସୁଧାର ପାଇଁ ସରକାର କିଛି ବ୍ୟବସ୍ଥା କରୁ ନାହାନ୍ତି। ମୁମ୍ବାଇ ଓ ଦେଶର ଅନ୍ୟ ପ୍ରମୁଖ ସହରରେ ମିଟର ଥିବା ଅଟୋ ଓ ଟ୍ୟାକ୍ସି ବ୍ୟବସ୍ଥା ରହିଛି। ଯେଉଁ ସ୍ଥାନରୁ ଚାହିଁବ ଜଣେ ଅଟୋରେ ବସି ଗନ୍ତବ୍ୟ ସ୍ଥାନକୁ ଯିବ ଓ ମିଟର ଅନୁସାରେ ଭଡ଼ା ଦେବ। ଯଦି କୌଣସି ଖାଲି ଅଟୋ ଯାତ୍ରୀଙ୍କୁ ନେବାକୁ ମନା କରେ ତେବେ ଏ ନେଇ ପୁଲିସ ନିକଟରେ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ରହିଛି। ଟ୍ରାଫିକ ପରିଚଳାନା କମିଟି (ଟିଏମସି) ସଦସ୍ୟ ଆଇନଜୀବୀ ଜୟଦୀପ ପାଲ୍ କହିଛନ୍ତି ଅଟୋରେ ମିଟର୍ ବାଧ୍ୟତାମୂଳକ ପ୍ରସଂଗରେ ଅତୀତରେ ବୈଠକରେ ଆଲୋଚନା କରାଯାଇଥିଲା। ଏଥିପାଇଁ ପ୍ରସ୍ତାବ ରହିଛି ଓ କମିଟି ବୈଠକରେ ବହୁ ଥର ଆଲୋଚନା ହୋଇଥିଲା। ଏବେ ଟିଏମ୍ସି ବୈଠକ ଆଉ ପୂର୍ବଭଳି ବସୁ ନାହିଁ। ଅଟୋରେ ମିଟର ବ୍ୟବସ୍ଥା ଲାଗୁ କରିବା ପରିବହନ ବିଭାଗର ଦାୟିତ୍ବ। ନୂଆ ନମ୍ବରପ୍ଲେଟ୍ ବ୍ୟବସ୍ଥା ପାଇଁ ପରିବହନ ବିଭାଗ ତତ୍ପରତା ଦେଖାଉଛି, କିନ୍ତୁ ଯାତ୍ରୀଙ୍କ ସୁବିଧା ପାଇଁ କିଛି ବି କରାଯାଉ ନାହିଁ। ପରିବହନ କ୍ଷେତ୍ରରୁ କେମିତି ଅଧିକ ରୋଜଗାର ହେବ ତାହା ସରକାର ଦେଖୁଛନ୍ତି। କିନ୍ତୁ କଟକ ସହରର ସାଧାରଣ ଯାତ୍ରୀ, ବରିଷ୍ଠ ନାଗରିକ, ମହିଳା କେମିତି ଉପଯୁକ୍ତ ସେବା ପାଇପାରିବେ ସେ କଥା ପ୍ରତି ଦୃଷ୍ଟି ଦିଆଯାଉ ନାହିଁ। ସରକାର କେବଳ ଆର୍ଥିକ ଲାଭ ଦେଖୁଛନ୍ତି, ଯାତ୍ରୀଙ୍କ ସୁବିଧାକୁ ଅଣଦେଖା କରାଯାଉଛି। ତରୁନ୍ତ ଅଟୋ ଓ ଟ୍ୟାକ୍ସିରେ ମିଟର ବ୍ୟବସ୍ଥା କରାଯାଉ ବୋଲି ଶ୍ରୀ ପାଲ୍ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/AUTO-METER102506.jpg)