ପୁଲିସ୍‌ର ମିସନ୍ ‘ଗୁଣ୍ଡା ପରେଡ୍’, ପ୍ରଥମ ଦିନ ଆସିଲେ ୧୯୮ ଅପରାଧୀ

ଏଣିତି ପ୍ରତ୍ୟେକ ରବିବାର ହାଜିରା, ପୁଲିସକୁ ପାର୍ବଣ ଚିନ୍ତା

କଟକ: ପାର୍ବଣ ପୂର୍ବରୁ ଅପରାଧୀଙ୍କୁ ଗୋଡ଼େ ଗୋଡ଼େ ଜଗିବାକୁ ରଣନୀତି ଆରମ୍ଭ କରିଛି କଟକ କମିସନରେଟ୍ ପୁଲିସ। ‘ଗୁଣ୍ଡା ପରେଡ୍’ ନାଁରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ରବିବାର ଥାନାଵାରି ପେସାଦାର ଅପରାଧୀ ଥାନାରେ ହାଜିରା ଦେଇଛନ୍ତି। ଏଣିକି ପାର୍ବଣ ଯାଏ ନିୟମିତ ପ୍ରତ୍ୟେକ ରବିବାର ଅପରାଧୀ ଥାନାକୁ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଥମ ଦିନରେ ରବିବାର ୧୯୮ ଜଣ ପେସାଦାର ଅପରାଧୀ ବିଭିନ୍ନ ଥାନାରେ ହାଜର ହୋଇଥିଲେ। ସୂଚନା ଅନୁଯାୟୀ, କରୋନା କଟକଣା ପାଇଁ ଗଲା ଦୁଇବର୍ଷ ହେବ କଟକ ସହରରେ ପାର୍ବଣ ଏକପ୍ରକାର ମାନ୍ଦା ପଡ଼ିଥିଲା। ଏଥର କଟକଣା ହଟିଯାଇଥିବାରୁ ସହର ଉତ୍ସବମୁଖର ହେବାକୁ ଯାଉଛି। ତେବେ ଅପରାଧୀକ କାର୍ଯ୍ୟକଳାପ ବି ପୂର୍ବ ଭଳି ସକ୍ରିୟ ହେବା ନେଇ ଆଶଙ୍କା କରାଯାଉଛି। ଜେଲ୍ ଫେରନ୍ତା ଅପରାଧୀ ଯେଭଳି ସକ୍ରିୟ ନହୁଅନ୍ତି ସେଥିପାଇଁ ଡିସିପି ପିନାକ୍ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ନିକଟରେ ଆରମ୍ଭ ହେବାକୁ ଯାଉଥିବା ଗଣେଶ ପୂଜାରୁ ଦଶହରା, କାଳୀପୂଜା, କାର୍ତ୍ତିକେଶ୍ବର ପୂଜା ଯାଏ କଟକ ସହରରେ ଥାନାଵାରି ‘ଗୁଣ୍ଡା ପରେଡ୍’ କାର୍ଯ୍ୟକ୍ରମ ପ୍ରଥମଥର ପାଇଁ ଆରମ୍ଭ କରାଯାଇଛି। ପ୍ରତ୍ୟେକ ଥାନା ଅଞ୍ଚଳରେ ଥିବା ଜେଲ୍‌ ଫେରନ୍ତା ଅପରାଧୀ କିମ୍ବା ସର୍ତ୍ତମୂଳକ ଜାମିନରେ ଖଲାସ ହୋଇ ବାହାରେ ଥିବା ଅପରାଧୀଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଏମାନଙ୍କୁ ରବିବାର ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆଜି ସକାଳେ ପ୍ରତ୍ୟେକ ଥାନାରେ ସେମାନେ ହାଜର ହୋଇଥିଲେ। ଆଜି ହାଜର ହୋଇଥିବା‌ ତାଲିକାରେ ମଧୁପାଟଣା ଥାନାର ୧୧, ବାଦାମବାଡ଼ି ୧୯, ପୁରୀଘାଟ ୧୩, ଲାଲବାଗ ୧୩, ଦରଘାବଜାର ୮, ବିଡାନାସୀ ୮, ମର୍କତନଗର ୯, ଫେଜ୍-୨ର ୪, କ୍ୟାଣ୍ଟନମେଣ୍ଟ ୧୩, ମଙ୍ଗଳାବାଗ ୩୨, ମାଲଗୋଦାମ ୯, ଚାଉଳିଆଗଞ୍ଜ ୭, କନ୍ଦରପୁର ୯, ବୟାଳିଶମୌଜା ୮, ସଦର ୯, ଚୌଦ୍ବାର ୬, ଜଗତପୁର ଥାନାରେ ୨୦ ଜଣ ଅପରାଧୀ ହାଜର ହୋଇଥିଲେ।

ଥାନାରେ ଏକ ରେଜିଷ୍ଟର୍‌ ପ୍ରସ୍ତୁତ କରି ପ୍ରତ୍ୟେକ ଅପରାଧୀଙ୍କ ପରିଚୟ ଓ ଯୋଗାଯୋଗ ନମ୍ବର ଲେଖାଯାଇଥିଲା। ବର୍ତ୍ତମାନ ଏମାନେ କେଉଁ ବୃତ୍ତିରେ ଅଛନ୍ତି, ସେ ନେଇ ପୁଲିସ ସେମାନଙ୍କୁ ପଚାରି ବୁଝିଥିଲା। ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଥାନା ବାବୁମାନେ ପରାମର୍ଶ ଦେଇଥିଲେ। ଯେଭଳି ପାର୍ବଣ ସମୟରେ କୌଣସି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନକରନ୍ତି, ସେ ନେଇ ତାଗିଦ କରାଯାଇଥିଲା। ଏହାବାଦ୍ ଥାନାରେ ଥିବା ସମସ୍ତ ଅଧିକାରୀ ନିଜ ଅଞ୍ଚଳରେ ଥିବା ପେସାଦାର ଅପରାଧୀଙ୍କୁ ଚିହ୍ନିବାକୁ ଏକ ସୁଯୋଗ ସୃଷ୍ଟି କରାଯାଇଥିଲା। ଏହା ପରବର୍ତ୍ତୀ ସମୟରେ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବ। ଏହିଭଳି କ୍ରମରେ ପ୍ରତ୍ୟେକ ରବିବାର ଥାନାକୁ ଅପରାଧୀମାନେ ଆସିବେ। ରବିବାର ପ୍ରଥମ ଦିନ ଅନେକ ଥାନାରେ ପାଣି ଭାର ନେଇ ଯାଇଥିବା ଅପରାଧୀମାନେ ଥାନାରେ ହାଜର ହୋଇପାରି ନଥିଲେ। ଏମାନେ ପରବର୍ତ୍ତୀ ରବିବାର ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର