ଜାଇକାକୁ ନେଇ ଦେବାଶିଷ, ସଫେଇକୁ ନେଇ ପ୍ରଭାତ କ୍ଷୁବ୍‌ଧ

ଦେବାଶିଷଙ୍କ ପ୍ରଶ୍ନ; ନେତାଜୀ ବସ୍‌ ଟର୍ମିନାଲ୍‌ରୁ ବସ୍‌ ବାହାରିବ କେଉଁ ବାଟେ?

କଟକ: ସହରରେ ଜାଇକା କାମକୁ ନେଇ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ସିଏମ୍‌ସିର ସଫେଇ ବ୍ୟବସ୍ଥା ଉପରେ ପୂର୍ବତନ ବିଧାୟକ ପ୍ରଭାତ ବିଧାୟକ ବିରକ୍ତି ପ୍ରକାଶ କରିଛନ୍ତି। ସେପଟେ ସହ‌ରର ଖାନନଗରଠାରେ ୬୬ କୋଟି ଟଙ୍କାରେ ନିର୍ମାଣ ଚାଲିଥିବା ନେତାଜୀ ବସ୍‌ ଟର୍ମିନାଲକୁ କେଉଁ ବାଟ ଦେଇ ବସ୍‌ ଯିବ ଏହାକୁ ନେଇ ସହରର ପ୍ରମୁଖ ନେତା ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଆଶଙ୍କା ପ୍ରକାଶ କରିଛନ୍ତି। ମହାନଗର ନିଗମରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ବୈଠକରେ ଏପରି ବିଷୟ ଦେଖିବାକୁ ମିଳିଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧକ୍ଷତାରେ ତୁଳସୀପୁରସ୍ଥିତ ହୋଟେଲ ପ୍ରମୋଦରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ଦୀର୍ଘବର୍ଷ ଧରି ସହରବାସୀ ଯେଉଁ ମୌଳିକ ସମସ୍ୟା ମଧ୍ୟରେ ଘାଣ୍ଟି ହେଉଛନ୍ତି ଏହାକୁ ଶାସକଦଳର ମନ୍ତ୍ର ଓ ପୂର୍ବତନ ବିଧାୟକମାନେ ସ୍ବୀକାର କରିଥିବା ବେଳେ ଏହାକୁ ନେଇ ସହରରେ ଚର୍ଚ୍ଚା ଜୋର୍‌ ଧରିଛି। ମନ୍ତ୍ରୀ ଶ୍ରୀ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମୀକ୍ଷା ବୈଠକରେ ସିଏମ୍‌ସି ଅଞ୍ଚଳରେ ଚାଲିଥିବା ଜାଇକା ପ୍ରକଳ୍ପ, ବକ୍ସ ଡ୍ରେନ୍‌, ଅମୃତ ଯୋଜନା, ନେତାଜୀ ବସ୍‌ ଟର୍ମିନାଲ୍‌ ଆଦି ଉନ୍ନୟନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା। ଏଥିରେ ଖାନ୍‌ନଗରରେ ୬୫. ୬୪ କୋଟି ଟଙ୍କାରେ ଆରମ୍ଭ ହୋଇଥିବା ନେତାଜୀ ବସ୍‌ ଟର୍ମିନାଲ ଉପରେ ଆଲୋଚନା ହୋଇଥିଲା। ବସ୍‌ ଟର୍ମିନାଲ୍‌କୁ କେଉଁ ବାଟ ଦେଇ ବସ୍‌ ଯିବ ଓ ବାହାରିବ ଏହାକୁ ନେଇ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ଦେବାକୁ ଯାଇ ଜିଲ୍ଲାପାଳ ଓ ଓବିସିସିଏଲ୍‌ର ଅଧିକାରୀ ପାୱାର ପଏଣ୍ଟ୍‌ରେ ପ୍ରକଳ୍ପ ବିଷୟରେ ବୁଝାଇଥିଲେ ବି ବସ୍‌ ପ୍ରବେଶ ଓ ବାହାରିବ ନେଇ ଟ୍ରାଫିକ୍‌ ପୁଲିସ ସହିତ ଆଲୋଚନା କରାଯାଇ ସ୍ଥିର ହେବ ବୋଲି କହିଥିଲେ।

