କୁତ୍ତାଖାଇ ଗଳିରେ ହତ୍ୟାକାଣ୍ଡ, କିଏ ନେଲା ଲାପ୍‌ଟପ୍‌?

କଟକ: ଓଡ଼ିଆ ବଜାର କୁତ୍ତାଖାଇ ଗଳିରେ ସାହି ସମ୍ପାଦକ ବି. ଆପାରାଓଙ୍କ ପତ୍ନୀ ବି ଗୁଣାବତୀଙ୍କ ହତ୍ୟା ଯୋଜନାବଦ୍ଧ ଭାବେ କରାଯାଇଥିବା ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ସନ୍ଦେହ କରାଯାଉଛି। ଦ୍ବିତୀୟ ମହଲାରେ ଯେଉଁଠି ଗୁଣାବତୀଙ୍କ ଶବ ପଡ଼ିଥିଲା ସେହି ଘରୁ ଏକ ଲାପଟପ୍‌, ଘରର ତାଲା ଓ ଚାବି, ପ୍ରଥମ ମହଲାରୁ ପନିକି ସହିତ ପରିବା ବ୍ୟାଗ୍ ବି ଗାଏବ୍ ହୋଇଯାଇଛି। ପନିକିକୁ ପରିବା ବ୍ୟାଗରେ ପୂରାଇ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ଏହିସବୁ ସାମଗ୍ରୀ ଫିଙ୍ଗର୍‌ପ୍ରିଣ୍ଟ ରହିଥିବାରୁ ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ଦୁର୍ବୃତ୍ତ ଏହାକୁ ନେଇଯାଇଥିବା ପୁଲିସ ସନ୍ଦେହ କରୁଛି। ତେବେ କୌଣସି ନିଶାସକ୍ତ ପେସାଦାର ଅପରାଧୀଙ୍କ ସମ୍ପୃକ୍ତି ଘଟଣାକୁ ପୁଲିସ ଏଡ଼ାଇ ପାରୁ ନାହିଁ। ସୂଚନା ଅନୁଯାୟୀ, ଓଡ଼ିଆ ବଜାର କୁତ୍ତାଖାଇ ଗଳିରେ ଶୁକ୍ରବାର ଦିନ ପ୍ରାୟ ୧୨ଟା ୩୦ ବେଳେ ଗୁଣାବତୀ ଘର ନିକଟରେ ଥିବା କେ. ରାଜା ରାଓଙ୍କ ପରିବା ଦୋକାନକୁ କଖାରୁ କିଣିବାକୁ ଯାଇଥିଲେ। ତେବେ ଯିବା ପୂର୍ବରୁ ଘରର ତାଲା ଦେଇ ନଥିବା କୁହାଯାଉଛି। ଏହି ସମୟରେ ଦୁର୍ବୃତ୍ତ ଘରେ ଭିତରେ ପଶିଥିବା ସନ୍ଦେହ କରାଯାଉଛି। ସାନ ପୁଅ ବି. ରବି ରାଓଙ୍କ ବାହାଘର ପାଇଁ ତିଆରି ହୋଇଥିବା ଦ୍ବିତୀୟ ମହଲାରେ ତାଲା ପଡ଼ିଥିଲା। ଚାବି ଘର ବାହାର କାନ୍ଥରେ ଥିବା କଣ୍ଟାରେ ଝୁଲାଯାଇଥିଲା। ସେହି ଘର ଯେହେତୁ ବାହାରୁ ତାଲା ପଡ଼ିଥିଲା ଦୁର୍ବୃତ୍ତ ସେହି ଘରେ ସୁନା ଅଳଙ୍କାର ଥିବା ସନ୍ଦେହରେ କବାଟ ଖୋଲି ଭିତରେ ପଶିଥାଇଥିବା ସନ୍ଦେହ କରାଯାଉଛି। ଏପଟେ ଗୁଣାବତୀ ପରିବା କିଣି ଯେତେବେଳେ ଘରକୁ ଫେରିଛନ୍ତି ଦ୍ବିତୀୟ ମହଲାରେ ଶବ୍ଦ ଶୁଣି ଉପରକୁ ଯାଇଥିବା ବେଳେ ଦୁର୍ବୃତ୍ତଙ୍କ ସହିତ ମୁହାଁମୁହିଁ ଯୋଗୁଁ ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ଦୁର୍ବୃତ୍ତ ଗୁଣାବତୀଙ୍କ ତଣ୍ଟି କାଟି ହତ୍ୟା କରିଦେଇଥିବା ଆଶଙ୍କାକୁ ପୁଲିସ ତଦନ୍ତ ପରିସରଭୁକ୍ତ କରିଛି। ଗୁଣାବତୀଙ୍କ ଶବ ପଡ଼ିଥିବା ଘରେ ରବିଙ୍କ ଏକ ଏଚ୍‌.ପି କମ୍ପାନିର ଲାପଟପ୍ ଥିଲା। ବ୍ୟାଗ ସହିତ ଲାପଟପ୍ ଗାଏବ୍ ହୋଇଯାଇଛି। ଏହି ମହଲାରେ ସେ ଲାପଟପ୍‌ରେ ଅଫିସ କାମ କରନ୍ତି। ସେହି ଘରର ତାଲା ଓ ଚାବିର ବି ପତ୍ତା ମିଳୁ ନାହିଁ। ପ୍ରଥମ ମହଲାରେ ଶୁକ୍ରବାର ଗୁଣାବତୀ ଡାଲମା ପାଇଁ ପରିବା କାଟୁଥିଲେ। ପାଖରେ ବାଇଗଣ ଅଧା କଟା ହୋଇଥିବା ଦେଖିବାକୁ ମିଳିଥିବା ବେଳେ କଖାରୁ ପଡ଼ିଥିଲା। କିନ୍ତୁ ପରିବା ବ୍ୟାଗ୍ ଓ ପନିକି ନାହିଁ। ପନିକିରେ ଦୁର୍ବୃତ୍ତମାନେ ଗୁଣାବତୀଙ୍କୁ ଆକ୍ରମଣ କରିବା ପରେ ଫିଙ୍ଗର୍‌ପ୍ରିଣ୍ଟ ନଷ୍ଟ କରିବା ଉଦ୍ଦେଶ୍ୟରେ ଉପରୋକ୍ତ ସମସ୍ତ ସାମଗ୍ରୀ ସାଙ୍ଗରେ ନେଇଯାଇଛନ୍ତି। ଗୁଣାବତୀଙ୍କ ତଣ୍ଟି କାଟି ହତ୍ୟା କରିବା ପରେ ଦୁର୍ବୃତ୍ତ ଭୟରେ ଫେରାର୍‌ ହୋଇଯାଇଛି। କିନ୍ତୁ ଗୁଣାବତୀଙ୍କ ସୁନାର ମଙ୍ଗଳସୂତ୍ର, କାନଫୁଲ ନେଇପାରି ନଥିବା ଦେଖିବାକୁ ମିଳିଛି।

ସନ୍ଧାନୀ କୁକୁର ମାଇକା ଛକ ଯାଏ ଯାଇଥିଲା। ଦୁର୍ବୃତ୍ତ ଘଟଣା ପରେ ସେହି ଦିଗକୁ ଚାଲିଚାଲି ଯାଇଥିବା ଅନୁମାନ କରାଯାଉଛି। ସେଠୁ କୌଣସି ଗାଡ଼ିରେ ଫେରାର୍‌ ହୋଇଥାଇପାରେ। ଯାହା ଫଳରେ କୁକୁର ଆଗକୁ ବଢ଼ିପାରି ନାହିଁ। ଅନ୍ୟପଟେ ପୁଲିସ ବଡ଼ ଡାକ୍ତରଖାନାରେ ମୃତ ଗୁଣାବତୀଙ୍କ ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲା। ଗୁଣାବତୀଙ୍କ ତଣ୍ଟିରେ ଗଭୀର କ୍ଷତ ଥିବାବେଳେ ମୁଣ୍ଡର ପଛପଟୁ ମାଡ଼ ହୋଇଥିବାରୁ କ୍ଷତ ସୃଷ୍ଟି ହୋଇଥିବା ଶବ ବ୍ୟବଚ୍ଛେଦରୁ ଜଣାପଡ଼ିଛି। ପରିବାରରେ ଲୋକେ ଗୁଣାବତୀଙ୍କ ଶବକୁ ଘରକୁ ଆଣିବା ପରେ ସେଠୁ ହାଡ଼ିଆପଠାକୁ ଅନ୍ତିମ ସଂସ୍କାର ପାଇଁ ନିଆଯାଇଥିଲା। ଗୁଣାବତୀ ତେଲଗୁ ସଂପ୍ରଦାୟର ହୋଇଥିବାରୁ କଟକରେ ରହୁଥିବା ତେଲୁଗୁ ସମ୍ପ୍ରଦାୟର ସଦସ୍ୟମାନେ କଳା ବ୍ୟାଜ୍ ପିନ୍ଧି ଶ୍ମଶାନକୁ ଯାଇଥିବା ଦେଖିବାକୁ ମିଳିଥିଲା। ତେଲୁଗୁ ସମ୍ପ୍ରଦାୟକୁ ପୁଲିସ ସୁରକ୍ଷା ଦେବାକୁ ଦାବି କରିଥିଲେ। ଡିସିପି(କ୍ରାଇମ୍‌) ପ୍ରମୋଦ ରଥ, ଏସିପି ତାପସ ପ୍ରଧାନ ଶନିବାର ଦିନ ପ୍ରାୟ ଗୋଟାଏ ବେଳେ ଘଟଣାସ୍ଥଳକୁ ଯାଇ ପୁନଃ ତଦନ୍ତ କରିଥିଲେ। ଚଣ୍ଡୀଛକ ଆଇସିସିଆଇ ବ୍ୟାଙ୍କରେ ରିଲେସନ୍ ମ୍ୟାନେଜର ଥିବା ସାନପୁଅ ବି. ରବି ରାଓଙ୍କ ଆସନ୍ତାବର୍ଷ ବାହାଘର ହେବାକୁ ଥିବାରୁ ପରିବାର ଲୋକେ ଝିଅ ଖୋଜାରେ ବ୍ୟସ୍ତ ଥିଲେ। ଏଥିରେ ରବି ବି ରାଜି ଥିଲେ। ଘରେ ସେଭଳି କୌଣସି ପ୍ରକାର ମନୋମାଳିନ୍ୟ ବି ନଥିଲା। ମୃତକଙ୍କ ସ୍ବାମୀ ଆପାଙ୍କ ସହିତ ସ୍ଥାନୀୟ ବାସିନ୍ଦାଙ୍କ କୌଣସି ପ୍ରକାର ଶତ୍ରୁତା ନଥିବା ବେଳେ କେହି ନିଶାଡ଼ି ଏଭଳି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି। ପୁଲିସ ସ୍ଥାନୀୟ ଅପରାଧୀଙ୍କ ସମେତ ଗୁଣାବତୀଙ୍କ ପରିବା ଓ ସମ୍ପର୍କୀୟଙ୍କୁ ବି ସ୍କାନର୍‌ରେ ରଖିଛି। ଫିଙ୍ଗର୍‌ପ୍ରିଣ୍ଟ୍‌ ନଷ୍ଟ ଉଦ୍ଦେଶ୍ୟରେ ସମ୍ପୂର୍ଣ୍ଣ ଯୋଜନାବଦ୍ଧ ଭାବେ ହତ୍ୟାକାଣ୍ଡ ହୋଇଥିବାରୁ ପେସାଦାର ଅପରାଧୀଙ୍କ ସମ୍ପୃକ୍ତି ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର