ତାଳଦଣ୍ଡା ଓ ଶିଶୁଭବନ କାର୍ଯ୍ୟର ସମୀକ୍ଷା କଲେ ପୂର୍ତ୍ତ ମନ୍ତ୍ରୀ

କଟକ:  ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ଙ୍କ କଟକ ଗସ୍ତ ପରେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କଟକ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ତାଳଦଣ୍ଡା ସଂପ୍ରସାରଣ ଯୋଜନାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ, ଶିଶୁଭବନରେ ନିର୍ମାଣାଧୀନ ୬ମହଲା କୋଠାର ମନ୍ତ୍ରୀ ସମୀକ୍ଷା କରିଥିଲେ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ଚାଲିବା ନେଇ ସେ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥି‌ଲେ। ମନ୍ତ୍ରୀଙ୍କ ସହିତ ଚୌଦ୍ବାର-କଟକ ବିଧାୟକ ସୌଭିକ୍‌ ବିଶ୍ବାଳ, ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡାକ୍ତର ଜ୍ଞାନେନ୍ଦ୍ରନାଥ ବେହେରା ଓ ପୂର୍ତ୍ତବିଭାଗର ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଗତ ସୋମବାର ଦିନ ଭୋର୍‌ ୫ଟାରେ ୫-ଟି ସଚିବ କଟକ ଗସ୍ତରେ ଆସି ଏସ୍‌ସିବି ସଂପ୍ରସାରଣ ଯୋଜନାର ଅଗ୍ରଗତି ଓ ତାଳଦଣ୍ଡା କେନାଲ ତଥା ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ।

ପୂର୍ତ୍ତିବିଭାଗ ମନ୍ତ୍ରୀ କଟକରେ ପହଞ୍ଚି ଏହାର ସମୀକ୍ଷା କରିବା ପରେ ସରକାର ଏହି ଯୋଜନାକୁ କେତେ ଗୁରୁତ୍ବର ସହିତ ନେଇଛନ୍ତି। ତାଳଦଣ୍ଡା ସଂପ୍ରସାରଣରେ ୫ଟି ପ୍ରକଳ୍ପ; ରାଣୀହାଟରୁ ମାତୃଭବନ, ରାଣୀହାଟରୁ ମାଲଗୋଦାମ, ମାତୃଭବନରୁ ନୂଆବଜାର ଉଭୟ ପାର୍ଶ୍ବ ରାସ୍ତାର ଅଗ୍ରଗତି କାର୍ଯ୍ୟ ସମୀକ୍ଷା କରିଥିଲେ। ଏଥିସହ ଗୋପାଳପୁର ଓଭରବ୍ରିଜ୍‌, ନୂଆବଜାର ହାଇସ୍କୁଲରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ବି ସ୍ଥିତି ଅନୁଧ୍ୟାନ କରିଥିଲେ। ମନ୍ତ୍ରୀଙ୍କ ଗସ୍ତ ସମୟରେ ପୂର୍ତ୍ତ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ. ପ୍ରଫୁଲ୍ଲ ପ୍ରଧାନ, ଅଧୀକ୍ଷଣ ଯନ୍ତ୍ରୀ ଇଂ. ପ୍ରଭାସ କୁମାର ମାଝି, ସହକାରୀ ନିର୍ବାହୀଯନ୍ତ୍ରୀ ଇଂ ରଞ୍ଜନ କୁମାର ସାମଲ, ସହକାରୀ ଯନ୍ତ୍ରୀ ଉମାକାନ୍ତ ବେହେରା, ରବୀନ୍ଦ୍ର ରାଉତ୍‌ରାୟ, ଅଶୋକ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ବିବରଣୀ ରଖିଥିଲେ।

ସମ୍ବନ୍ଧିତ ଖବର