ପୁଅର ବାମ ଗୋଡ଼ ଅଚଳ; ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ଏସ୍‌ସିବି ଡାକ୍ତରଙ୍କୁ ଦାୟୀ କଲେ ମା’

କଟକ: ଏସ୍‌ସିବି ତ୍ରୃଟିପୂର୍ଣ୍ଣ ଅସ୍ତ୍ରୋପଚାର ଓ ଅବହେଳା ପାଇଁ ତାଙ୍କ ପୁଅକୁ ମିଳୁନି ଚିକିତ୍ସା। ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ମା’। ରାଜ୍ୟପାଳ ଓ ସ୍ବାସ୍ଥ୍ୟସଚିବଙ୍କ ଚିଠିକୁ ଖାତିର କରୁ ନାହାନ୍ତି ଏସ୍‌ସିବି କର୍ତ୍ତୃପକ୍ଷ। ପୁଅର ଚିକିତ୍ସା ପରବର୍ତ୍ତୀ ସମୟରେ ଆଉ ଚିକିତ୍ସା ଠିକ୍‌ ଭାବରେ ହେଲାନି। ଚିକିତ୍ସା କଥା କହିଲେ ଧମକ ଦେଉଛନ୍ତି ଡାକ୍ତର। ନିଜ ଇଚ୍ଛ‌ାରେ ଘରକୁ ପଳାଅ, ଆମେ ରେଫର କରିବୁନି ବୋଲି କହି ବାରମ୍ବାର ଧମକ ଦେଉଛନ୍ତି ଅର୍ଥୋପେଡିକ୍‌ ବିଭାଗର ଡାକ୍ତର।

ଏ ସଂପର୍କରେ ଏସ୍‌ସିବି ଅର୍ଥୋପେଡିକ୍‌ ବିଭାଗ ମୁଖ୍ୟ, ଏସସିବି ଅଧୀକ୍ଷକ, ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କିଛି ସୁଫଳ ମିଳୁନି ବୋଲି ଅଭିଯୋଗ କରିଛନ୍ତି ଜଗତ୍‌ସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବାସନ୍ତୀ ଦାଶଙ୍କ ପୁଅ ଦୁଷ୍ମନ୍ତ। ସଡ଼କ ଦୁର୍ଘଟଣାରେ ବାମ ଗୋଡ଼ରେ ତାଙ୍କର ଗଭୀର କ୍ଷତ ହୋଇଥିଲା। ପ୍ରଥମେ ୨୦୨୦ରେ ସେ ଏସ୍‌ସିବି ଆସିଥିଲେ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇ ତାଙ୍କର ଦୁଇଟି ପର୍ଯ୍ୟାୟରେ ଅସ୍ତ୍ରୋପଚାର କରାଯାଇ ଘରକୁ ପଠାଇ ଦିଆଯାଇଥିଲା। କରୋନା ସମୟ ଘରକୁ ଚାଲିଯାଅ ବିଶ୍ରାମ ନେଲେ ଗୋଡ଼ ଭଲ ହୋଇଯିବ ବୋଲି ପରାମର୍ଶ ଦିଆଯାଇଥିବା ପରିବାରବର୍ଗ କହିଛନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ଗୋଡ଼ ଭଲ ନହେବାରୁ ଏସ୍‌ସିବିକୁ ଆସିବାରୁ ଡାକ୍ତର ତାଙ୍କର ଆଡ଼ମିସନ ନକରି ତାରିଖ ଗଡ଼ାଇ ଚାଲିଲେ। ଦେହ ଅସୁସ୍ଥ ହେବାରୁ ଜଗତସିଂହପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ୨୪/୯/୨୦୨୦ରେ ପ୍ରଥମେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା।

ପୂର୍ବରୁ ଚିକିତ୍ସା କରାଉଥିବା ଡାକ୍ତର କହିଲେ ତୁମର ଗୋଡ଼ ଆଉ ଏଠାରେ ଭଲ ହେବ ନାହିଁ । ସରକାର ଚାହିଁଲେ ଗୋଡ଼ ଭଲ ହେବ । ଓଡ଼ିଶା ସ୍ବାସ୍ଥ୍ୟ ବିଭାଗକୁ ଜଣାଇବା ପରେ ବିଜୁ କୃଷକ କଲ୍ୟାଣ କାର୍ଡରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ମୂଲ୍ୟରେ ଚିକିତ୍ସା ହୋଇପାରିବ। ଫଳରେ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶରେ ୧୮/୨/୨୦୨୧ରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହେବା ସହ କିଛିଦିନ ପରେ ସରକାର ବିଜୁ କୃଷକ କଲ୍ୟାଣ କାର୍ଡରେ ଟଙ୍କା ଦେବେ ବୋଲି କୁହାଗଲା । ଫଳରେ ସେ ଘରକୁ ଫେରି ଆସିଲେ। ସାଂସଦ, ବିଧାୟକ, ନବୀନ ନିବାସ ଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ବାଧ୍ୟହୋଇ ମିଡ଼ିଆ, ସୋସିଆଲ ମିଡ଼ିଆ, ଡାକ (ପୋଷ୍ଟ)ଯୋଗେ ଅଭିଯୋଗ କରିବାରୁ ରାଜ୍ୟପାଳ ସ୍ବାସ୍ଥ୍ୟ ସଚିବଙ୍କୁ ଜଣାଇଥିଲେ। ସ୍ବାସ୍ଥ୍ୟ ସଚିବ ଚିଠି ମାଧ୍ୟମରେ ଏସ୍‌ସିବିକୁ ଜଣାଇବା ପରେ ଗୋଡ଼ ଭଲ କରାଇବା ପାଇଁ ବିଏସ୍‌କେୱାଇରେ ଚିକିତ୍ସା ହେବ ବୋଲି କହି ଏସ୍‌ସିବିର ଅର୍ଥୋପେଡିକ୍ ବିଭାଗରେ ଆଡ଼ମିସନ ଦିଆଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ଚିକିତ୍ସା ତାଙ୍କର କରାଗଲା ନାହିଁ। ତାଙ୍କ ପୁଅର ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଏବଂ ଅବହେଳା ଯୋଗୁଁ ବାମ ଗୋଡ ଅଚଳ ଅବସ୍ଥାରେ ଥିବା ବେଳେ ଏଥିପାଇଁ ସରକାର ଆଉ ଏସ୍‌ସିବି କର୍ତ୍ତୃପକ୍ଷ ଦାୟୀ ବୋଲି ବାସନ୍ତୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର