ଅଗଷ୍ଟ ୧୦ ସୁଦ୍ଧା ଏସ୍‌ସିବିରେ ‘ମଙ୍କିପକ୍ସ’ ତାଲିମ

ଡାକ୍ତର ଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ୬ଜଣିଆ କମିଟି, ପ୍ରଥମ ପର୍ଯ୍ୟାୟରେ ୧୦୦ଙ୍କୁ ତାଲିମ୍‌ ଯୋଜନା

କଟକ: ‘ମଙ୍କିପକ୍ସ’କୁ ନେଇ ଗତକାଲି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହେବା ପରେ ଏହାକୁ ସାମ୍‌ନା କରିବା ପାଇଁ ଏସ୍‌ସିବିରେ କେମିତି ତାଲିମ୍‌ ପ୍ରଦାନ କରାଯିବ ସେ ସଂପର୍କରେ ଆଲୋଚନା କରାଯାଇଛି। ଅଗଷ୍ଟ ୧୦ ସୁଦ୍ଧା ଏସ୍‌ସିବିରେ ରାଜ୍ୟର ଡାକ୍ତର, ପାରାମେଡିକାଲ୍‌ କର୍ମଚାରୀଙ୍କୁ ତାଲିମ୍‌ ଦେବା ପାଇଁ ଯୋଜନା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଶହେ ଜଣଙ୍କୁ ତାଲିମ୍‌ ଦିଆଯିବାକୁ ଯୋଜନା କରାଯାଇଥିବା‌ ବେଳେ କେଉଁ ଜିଲ୍ଲାରୁ କେତେ ଡାକ୍ତର ଆସିବେ ଓ କିପରି ତାଲିମ ଦିଆଯିବ ତାହାର ରୂପରେଖ ପ୍ରସ୍ତୁତ କରାଯାଉଛି ବୋଲି ଏସ୍‌ସିବି ମେଡିସିନ୍‌ ବିଭାଗ ମୁଖ୍ୟ ତଥା ‘ମଙ୍କିପକ୍ସ’ ତାଲିମ ପାଇଁ ଗଠନ କରାଯାଇଥିବା କମିଟିର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଜୟନ୍ତ କୁମାର ପଣ୍ଡା ସୂଚନା ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ, ଏସ୍‌ସିବିରେ ‘ମଙ୍କିପକ୍ସ’ ସତର୍କତା, ମୁବାକିଲା ଓ ଚିକିତ୍ସା ପାଇଁ ୬ଜଣିଆ କମିଟି ଗଠନ କରାଯାଇଛି। ଏହି କମିଟିରେ ମେଡିସିନ୍‌ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଜୟନ୍ତ କୁମାର ପଣ୍ଡା ଅଧ୍ୟକ୍ଷ ରହିଥିବା ବେଳେ ମେଡିସିନ୍‌ ବିଭାଗର ସହକାରୀ ପ୍ରଫେସର ଡାକ୍ତର ନିରଞ୍ଜନ ମହାପାତ୍ରଙ୍କୁ ନୋଡାଲ୍‌ ଅଫିସର୍‌ ଭାବେ ନିଯୁକ୍ତି ଦିଆଯାଇଛି।

ସେହିପରି ଚର୍ମରୋଗ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଜୟଶ୍ରୀ ମହାନ୍ତି, ଶିଶୁରୋଗ ବିଭାଗର ସହଯୋଗୀ ପ୍ରଫେସର ଡାକ୍ତର ନାରାୟଣ ମୋଦି, କମ୍ୟୁନିଟି ମେଡିସିନ୍‌ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ମୀନାକ୍ଷୀ ମହାନ୍ତି, ମାଇକ୍ରୋବାୟୋଲୋଜି ବିଭାଗ ସହଯୋଗୀ ପ୍ରଫେସର ଡାକ୍ତର ଭବାନୀ ପଟ୍ଟନାୟକ ପ୍ରମୁଖଙ୍କୁ ନେଇ ଏସ୍‌ସିବିରେ କମିଟି ଗଠନ କରାଯାଇଛି। ଏସ୍‌ସିବି ପକ୍ଷରୁ ‘ମଙ୍କିପକ୍ସ’ ମୁକାବିଲା ପାଇଁ ମେଡିକାଲ୍‌ ଅଫିସର୍‌, କଂଟ୍ରୋଲ ରୁମ୍‌ ଅଧିକାରୀଙ୍କ ମୋବାଇଲ ନମ୍ବର ଜାରି କରାଯାଇଛି। ଯଦି ରାଜ୍ୟ ବାହାରୁ କେହି ରୋଗୀ ଆସନ୍ତି , ତା’ହେଲେ ସଂପୃକ୍ତ ରୋଗୀଙ୍କୁ ସଙ୍ଗରୋଧରେ ରଖି ତାଙ୍କର ଟେଷ୍ଟିଂ କରାଯିବ। ତେବେ ରାଜ୍ୟର ପ୍ରତି ଜିଲ୍ଲାରୁ ୩ଜଣ ଲେଖାଏ ଶିଶୁ ରୋଗ ବିଶେଷଜ୍ଞ, ଚର୍ମରୋଗ ବିଶେଷଜ୍ଞ ଓ ଭେଷଜ ବିଶେ‌ଷଜ୍ଞଙ୍କ ସମେତ ମେଡିକାଲ୍‌ କଲେଜର ଜୁନିୟର୍‌ ଡାକ୍ତର, ଏସ୍‌ଆର, ପାରାମେଡିକାଲ କର୍ମଚାରୀଙ୍କୁ ତାଲିମ୍‌ ଦିଆଯିବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର