କଟକ: ବିଦ୍ୟୁତ ଗ୍ରାହକଙ୍କ ପାଇଁ ଆଶ୍ବସ୍ତି। ଆଉ ବଢିବ ନାହିଁ ବିଦ୍ୟୁତ ଦର। ଆଗାମୀ ୩ ବର୍ଷ ଯାଏଁ ବିଦ୍ୟୁତ ଦର ବୃଦ୍ଧି ପାଇବ ନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ। ବିଦ୍ୟୁତ ଦର ବୃଦ୍ଧି ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ଭୁଲ ବୋଲି ଶକ୍ତିମନ୍ତ୍ରୀ କହିଛନ୍ତି। ବିଦ୍ୟୁତ ଦରବୃଦ୍ଧି ନେଇ ରାଜ୍ୟ ସରକାର କୌଣସି ଯୋଜନା ରଖି ନଥିବା ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ। ବିଦ୍ୟୁତ ଦର ବୃଦ୍ଧି ହୋଇପାରେ ବୋଲି କିଛି ଗଣମାଧ୍ୟମ ଯେଉଁ ଅପପ୍ରଚାର କରୁଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ ବୋଲି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି। ନୂଆବର୍ଷରୁ ବିଦ୍ୟୁତ ଦର ବଢ଼ିବା ନେଇ ଚର୍ଚ୍ଚା ହେଉଥିଲା। ଏନେଇ କିଛି ଗଣମାଧ୍ୟମ ଜୋରଦାର ଖବର ପ୍ରସାରଣ କରୁଥିଲେ। ଏପରିକି କିଛି ସଙ୍ଗଠନ ମଧ୍ୟ ଏହି ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଥିଲେ। କିଛିକିଛି ସ୍ଥାନରେ ପ୍ରତିବାଦ ମଧ୍ୟ କରାଯାଇଥିଲା। ଯାହାକୁ ନେଇ ଅନେକ ବିଦ୍ୟୁତ ଉପଭୋକ୍ତା ଚିନ୍ତାରେ ପଡି ଯାଇଥିଲେ। କାରଣ ଭାରତର ଅନେକ ରାଜ୍ୟ ତୁଳନାରେ ରାଜ୍ୟରେ ବିଦ୍ୟୁତ ଦର ଅଧିକ ରହିଛି। ସାଧାରଣ ଉପଭୋକ୍ତାଟିଏ ବିନା ବିଦ୍ୟୁତରେ ଚଳିବା କଷ୍ଟକର ହୋଇ ପଡ଼ିଲାଣି।
ସେହିପରି ଚଳିତବର୍ଷ ପ୍ରବଳ ଗରମ ହେବାର ଯଥେଷ୍ଟ ସମ୍ଭାବନା ରହିଥିବାରୁ ବିଦ୍ୟୁତ ଦରକୁ ନେଇ ଅନେକ ଉପଭୋକ୍ତା ଚିନ୍ତାରେ ପଡ଼ି ଯାଇଥିଲେ। ମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ଉପଭୋକ୍ତାଙ୍କୁ ଆଶ୍ବସ୍ତି ମିଳିଛି ମନ୍ତ୍ରୀଙ୍କ କହିବା ମୁତାବକ ରାଜ୍ୟରେ ୨୫ ବର୍ଷ ପର୍ଯ୍ୟନ୍ତ ଟାଟା ପାୱାର ବିଦ୍ୟୁତ ସେବା ଦେବା ପାଇଁ ଚୁକ୍ତି କରାଯାଇଛି। ସମସ୍ତ ଉପଭୋକ୍ତାଙ୍କୁ ଯେପରି ସମସ୍ତ ସେବା ପ୍ରଦାନ କରାଯିବ ତାହା ସେମାନଙ୍କର ଦାୟିତ୍ବ। ନିରବିଛନ୍ନ ବିଦ୍ୟୁତ ସେବା ପାଇଁ ଟାଟା ସମସ୍ତ ପ୍ରକାର କାର୍ଯ୍ୟ କରୁଥିବା ବିଭାଗୀୟ ମନ୍ତ୍ରୀ କହିଛନ୍ତି।