ମୋକିମ୍‌ଙ୍କୁ ରାହୁଲ୍‌ କାଳ; ପଦ ହରାଇବାରେ ରାଜ୍ୟରେ ପ୍ରଥମ, ୬ବର୍ଷ ଯାଏ ଲଢ଼ି ପାରିବେନି ନିର୍ବାଚନ

ଲୋକପ୍ରତିନିଧିଙ୍କୁ ସୁରକ୍ଷା ପାଇଁ ମନମୋହନ ସିଂହ ସରକାର ଆଣିଥିଲା ଅର୍ଡିନାନ୍ସ, କପି ଫାଡ଼ି ଦେଇଥିଲେ ରାହୁଲ୍ ଗାନ୍ଧି

କଟକ: ଅଦାଲତରେ ଦୁଇ ବର୍ଷରୁ ଅଧିକ କାରଦାଣ୍ଡରେ ଦଣ୍ଡିତ ହେବା କାରଣରୁ ବିଧାୟକ ପଦ ହରାଇବାରେ ବାରବାଟୀ-କଟକର କଂଗ୍ରେସ ବିଧାୟକ ଇଂଜିନିୟର ମହମ୍ମଦ ମୋକିମ୍‌ ହେଉଛନ୍ତି ରାଜ୍ୟରେ ପ୍ରଥମ। ଯଦିଓ ୨୦୧୩ ପରଠାରୁ ଦେଶରେ ୧୨ରୁ ଅଧିକ ସାଂସଦ ଓ ବିଧାୟକ ଏଭଳି ଢଙ୍ଗରେ ସେମାନଙ୍କ ସଦସ୍ୟତା ହରାଇଥିବାର ଉଦାହରଣ ରହିଛି କିନ୍ତୁ ଓଡ଼ିଶାରେ ପୂର୍ବରୁ ଏଭଳି ଘଟି ନଥିଲା। ଅବଶ୍ୟ ଦେଶର ପ୍ରାୟ ସବୁ ପ୍ରମୁଖ ରାଜନୈତିକ ଦଳର କେହି ନା କେହି ଲୋକ ପ୍ରତିନିଧି ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇ ଏଭଳି ଢଙ୍ଗରେ ନିଜର ସଦସ୍ୟ ପଦ ହରାଇବାର ଉଦାହରଣ ରହିଛି। ବିଜେପି, କଂଗ୍ରେସ, ଜେଡିୟୁ, ଆରଜେଡି, ଶିବସେନା, ଡିଏମକେ, ଏଆଇଏଡିଏମକେ, ‌ଜେଏମ୍‌ଏମ୍‌ ଭଳି ଦେଶର ଅଧିକାଂଶ ପ୍ରମୁଖ ରାଜନୈତିକ ଦଳର ଲୋକ ପ୍ରତିନିଧିଙ୍କ ନାମ ସଦସ୍ୟତା ହରାଇବା ତାଲିକ‌ାରେ ରହିଛି। ଏହି ତାଲିକାରେ ଦେଶର ଦିଗ୍‌ଗଜ ନେତା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତା, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ନାମ ବି ରହିଛି। ଜୟଲଳିତା ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇ ବିଧାୟକ ପଦ ହରାଇଥିବା ବେଳେ ଲାଲୁ ଯାଦବ ଲୋକସଭା ସଦସ୍ୟ ପଦ ହରାଇଥିଲେ। ଏହି ତାଲିକାରେ ନାମ ଥିବା ଅନ୍ୟ ବରିଷ୍ଠ ନେତା ମାନଙ୍କ ମଧ୍ୟରେ ଅଛନ୍ତି ଝାଡ଼ଖଣ୍ଡର ଜେଏମ୍‌ଏମ୍‌ ବିଧାୟକ କମଲକିଶୋର ଭଗତ, ମହାରାଷ୍ଟ୍ରର ବିଜେପି ବିଧାୟକ ସୁରେଶ ହାଲଭାଙ୍କର, ତାମିଲନାଡୁର ଡିଏମକେ ରାଜ୍ୟସଭା ସଦସ୍ୟ ଟି ଏମ୍ ସାଲଭେଗଣପତି, ମହାରାଷ୍ଟ୍ରର ଶିବସେନା ବିଧାୟକ ବାବନରାଓ ଘୋଲପ, ଝାଡ଼ଖଣ୍ଡର ଜେଏମ୍‌ଏମ୍‌ ବିଧାୟକ ଏନୋସ୍ ଏକା, ମଧ୍ୟପ୍ରଦେଶର ବିଜେପି ବିଧାୟକ ଆଶା ରାଣୀ, ଉତ୍ତର ପ୍ରଦେଶର କଂଗ୍ରେସ ରାଜ୍ୟସଭା ସାଂସଦ ରସିଦ୍ ମାସୁଦ୍, ବିହାରର ଜେଡିୟୁ ଲୋକସଭା ସଦସ୍ୟ ଜଗଦିଶ୍ ଶର୍ମା ଓ ବିହାରର ବିଧାୟକ ପପୁ କଲାନି।

bharat times

୨୦୧୩, ଜୁଲାଇ ୧୦ରେ ଲିଲି ଥୋମାସ୍‌ ବନାମ ଭାରତ ସରକାର ମାମଲାରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକ ଓ ଜଷ୍ଟିସ ଏସ୍‌. ଜେ. ମୁଖୋପାଧ୍ୟାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଯେଉଁ ରାୟ ଦେଇଥିଲେ ତାହା ଦେଶର ପ୍ରାୟ ସବୁ ରାଜନୈତିକ ଦଳର ନେତୃବୃନ୍ଦଙ୍କ ମୁଣ୍ଡବିନ୍ଧାର କାରଣ ହୋଇଥିଲା। ଏହି ରାୟ ଅନୁଯାୟୀ ଜନ ପ୍ରତିନିଧି ଆଇନ-୧୯୫୧ର ଧାରା ୮ର ଉପଧାରା ୧,୨,୩ ଅନୁଯାୟୀ ବିଧାୟକ, ସାଂସଦ କୌଣସି ଅଦାଲତରେ ୨ ବର୍ଷରୁ ଅଧିକ କାରାଦଣ୍ଡରେ ଦଣ୍ଡିତ ହେଲେ ତତ୍‌କ୍ଷଣାତ ତାଙ୍କର ସଦସ୍ୟତା ରଦ୍ଦ ହୋଇଯିବ। ଏ‌ କ୍ଷେତ୍ରରେ ପୂର୍ବରୁ ଆଇନର ଧାରା ୮ର ଉପଧାରା ୪ ଯେଉଁ ସୁରକ୍ଷା କବଚ ସାଜିଥିଲା ତାହାକୁ ଦୁଇ ଜଣିଆ ଖଣ୍ଡପୀଠ ରଦ୍ଦ କରି ଦେଇଥିଲେ। ଏହା ସହିତ ଦୋଷୀ ସାବ୍ୟସ୍ତ ବ୍ୟକ୍ତି ୬ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢି ପାରିବେ ନାହିଁ ବୋଲି ମଧ୍ୟ ଅଦାଲତଙ୍କ ନିର୍ଦ୍ଦେଶ ରହିଥିଲା। ସୁପ୍ରିମକୋର୍ଟଙ୍କ ଏଭଳି ରାୟରୁ ବର୍ତ୍ତିବା ପାଇଁ ୨୦୧୩ ସେପ୍ଟେମ୍ବରରେ କେନ୍ଦ୍ରରେ ସେତେବେଳେ ଶାସନରେ ଥିବା ମନମୋହନ ସିଂହଙ୍କ ୟୁପିଏ ସରକାର ଏକ ଅର୍ଡିନାନ୍ସ ଆଣିଥିଲେ। ଅର୍ଡିନାନ୍ସର ଉଦ୍ଦେଶ୍ୟ ଥିଲା ପୂର୍ବରୁ ଯେଭଳି ଉପର ଅଦାଲତରେ ମାମଲାର ସଂପୂର୍ଣ୍ଣ ଶୁଣାଣି ଶେଷ ହେବା ପର୍ଯ୍ୟନ୍ତ ଲୋକ ପ୍ରତିନିଧି ମାନଙ୍କୁ ସୁରକ୍ଷା ମିଳୁଥିଲା, ସେହି ସୁରକ୍ଷା ବଳବତ୍ତର ରହିବ। କିନ୍ତୁ କଂଗ୍ରେସ ଉପାଧ୍ୟକ୍ଷ ତଥା ସାଂସଦ ରାହୁଲ୍ ଗାନ୍ଧି ସାମ୍ବାଦିକ ସମ୍ମିଳନୀରେ ଏ ପ୍ରକାର ଏକ ଅର୍ଡିନାନ୍ସକୁ ଖୋଲା ବିରୋଧ କରିବା ସହିତ ତାହାର ନକଲକୁ ଫାଡି ଦେଇଥିଲେ।

ଯଦିଓ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାରର ଏହି ନିଷ୍ପତ୍ତି ଥିଲା ଏବଂ ସେଥିରେ ସୋନିଆ ଗାନ୍ଧିଙ୍କର ବି ସହମତି ଥିଲା କିନ୍ତୁ ରାହୁଲ୍ ଗାନ୍ଧି ସର୍ବସମ୍ମୁଖରେ ଅର୍ଡିନାନ୍ସ ନକଲ ଫାଡିବା ଏବଂ ଦୁର୍ନୀତିକୁ ପ୍ରଶ୍ରୟ ଦେବାର କୌଣସି ଉଦ୍ୟମକୁ ସେ ସମର୍ଥନ କରିବେ ନାହିଁ ବୋଲି କହିବା ଘଟଣା ପରେ ଏହି ଅର୍ଡିନାନ୍ସ ଆଉ କାର୍ଯ୍ୟକାରୀ ହୋଇ ପାରି ନଥିଲା। ରାହୁଲଙ୍କ ଏପରି କାର୍ଯ୍ୟ ତତ୍କାଳୀନ ପ୍ରଧାନମନ୍ତ୍ରୀ ମ‌ନମୋହନ ସିଂହ, ସୋନିଆ ଗାନ୍ଧି ଓ ଆଇନ ମନ୍ତ୍ରୀ କପିଲ୍ ଶିବାଲ୍ ପ୍ରମୁଖଙ୍କୁ ଅକଳରେ ପକାଇଥିଲା। ରାହୁଲ ଏଭଳି କରି ନଥିଲେ ହୁଏତ ଗଲା ୯ ବର୍ଷ ଭିତରେ ଦେଶରେ ୧୨ରୁ ଅଧିକ ସାଂସଦ, ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ ହୋଇ ନଥାନ୍ତା।
ରାହୁଲଙ୍କ ସେତେବେଳର ଆଚରଣ ଏବେ ଓଡ଼ିଶାରେ ତାଙ୍କ ନିଜ ଦଳର ବିଧାୟକ ମହମ୍ମଦ ମୋକିମଙ୍କ ସଦସ୍ୟ ପଦ ରଦ୍ଦର ମୁଖ୍ୟ କାରଣ ବୋଲି କୁହାଯାଉଛି। ଚଳିତ ବିଧାନସଭାର କାର୍ଯ୍ୟକାଳ ଶେଷ ହେବାକୁ ଆଉ ପ୍ରାୟ ବର୍ଷେ ୮ ମାସ ରହିଛି। ଏବେ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଉଛି। ମହମ୍ମଦ ମୋକିମଙ୍କ ସଦସ୍ୟତାକୁ ନେଇ କି ପ୍ରକାର ବିଧିବଦ୍ଧ ଘୋଷଣାନାମା ଜାରି କରାଯାଉଛି, ଉପ ନିର୍ବାଚନ ସଂପର୍କରେ କି ନିଷ୍ପତ୍ତି ନିଆଯାଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହୋଇଛି।

ସମ୍ବନ୍ଧିତ ଖବର