ଏସ୍‌ସିବିକୁ ଅଧିକ ‘ଅକ୍ସିଜେନ ଫ୍ଲୋ ମିଟର୍‌’ ଯୋଗାଣ ପାଇଁ ଚିଠି

କଟକ: ଜିଲ୍ଲାରେ ଦିନକୁ ଦିନ ବଢ଼ୁଛନ୍ତି ଆକ୍ରାନ୍ତ। ଅଣାୟତ୍ତ ହେବାକୁ ବସିଲାଣି କରୋନା ସଂକ୍ରମଣ। ଏସ୍‌ସିବିରେ ସମାନ ସ୍ଥିତି। ୫ଶହ ଶଯ୍ୟାବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ଏବେ ଭର୍ତ୍ତି। ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଥିବାବେଳେ ଏବେ ଅକ୍ସିଜେନ୍‌ ଫ୍ଲୋ ମିଟର୍‌ ଅଭାବ ଦେଖା ଦେଲାଣି। ଯଦିଓ ସେଭଳି ସମସ୍ୟା ଦେଖାଦେଇନି,‌ କିନ୍ତୁ ଆଗକୁ ଠିକ୍‌ ଢଙ୍ଗରେ ଏହାର ପରିଚାଳନା ଓ ଯୋଗାଣ କରା ନଗଲେ ସମସ୍ୟା ଉପୁଜିବାର ଆଶଙ୍କା ରହିଛି। ‌ଏସ୍‌ସିବିକୁ ଆସୁଥିବା ଅକ୍ସିଜେନ୍‌ ଫ୍ଲୋ ମିଟର୍‌ରୁ କିଛି ଭଙ୍ଗା ଥିବା ଓ କିଛି ଲଗାଇବା ସମୟ‌ରେ ଭାଙ୍ଗିଯାଉଥିବା ସଂପର୍କରେ କର୍ତ୍ତୃପକ୍ଷ ଜିଲ୍ଲାପାଳ, ସିଡିଏମ୍‌ଓଙ୍କଠାରୁ ଆରମ୍ଭ କରି ଓଏସ୍‌ଏମ୍‌ସିଏଲ୍‌ଙ୍କୁ ଚିଠି ଲେଖିଛନ୍ତି। ଫଳରେ ଏହାର ଯୋଗାଣ ପାଇଁ ବିଭିନ୍ନ କମ୍ପାନି ସହିତ ଆଲୋଚନା ଚାଲିଥିବା ଜଣାପଡ଼ିଛି। ଏସ୍‌ସିବିରେ ରୋଗୀ ସଂଖ୍ୟା ବୃଦ୍ଧି ପାଇବା ସହ ପ୍ରତିଦିନ ହଜାରେ ଅକ୍ସିଜେନ ସିଲିଣ୍ଡର୍‌ର ଆବଶ୍ୟକତା ପଡୁଛି। ଯାହାକୁ ଦୃଷ୍ଟିରେ ରଖି ଅକ୍ସିଜେନ୍‌ ଫ୍ଲୋ ମିଟର୍‌ ମଧ୍ୟ ଅଧିକ ଆବଶ୍ୟକ ହେଉଛି। କିନ୍ତୁ ଯୋଗାଣ ହୋଇଥିବା କିଛି ଅକ୍ସିଜେନ୍‌ ଫ୍ଲୋ ମିଟର୍‌ ଆସିବାବେଳେକୁ ଭାଙ୍ଗି ଯାଇଥିବା ଓ ଅନ୍ୟ କେତେକ ଭାଙ୍ଗି ଯାଉଥିବାରୁ ସମସ୍ୟା ଦେଖାଦେଇଛି।

ଏହାକୁ ଦୃଷ୍ଟିରେ ରଖି, ତୁରନ୍ତ ଏସ୍‌ସିବି ପାଇଁ କିଭଳି ଅଧିକ ସଂଖ୍ୟକ ଫ୍ଲୋ ମିଟର୍‌ ଯୋଗାଣ କରାଯିବ ସେ ନେଇ ପ୍ରାଶାସନିକ ସ୍ତରରେ ବିଚାର ଚାଲିଥିବା ଜିଲ୍ଲା କୋଭିଡ୍‌ ପରିଚାଳନା ଦାୟିତ୍ବରେ ଥିବା ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପଟେ ଏ ସଂପର୍କରେ ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସଙ୍କୁ ଯୋଗାଯୋଗ କରାଯିବାରୁ ଫ୍ଲୋ ମିଟର୍‌ ନେଇ ସେଭଳି ସମସ୍ୟା ନାହିଁ। ଯାହାକିଛି ରହିଛି  ସେ ସଂପର୍କରେ ସରକାରୀସ୍ତରରେ ଆଲୋଚନା ଚାଲିଛି। କିନ୍ତୁ ଏହାକୁ ନେଇ ରୋଗୀ ଚିକିତ୍ସାରେ କୌଣସି ଅସୁବିଧା ଦେଖାଦେଇନି ବୋଲି ସେ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର