କଟକ: ଏଣିକି କଟକ ସହରରେ ହାଇସ୍କୁଲ ଛାତ୍ରଛାତ୍ରୀମାନେ ଖାଇବେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ। ସ୍କୁଲରେ ଖେଳଛୁଟି ସମୟରେ ସ୍କୁଲ ଛାତ୍ରଛାତ୍ରୀମାନେ ମାଣ୍ଡିଆ ପ୍ରସ୍ତୁତ ବିସ୍କୁଟ, କେକ୍, ସେଓ, ଲଡ଼ୁ, ଗାଣ୍ଠିଆ, ବାଦାମ ପକୋଡ଼ା ଇତ୍ୟାଦି କିଣି ଖାଇବେ। ଜିଲ୍ଲାରେ ଖାନନଗର ହାଇସ୍କୁଲ ସମେତ ଆଉ କିଛି ପ୍ରମୁଖ ହାଇସ୍କୁଲରେ ପରୀକ୍ଷାମୂଳକ ଭାବେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚଜି)ର ମହିଳାମାନେ ସ୍କୁଲ ପରିସରରେ ଏଭଳି ସାମଗ୍ରୀ ବିକ୍ରି କରିବେ। କାର୍ଯ୍ୟକ୍ରମ ସଫଳ ହେଲେ ଏବଂ ଛାତ୍ରଛାତ୍ରୀଙ୍କ ଏ ପ୍ରକାର ଖାଦ୍ୟ ପ୍ରତି ଆଗ୍ରହ ବଢ଼ିଲେ ପ୍ରତ୍ୟେକ ସ୍କୁଲରେ କାର୍ଯ୍ୟକାରୀ ହେବା ନେଇ ଲକ୍ଷ୍ୟ ରହିଛି।
ସୂଚନା ଅନୁଯାୟୀ, ଓଡ଼ିଶା ମିଲେଟ୍‍ ମିସନ ପକ୍ଷରୁ ମିସନ୍‍ ଶକ୍ତି ଅନ୍ତର୍ଗତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଜରିଆରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଉତ୍ପାଦନ ହେଉଥିବା ମିଲେଟ୍ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ନେଇ ପଦକ୍ଷେପ ଗ୍ରହଣ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଉଟଲେଟ୍‌ ଓ କାଫେ ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଥିବା ବେଳେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ବାରବାଟୀ ପ୍ୟାଲେସରେ ଦୁଇଟି ଷ୍ଟଲ୍ ଖୋଲାଯାଇଛି। ରାଜ୍ୟ ସରକାର ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀର ପ୍ରଚାର ପ୍ରସାର ଦିଗରେ ପକ୍ଷେପ ସ୍ବରୂପ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିବାରୁ ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟକୁ ନେଇ ଆଗ୍ରହ ବଢ଼ିବାରେ ଲାଗିଛି।

Advertisment

କଟକ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ଖାନନଗର ହାଇସ୍କୁଲ, କାଜୀବଜାର ହାଇସ୍କୁଲ, ରେଭେନ୍ସା କଲିଜିଏଟ୍, ରେଭେନ୍ସା ବାଳିକା ଉଚ୍ଚବିଦ୍ୟାଳୟ ଇତ୍ୟାଦିରେ ମିଲେଟ୍ କର୍ଣ୍ଣର ଖୋଲିବାକୁ ଯୋଜନା ହୋଇଛି। ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ସ୍କୁଲରେ ଏକ ସ୍ବତନ୍ତ୍ର ପ୍ରକୋଷ୍ଠରେ ମିଲେଟ୍ ସାମଗ୍ରୀ ବିକ୍ରି କରିବେ। ଏଥିରେ ସ୍କୁଲ କର୍ତ୍ତୃପକ୍ଷ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ସହଯୋଗ କରିବେ। ପ୍ରଶାସନ ସହିତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କର ଏସଂପର୍କିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଖୁବ ଶୀଘ୍ର ଆୟୋଜିତ ହେବାକୁ ଯାଉଛି।
ଏ ସଂପର୍କରେ ଖାନନଗର ହାଇସ୍କୁଲର ପ୍ରଧାନଶିକ୍ଷକ ଅକ୍ଷୟ କୁମାର ଷଢ଼ଙ୍ଗୀ କହିଛନ୍ତି ଯେ ମାଣ୍ଡିଆରେ ବହୁ ପରିମାଣର ପୋଷକ ତତ୍ତ୍ବ ରହିଛି। ସ୍କୁଲ ପିଲାମାନେ ଖେଳଛୁଟିରେ ବାହାର ଦୂଷିତ ଖାଦ୍ୟ କିଣି ଖାଉଥିବା ବେଳେ ଏହା ସ୍ବାସ୍ଥ୍ୟ ପ୍ରତି ଖରାପ ପ୍ରଭାବ ପକାଉଛି। ତେଣୁ ସ୍କୁଲରେ ଆରମ୍ଭ ହେବାକୁ ଯାଉଥିବା ମିଲେଟ୍ ମିସନ କାର୍ଯ୍ୟକ୍ରମରେ ପିଲାମାନଙ୍କୁ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ କିଣି ଖାଇବାକୁ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ବାରା ସଚେତନ କରାଯିବ। ଖେଳଛୁଟିରେ ବାହାରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀ ନଖାଇବାକୁ ବାରଣ କରାଯିବ। ଏଥିରେ ପିଲାଙ୍କ ପକେଟକୁ ସୁହାଇଲା ଭଳି ମାଣ୍ଡିଆରେ ପ୍ରସ୍ତୁତ କେଉଁ ଖାଦ୍ୟ ସାମଗ୍ରୀ ରହିଛି, ଏହାକୁ ଚୟନ କରାଯିବ। ସେହି ଅନୁଯାୟୀ ଉକ୍ତ ସାମଗ୍ରୀଗୁଡ଼ିକ ସ୍କୁଲରେ ବିକ୍ରି କରାଯିବ। ଆସନ୍ତା ୧୪ ତାରିଖ ପରେ ପରୀକ୍ଷାମୂଳକ ଭାବେ ଏହି କାର୍ଯ୍ୟକ୍ରମ ଖାନନଗର ହାଇସ୍କୁଲରେ ଆରମ୍ଭ ହେବାକୁ ଯାଉଛି। ଏକ ସପ୍ତାହ ଯାଏ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ବିକ୍ରି କରାଯିବ। ଆସନ୍ତା ମେ’ ପ୍ରଥମ ସପ୍ତାହରୁ ଜୁନ ୧୭ ଯାଏ ଖରା ଛୁଟି ହେଉଥିବାରୁ ସ୍କୁଲ ଖୋଲିବା ପରେ ଏହାକୁ ପୁନଃ କାର୍ଯ୍ୟକ୍ଷମ କରାଯିବାକୁ ଯୋଜନା କରାଯାଉଛି।