ସହରରେ କୋଟି କୋଟି ଟଙ୍କାରେ ଏତେ ବଡ ପ୍ରକଳ୍ପ କାମ ଆରମ୍ଭ ହୋଇଥିବା ବେଳେ ଏହାର ରୂପରେଖକୁ ନେଇ ପ୍ରଶାସନ ଓ ଶାସକ ଦଳର ପ୍ରମୁଖ ନେତାଙ୍କ ନିକଟରେ ସୂଚନା ନରହିବା ବିଷୟ ସହରବାସୀଙ୍କ ମଧ୍ୟରେ ଆଲୋଚନାର ବିଷୟ ହୋଇଛି। ଉଲ୍ଲେଖ୍ୟ, ନିର୍ମାଣ ଚାଲିଥିବା ଉକ୍ତ ବସ୍‌ ଟର୍ମିନାଲକୁ ନେଇ ପୂର୍ବରୁ ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ପ୍ରଶ୍ନ ଉଠାଇଥିଲେ।
ବୈଠକରେ ଜାଇକା ଚଳିତବର୍ଷ ଜୁନ୍‌ ମଧ୍ୟରେ ସହରରେ ପାଇପ୍‌ଲାଇନ୍‌ ବିଛାଇବା ଓ ଚ୍ୟାମ୍ବର୍‌ କାମ ଶେଷ କରିବାକୁ ଜାଇକା କର୍ତ୍ତୃପକ୍ଷ କହିଥିବା ବେଳେ ସମସ୍ତ ଘରକୁ ଆସନ୍ତା ନଭେମ୍ବର ସୁଦ୍ଧା ସ୍ବେରେଜ୍‌ ପାଇପ୍‌ ସଂଯୋଗ କାମ ଶେଷ କରିବାକୁ ଜାଇକା ପକ୍ଷରୁ କୁହାଯାଇଥିଲା। ଏହା ମଧ୍ୟରେ ସହରର ୧୦ ହଜାର ଘରକୁ ସ୍ବେରେଜ୍‌ ପାଇପ ସଂଯୋଗ କରାଯାଇଥିବା ଏଥିରେ କୁହାଯାଇଥିଲା। ମାତ୍ର କେଉଁ ଅଞ୍ଚଳରେ ଏହି ସଂଯୋଗ କରାଯାଇଛି ବୋଲି ପୂର୍ବତନ ବିଧାୟକ ଶ୍ରୀ ସାମନ୍ତରାୟ କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ କରିଥିଲେ। ଉତ୍ତରରେ ସିଡିଏ ଅଞ୍ଚଳରେ ଏହା ଶେଷ ହୋଇଥିବା ଜାଇକା କର୍ତ୍ତୃପକ୍ଷ କହିଥିଲେ। ହେଲେ ଏହି ସଂଯୋଗ କାମ ଆଗରୁ ଶେଷ ହୋଇଥିବା ଶ୍ରୀ ସାମନ୍ତରାୟ କହିବା ସହ ଜାଇକା କାମକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ସେପଟେ ସିଏମ୍‌ସି ପକ୍ଷରୁ ସହରରେ ଚାଲିଥିବା ପରିମଳ ବ୍ୟବସ୍ଥାକୁ ନେଇ ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳ କ୍ଷୁବ୍‌ଧ ହୋଇଥିଲେ। ନିଗମର ବିଭିନ୍ନ ୱାର୍ଡରେ ନିୟମିତ ଭାବେ ଘରକୁ ଘର ଅଳିଆ ସଂଗ୍ରହ କରାଯାଉ ନଥିବା ବେଳେ ଅନେକ ସ୍ଥାନରେ ବହୁ ନ ଧରି ଅଳିଆ ପଡ଼ି ରହୁଥିବାରୁ ଶ୍ରୀ ବିଶ୍ବାଳ ବିରକ୍ତ ହୋଇଥିଲେ। ସିଏମ୍‌ସି ପକ୍ଷରୁ ଏବେ ୧୦ଟି ୱାର୍ଡରେ ଲୋକଙ୍କ ଘରୁ ଅଳିଆ ପୃଥକ କରି ସଂଗ୍ରହ କରାଯାଉଥିବାର କୁହାଯାଇଥିଲା, ଯାହାକୁ ସମସ୍ତ ୱାର୍ଡରେ ଆରମ୍ଭ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ। ସହରର ଉଠାଦୋକାନୀଙ୍କ ପାଇଁ ଥଇଥାନର ବ୍ୟବସ୍ଥା କରା ନଯାଇ ସେମାନଙ୍କୁ ଉଚ୍ଛେଦ ନକରିବାକୁ ମନ୍ତ୍ରୀ ଶ୍ରୀ ଜେନା ପୁଲିସ ପ୍ରଶାସନ, ସିଡିଏ ଓ ସିଏମ୍‌ସିକୁ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ୱାଟ‌୍‌କୋ ପକ୍ଷରୁ ୨୦୨୩ ଡିସେମ୍ବର ସୁଦ୍ଧା ସମସ୍ତ ଘରକୁ ୨୪ ଘଣ୍ଟିଆ ବିଶୁଦ୍ଧ ନଦୀପାଣି ଯୋଗାଇ ଦିଆଯିବାକୁ କୁହାଯାଇଛି। ସେହିପରି ପଟ୍ଟାପୋଲରୁ ମାତୃଭବନ ପର୍ଯ୍ୟନ୍ତ ଏମ୍‌ଏସ୍‌ଡବ୍ଲୁ-୧ ଡ୍ରେନ୍‌ ଉପରେ ହେବାକୁ ଥିବା ବକ୍ସ ଡ୍ରେନ୍‌କୁ ୨୦୨୨ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ଜାଇକା ପକ୍ଷରୁ କୁହାଯାଇଥିଲା। ସିଏମ୍‌ସିର ଯେଉଁ ୱାର୍ଡଗୁଡିକରେ ଜାଇକା ପ୍ରକଳ୍ପ ଆରମ୍ଭ ହୋଇନାହିଁ ସେଠାରେ ଏହାର ଯୋଜନା ପ୍ରସ୍ତୁତ କରି କାମ ଆରମ୍ଭ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ଜାଇକା ଅଧିକାରୀଙ୍କୁ କହିଥିଲେ। ସହର ରାସ୍ତାକଡର ଅନେକ ବିଦ୍ୟୁତ ଖୁଣ୍ଟିରେ ବଲ୍‌ବ ଜଳୁ ନଥିବାରୁ ଏହାର ମରାମତି କାମ ଶୀଘ୍ର ଶେଷ କରିବାକୁ ସିଏମ୍‌ସିକୁ କୁହାଯାଇଥିଲା। ତେଲୁଗୁ ସଂପ୍ରଦାୟର ଲୋକଙ୍କ ପାଇଁ ସତୀଚୌରାଠାରେ ଶ୍ମଶାନ ପାଇଁ ଜମି ଦେବାକୁ ଜିଲ୍ଲା ପ୍ରଶାସନକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସିଡିଏ ଅଞ୍ଚଳରେ ଶିଳନ୍ୟାସ ହୋଇଥିବା ୨ଟି କଲ୍ୟାଣମଣ୍ଡପକୁ ଶୀଘ୍ର ନିର୍ମାଣ କରିବା, ପେଟ୍ଟାନାଳ, ଶିଶୁ ଭବନର ହସ୍ପିଟାଲ ବିଲଡିଂ, ପୋତା ଯାଇଥିବା ମହାନଦୀ ପଠାର ଉନ୍ନତିକରଣ ଆଦି ବିଷୟଉପରେ ଆଲୋଚନା ହୋଇଥିଲା। ଆସନ୍ତା ୬ ତାରିଖ ଦିନ ସହରରେ ଅମୃତ ଯୋଜନାରେ ପିଇବାପାଣିର ୩ଟି ଟ୍ରିଟମେଣ୍ଟ୍‌ ପ୍ଲାଣ୍ଟକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ ବୋଲି ଏଥିରେ ସୂଚନା ଦିଆଯାଇଥିଲା। ବୈଠକରେ ବିଧାୟକ ଚନ୍ଦ୍ରସାରଥି ବେହେରା, ବିଧାୟକ ସୌଭିକ ବିଶ୍ବାଳ, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଓ ରାଜେନ୍ଦ୍ର ପ୍ରସାଦ ସିଂହ, ସିଡିଏ ଚେୟାର୍‌ମ୍ୟାନ୍‌ ଅନୀଲ କୁମାର ସାମଲ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ନେତା ଅରିନ୍ଦମ ଦାସ, ଶାନ୍ତି କମିଟି ସଭାପତି ଦେବେନ୍ଦ୍ର ନାଥ ସାହୁ, ସାଧାରଣ ସଂପାଦକ ଭିକାରି ଦାସଙ୍କ ସମେତ ବହୁ ପୂର୍ବତନ ସିଏମ୍‌ସି କର୍ପୋରେଟର, ସାହି ଓ ପୂଜା କମିଟି ମୁରବି, ସିଏମ୍‌ସି, ଜାଇକା, ୱାଟ୍‌କୋ, ଓବିସିସି ବିଭାଗର ଅଧିକାରୀ ଓ ଇଂଜିନିୟର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର