ସିଡିଏରେ ପ୍ରସ୍ତାବିତ ମିନି ଷ୍ଟାଡିୟମ କେବେ? ଜାଗା ଦଖଲ ପରେ ବି ଅଟକି ରହିଛି କାମ

ସିଡିଏ: ସିଡିଏ ଅଚଂଳରେ ଏବେ ପାଖାପାଖି ଏକ ଲକ୍ଷ ଲୋକ ବସବାସ କରୁଥିବା ବେଳେ ବହୁ ପ୍ରତିଭାବାନ ପିଲା ଖେଳକୁଦ ପାଇଁ ଜାଗା ଅଭାବରୁ ନିୟମିତ ଅଭ୍ୟାସରୁ ବଂଚିତ ହେଉଛନ୍ତି। ବାରବାଟୀ ଷ୍ଟାଡିୟମ୍ ଓ ସତ୍ୟବ୍ରତ ଷ୍ଟାଡିୟମ୍ ଉପରେ ଅନେକ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପଟେ ସିଡିଏରେ ଏକ ଷ୍ଟାଡିୟମ ନିର୍ମାଣ ପାଇଁ ବହୁ ଦିନରୁ ଦାବି ହୋଇ ଆସୁଥିଲା। ହେଲେ ସରକାର ବହୁ ଦିନ ଧରି ଲୋକଙ୍କ ଦାବିକୁ ଅଣଦେଖା କରି ଚାଲିଥିଲା ବେଳେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା। ଶେଷରେ ସରକାର ଲୋକଙ୍କ ଦାବି ମାନିବା ସହିତ ଷ୍ଟାଡିୟମ କରାଯିବାକୁ ନିଷ୍ପତ୍ତି ନେଇଛନ୍ତି। ଯେଉଁଠି ଷ୍ଟାଡିୟମ ନିର୍ମାଣ ହେବାକୁ ଜାଗା ଚିହ୍ନଟ ହୋଇଥିଲା, ସେ ଜାଗାଟି ଜବରଦଖଲ ହୋଇ ରହିଥିଲା। ଦୁଇ ମାସ ତଳେ ସେ ଜାଗାକୁ ଜବରଦଖଲ ମୁକ୍ତ କରାଯାଇଛି ଏବଂ ଚାରି ପାଖରେ ତାର ବାଡ ବୁଲାଇ ଦିଆଯାଇଛି।

ସେତେବେଳେ କୁହାଗଲା କି କାମ ଖୁବ୍ କମ୍ ଦିନ ଭିତରେ ଆରମ୍ଭ କରାଯିବ। ହେଲେ ଆଜିଯାଏ ସେଠାରେ ଇଟା ଖଣ୍ଡେ ବି ବସି ପାରି ନାହିଁ। ପୂର୍ବରୁ ଅନେକ କାମର ଶୁଭ ଦିଆଯାଇଥିବା ବେଳେ ସେହି କାମ ଆଜି ଯାଏ ଆରମ୍ଭ ହୋଇ ପାରି ନାହିଁ। ତେଣୁ ଏହାର ଭବିଷ୍ୟତକୁ ନେଇ ବି ସନ୍ଦେହ ବଢିବାରେ ଲାଗିଛି। ସୂଚନା ଯୋଗ୍ୟ ଯେ ଏହି ଷ୍ଟାଡିୟମ୍ ନିର୍ମାଣ କରିବା ପାଇଁ ସିଡିଏ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ୧ ଏକର ୮୨ ଡିସିମିଲି ଜାଗାକୁ ସିଡିଏ କର୍ତ୍ତୃପକ୍ଷ ସରକାରଙ୍କୁ ହସ୍ତାନ୍ତର କରିସାରିଛନ୍ତି। ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଏଠାରେ ଏକ ମିନି ଷ୍ଟାଡିୟମ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି।

ସମ୍ବନ୍ଧିତ ଖବର