ମହାନଦୀବିହାରକୁ ମୋ’ ବସ୍ ସେବା ସଂପ୍ରସାରିତ: ରହିଗଲା ଚାଉଳିଆଗଞ୍ଜ, ନୂଆବଜାର, ବିଦ୍ୟାଧରପୁର

କଟକ: ମୋ’ ବସ୍ ସେବା କଟକ ସହରର ମହାନଦୀବିହାର ପର୍ଯ୍ୟନ୍ତ ନିକଟରେ ସଂପ୍ରସାରିତ କରାଯାଇଥିବା ବେଳେ ପୂର୍ବାଞ୍ଚଳର ଅନ୍ୟ ବହୁ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ ଏପରି ସେବାରୁ ବଞ୍ଚିତ। ଚାଉଳିଆଗଞ୍ଜ, ନୂଆବଜାର, ପୋତାପୋଖରୀ, ବିଦ୍ୟାଧରପୁର, ଏନ୍‌ଆର୍‌ଆର୍‌ଆଇ ଛକ ପର୍ଯ୍ୟନ୍ତ ମୋ ବସ୍ ସେବା ବ୍ୟବସ୍ଥା କରିବାକୁ ଦାବି ହୋଇଛି। ପୋତୋପୋଖରୀ-ନୂଆବଜାର ଅଞ୍ଚଳରେ ସଦର ବ୍ଲକ, ସବ୍‌ଟ୍ରେଜେରି, କୃଷି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ, ପୂର୍ତ୍ତ ବିଭାଗ ଓ କ୍ଷୁତ୍ର ଜଳସେଚନ କାର୍ଯ୍ୟାଳୟ ରହିଛି। ଏହି ସବୁ କାର୍ଯ୍ୟାଳୟକୁ ପ୍ରତିଦିନ ଶତାଧିକ ଲୋକ ବିଭିନ୍ନ କାର୍ଯ୍ୟ ନେଇ ଆସୁଛନ୍ତି। ସେହିଭଳି ଭାବେ ବିଦ୍ୟାଧରପୁରରେ ରହିଛି କଟକ କଲେଜ ଓ ଜାତୀୟ ଧାନ ଗବେଷଣା କେନ୍ଦ୍ର (ଏନ୍‌ଆର୍‌ଆର୍‌ଆଇ)। ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି କୃଷକ ଓ ସାଧାରଣ ଲୋକ ଏଥି ପାଇଁ ବିଦ୍ୟାଧରପୁରକୁ ଆସୁଛନ୍ତି। କିନ୍ତୁ ଏହି ସବୁ ସ୍ଥାନକୁ ସିଧାସଳଖ କୌଣସି ସାଧାରଣ ପରିବହନ ବ୍ୟବସ୍ଥା ନାହିଁ। ଓଏମପି ଛକରୁ ନୂଆବଜାର ଛକ ଦେଇ ପୋତାପୋଖରୀ ଓ ବିଦ୍ୟାଧରପୁର ଅଞ୍ଚଳକୁ ଯିବାକୁ ହୋଇଥାଏ। ମହାନଦୀବିହାରରୁ ପୋତାପୋଖରୀ ଓ ନୂଆବଜାର ଛକକୁ ମଧ୍ୟ ଭଲ ରାସ୍ତା ରହିଛି।

ଓଏମ୍‌ପି ଛକରୁ ଦୁଇ କି.ମି. ଦୂର ନୂଆବଜାରକୁ ସିଧା ଜଣେ ବ୍ୟକ୍ତି ସେୟାର ଅଟୋରେ ଗଲେ ୨୦ ଟଙ୍କା ଏବେ ଦେବାକୁ ପଡୁଛି। ଏତିକି ବାଟକୁ ରିଜର୍ଭ ଅଟୋରେ ଗଲେ ୫୦ରୁ ୧୦୦ ଟଙ୍କା ଖର୍ଚ୍ଚ ହେଉଛି। ସେଠାରୁ ପୋତାପୋଖରୀକୁ ଓ ବିଦ୍ୟାଧରପୁର ଅଞ୍ଚଳକୁ ସେୟାର୍‌ ଅଟୋ ସବୁ ସମୟରେ ମିଳିବା କଷ୍ଟ। ନୂଆବଜାର ଛକରୁ ପ୍ରାୟ ଅଧ କିମି ଦୂର ପୋତାପୋଖରୀକୁ ଯିବାକୁ ରିଜର୍ଭ ଅଟୋ ଭଡ଼ା ଅତି କମରେ ୪୦ରୁ ୫୦ ଟଙ୍କା ଦେବାକୁ ପଡୁଛି। ସେହିଭଳି ଭାବେ ନୂଆବଜାରରୁ ଦେଢ କି.ମି. ଦୂର ଏନ୍‌ଆର୍‌ଆର୍‌ଆଇକୁ ଯିବାକୁ ହେଲେ ଅଟୋ ଭଡା ୫୦ରୁ ୧୦୦ ଟଙ୍କା ଦେବାକୁ ପଡୁଛି। ଏଭଳି ସ୍ଥିତିରେ ସାଧାରଣ ଯାତ୍ରୀ କେବଳ ଶୋଷଣର ଶିକାର ହେଉଛନ୍ତି। ଓଏମ୍‌ପି ଛକରେ ରହଣି ବ୍ୟବସ୍ଥା କରାଯାଇଥିବା ବେଳେ ଘଣ୍ଟା ଘଣ୍ଟା ଧରି ମୋ ବସ୍ ଛିଡା ହୋଇ ରହୁଥିବା ଦେଖିବାକୁ ମିଳୁଛି। ମୋ ବସ୍ ରହଣି ପାଇଁ ପୋତାପୋଖରୀ, ନୂଆବଜାର ଓ ବିଦ୍ୟାଧରପୁର ଅଞ୍ଚଳରେ ପର୍ଯ୍ୟାପ୍ତ ସରକାରୀ ଜାଗା ରହିଛି। ଏଭଳି ସ୍ଥିତିରେ ପୂର୍ବାଞ୍ଚଳ ବାସିନ୍ଦାଙ୍କ ପାଇଁ ମୋ ବସ୍ ସେବା ଚାଉଳିଆଗଞ୍ଜ, ନୂଆବଜାର, ପୋତାପୋଖରୀ, ବିଦ୍ୟାଧରପୁର ଅଞ୍ଚଳକୁ ସଂପ୍ରସାରିତ କରାଯାଉ ବୋଲି ବିଜେପି ନୂଆବଜାର ମଣ୍ଡଳ ସାଧାରଣ ସଂପାଦକ ଚିରଂଜୀବୀ ଖଣ୍ଡାୟତରାୟ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର