ଜେଲ୍‌ରେ ଦୁର୍ଦ୍ଦାନ୍ତ କଏଦୀଙ୍କ ଦାଦାଗିରି: ବଟି ନଦେଲେ ନୂଆ କଏଦୀଙ୍କୁ ନିର୍ଯାତନା

ନିର୍ଦ୍ଦିଷ୍ଟ ମହିଳାଙ୍କ ଆକାଉଣ୍ଟରେ ଟଙ୍କା ଜମା କଲେ ମିଳୁଛି ସୁରକ୍ଷା

କଟକ: ଜେଲ୍‌ରେ ବି ଆଦାୟ ହେଉଛି ବଟି। ଜେଲର କର୍ମଚାରୀ ନୁହନ୍ତି, ଜେଲରେ ରହୁଥିବା ଦୁର୍ଦ୍ଦାନ୍ତ ଅପରାଧୀ ନୂଆ କଏଦୀଙ୍କୁ ବଟି ମାଗୁଛନ୍ତି। ବଟି ନଦେଲେ ଜେଲ୍‌ ଭିତରେ ନିର୍ଯାତନା ଦେଉଛନ୍ତି। ଜେଲ୍‌ କର୍ତ୍ତୃପକ୍ଷଙ୍କୁ ନିକଟରେ ଅଭିଯୋଗ ନ କରିବାକୁ ଧମକ ଦେଉଛନ୍ତି। ଚୌଦ୍ୱାର ଜେଲ୍‌ରେ ଘଟୁଥିବା ଏଭଳି ସଂଗୀନ ଘଟଣା ସଂପର୍କରେ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ ହେବା ପରେ କର୍ତ୍ତୃପକ୍ଷ ଏହାର ଛାନଭିନ୍‌ କରିଛନ୍ତି। କିନ୍ତୁ ଛାନଭିନରୁ ସେଭଳି କୌଣସି ତଥ୍ୟ ପ୍ରମାଣ ସାମନାକୁ ଆସି ନାହିଁ ବୋଲି ଚୌଦ୍ୱାର ଜେଲ୍‌ ଅଧୀକ୍ଷକ କହିଛନ୍ତି।

ସୂଚନା ଅନୁଯାୟୀ, ଏକ ଠକେଇ ଘଟଣାରେ ସମ୍ପୃକ୍ତ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ପଶ୍ଚିମବଙ୍ଗର ସଂଜୀତ ଭୌମିକ୍‌ ଏବଂ ମିଥୁନ ଚାଟାର୍ଜୀଙ୍କୁ ସେପ୍ଟେମ୍ବର ୧୮ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଚୌଦ୍ୱାର ଜେଲ୍‌ ହାଜତରେ ରଖାଯାଇଥିଲା। କିନ୍ତୁ ଉଭୟଙ୍କୁ ଜେଲ୍‌ ଭିତରେ ନିର୍ଦ୍ଦିଷ୍ଟ ଏକ ଅପରାଧୀ ଗୋଷ୍ଠୀ ବିଭିନ୍ନ ପ୍ରକାର ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଖାଇବାକୁ ସୁଯୋଗ ନଦେବା, ଜେଲ୍‌ ପାଇଖାନା ସଫା କରିବା ସହିତ ମାନସିକ ଓ ଶାରିରୀକ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲେ।

ବଟି ନଦେଲେ ଏଭଳି ଭୋଗିବାକୁ ପଡ଼ିବ ବୋଲି ଉଭୟଙ୍କୁ ଚେତାଇ ଦେଇଥିଲେ। ସେପ୍ଟେମ୍ବର ୨୪ ତାରିଖରେ ବାଲେଶ୍ୱରର ନିର୍ଦ୍ଦିଷ୍ଟ ଜଣେ ମହିଳାଙ୍କ ମାଧ୍ୟମରେ ସଂଜୀତଙ୍କ ପତ୍ନୀ ଶ୍ରାବଣୀ ଭୌମିକ୍‌ଙ୍କୁ ଫୋନ୍‌ କଲ୍‌ ଆସିଥିଲା। ବାଲେଶ୍ୱର ସ୍ଥିତ ନିର୍ଦ୍ଦିଷ୍ଟ ଏକ ବ୍ୟାଙ୍କର ଏକ ଆକାଉଣ୍ଟ ନମ୍ବରରେ ୬ ହଜାର ଟଙ୍କା ଜମା କରିବାକୁ ଶ୍ରାବଣୀଙ୍କୁ ସଂପୃକ୍ତ ମହିଳା କହିଥିଲେ। ଶ୍ରାବଣୀ ୨୫ ତାରିଖରେ କଲିକତାରୁ ସଂପୃକ୍ତ ଆକାଉଣ୍ଟରେ ୬ ହଜାର ଟଙ୍କା ଜମା କରିଥିଲେ। ପୁଣି ଅକ୍ଟୋବର ୩ ତାରିଖରେ ସଂପୃକ୍ତ ମହିଳା ଶ୍ରାବଣୀଙ୍କୁ ଫୋନ କରି ୬ ହଜାର ଟଙ୍କା ମାଗିଥିଲେ । ଜେଲ୍‌ ଭିତରେ ମିଥୁନ୍‌ଙ୍କୁ ସୁରକ୍ଷିତ ରଖିବାକୁ ଟଙ୍କା ଦେବାକୁ ଧମକ ଦେଇଥିଲେ । ଶ୍ରାବଣୀ ଦ୍ୱିତୀୟ ଥର ୩ ହଜାର ଟଙ୍କା ଜମା କରିଥିଲେ। କିନ୍ତୁ ପୁଣି ଗଲା ୮ ତାରିଖରେ ସଂପୃକ୍ତ ମହିଳା ଆଉ ୨ ହଜାର ଟଙ୍କା ମାଗିଥିଲେ। ଏଭଳି ଘଟଣାରେ ଅତିଷ୍ଠ ହୋଇ ଶ୍ରାବଣୀ ଚୌଦ୍ୱାର ଜେଲ୍‌ ଅଧୀକ୍ଷକଙ୍କୁ ଘଟଣା ସଂପର୍କରେ ଅଭିଯୋଗ କରିଥିଲେ।

ସଂଜିତଙ୍କ ସ୍ତ୍ରୀ ଶ୍ରାବଣୀଙ୍କ ଅଭିଯୋଗ ଅନୁଯାୟୀ ସଂଜିତ ଏବଂ ମିଥୁନ୍‌ଙ୍କ ନିକଟରେ ରହୁଥିବା ଜଣେ କଏଦୀ ସେମାନଙ୍କୁ ନିର୍ଯାତନା ଦେଉଥିଲେ। ସେମାନଙ୍କୁ ଖୁଆଇ ଦେଉନଥିବା ବେଳେ ପାଇଖାନା ସଫା କରିବାକୁ କହୁଥିଲା । ପ୍ରତିବାଦ କଲେ ଗାଳିଗୁଲଜ କରୁଥିଲା। ଜେଲ୍‌ର ଲ୍ୟାଣ୍ଡ ଫୋନ୍‌ରୁ ସଂଜିତ ଶ୍ରାବଣୀଙ୍କୁ ଏ ସମ୍ପର୍କରେ କହିଥିଲେ। ଟଙ୍କା ଦାବି କରୁଥିବା ସଂପୃକ୍ତ ନିର୍ଦ୍ଦିଷ୍ଟ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରି ଦେବାକୁ ପରାମର୍ଶ ଦେଇଥିଲେ। ଜେଲ୍‌ ଭିତରେ କଏଦୀ ଏଭଳି ଦାଦାଗିରି କରୁଥିବା ସମ୍ପର୍କରେ ସଂଜିତ ତାଙ୍କ ପତ୍ନୀ ଶ୍ରାବଣୀଙ୍କୁ କହିବା ପରେ ସେ ନିର୍ଦ୍ଦିଷ୍ଟ ମହିଳାଙ୍କ ଆକାଉଣ୍ଟରେ ମୋଟ ୯ ହଜାର ଟଙ୍କା ଜମା କରିଥିବା ଶ୍ରାବଣୀ କହିିଛନ୍ତି । ଜେଲ୍‌ ଭିତରେ ସଂଜିତ ଓ ମିଥୁନ୍‌ଙ୍କ ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ଯୋଗାଇ ଦେବାକୁ ଶ୍ରାବଣୀ ଦାବି କରିଛନ୍ତି ।

ଅନ୍ୟପଟେ ଚୌଦ୍ୱାର ଜେଲ୍‌ ଅଧୀକ୍ଷକ ନିରଞ୍ଜନ ଦାସ ଜେଲ୍‌ ଭିତରେ ଏଭଳି ବଟି ଆଦାୟ ଅଭିଯୋଗକକୁ ଖଣ୍ଡନ କରିଛନ୍ତି। ଶ୍ରୀ ଦାସ କହିଛନ୍ତି ଯେ ଏଭଳି ଅଭିଯୋଗ ପାଇବା ପରେ ସେ ସଂଜିତ ଏବଂ ମିଥୁନଙ୍କ ସମେତ ସେମାନଙ୍କ ପାଖ ଓ୍ଵାର୍ଡରେ ରହୁଥିବା କଏଦୀଙ୍କୁ ଡାକି ଘଟଣା ସମ୍ପର୍କରେ ପଚରାଉଚରା କରିଛନ୍ତି। କିନ୍ତୁ ପ୍ରାଥମିକ ଭାବେ ଏଭଳି ଘଟଣାର କୌଣସି ପ୍ରମାଣ ହସ୍ତଗତ ହୋଇନାହିଁ ବୋଲି ଶ୍ରୀ ଦାସ କହିଛନ୍ତି ।

ସମ୍ବନ୍ଧିତ ଖବର