ରହସ୍ୟ ରୋମାଞ୍ଚକର ହତ୍ୟାକାଣ୍ଡ, ୬ ବର୍ଷରେ ୧୦ ମାମଲାରେ ପୁଲିସ୍ ଫେଲ୍‌

କଟକ: କଟକ କମିସନରେଟ୍ ପୁଲିସ ପାଇଁ ସମସ୍ୟା କଲାଣି ରହସ୍ୟଜନକ ହତ୍ୟାକାଣ୍ଡ। ଓଡ଼ିଆ ବଜାର କୁତ୍ତାଖାଇ ଗଳିର ବି.ଗୁଣାବତୀଙ୍କ ହତ୍ୟାକୁ ମିଶାଇ ସହରରେ ଗଲା ୬ ବର୍ଷ ଭିତରେ ସମାନ ଶୈଳୀରେ ୧୦ଟି ବିଭତ୍ସ ହତ୍ୟା ମାମଲାରେ ହତ୍ୟାକାଣ୍ଡର କାରଣ ଓ ହତ୍ୟାକାରୀର ପରିଚୟ ସ୍ପଷ୍ଟ ହୋଇପାରୁ ନାହିଁ। ସଂଯୋଗ ବଶତଃ ୮ଟି ମାମଲାରେ ତଣ୍ଟିକୁ ଧାରୁଆ ଅସ୍ତ୍ରରେ କଟାଯାଇଛି। କିନ୍ତୁ ବର୍ଷ ବର୍ଷ ଧରି ମାମଲାର ରହସ୍ୟ ଉନ୍ମୋଚନ ହୋଇ ନପାରିବା ଘଟଣା ଏବେ ଉଦ୍‌ବେଗର କାରଣ ହୋଇଛି।

ରହସ୍ୟ ଘେରରେ ୨୦୧୯ର ଷ୍ଟୋନ୍‌ମ୍ୟାନ୍ ହତ୍ୟାକାଣ୍ଡ! ୨୦୧୯ ଜୁଲାଇ ୨୩ ତାରିଖରେ କଟକରେ ଷ୍ଟୋନମ୍ୟାନ୍ ମାତିଥିଲା। ରାଣୀହାଟ କେନାଲ ନିକଟରେ ଶୋଇଥିବା ଢେଙ୍କାନାଳ ସଦର ଥାନା ବଉଳପୁର ପାଟଣାର ଗୋଧି କାଳିଆ ଓରଫ କୋଦଣ୍ତ ରାଉତ ଓ ୨୪ ତାରିଖରେ ଓଏମପି ପାରଳା ମହାରାଜା ପାର୍କ ନିକଟରେ ପାଣ୍ଡା ନାଁରେ ଜଣେ ପାଣି ବୁହାଳି ଓ ପୋଲ ତଳେ ଶୋଇଥିବା ଜଣେ ଜରି ଗୋଟାଳିଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା। ଏହି ସିରିଜ୍ ହତ୍ୟାକାଣ୍ଡରେ ସମ୍ପୃକ୍ତି ଦର୍ଶାଇ ମଙ୍ଗଳାବାଗ ଥାନା ପୁଲିସ ଅଗଷ୍ଟ ୧ ତାରିଖରେ ନୟାଗଡ଼ ସୁନାମୁହିଁର ଯେଉଁ ନାରାୟଣ ସାହୁକୁ ଗିରଫ କରିଥିଲା, ସିଏ ଜଣେ ମାନସିକ ରୋଗୀ ବ‌ୋଲି ଜଣାପଡ଼ିଥିଲା। କଟକରେ ୨୩ ତାରିଖରେ ହତ୍ୟାକାଣ୍ଡ ଘଟିଥିବା ବେଳେ ୨୨ ତାରିଖ ରାତିରେ ନାରାୟଣ ଭୁବନେଶ୍ବର ସାଲିଆସାହିରେ ଭଉଣୀ ଘରେ ଥିବା ବେଳେ ପରେ ୨୮ ତାରିଖ ଯାଏ ନୟାଗଡ଼ ସୁନାମୁହିଁରେ ଥିଲା। ଗାଁରେ ଥିବା ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ସିସି କ୍ୟାମେରା ଫୁଟେଜ ଏବଂ ସାଲିଆସାହି ବିଷ୍ଣୁପ୍ରିୟା ଆପାର୍ଟମେଣ୍ଟ ଛକରେ ଥିବା ସ୍ବାଇଁ ଵାଇନ ସପ୍‌ର କ୍ୟାମେରାରେ ନାରାୟଣର ଚିତ୍ର କଏଦ ଥିଲା। ନାରାୟଣ ଯେ ଏ ହତ୍ୟାକାଣ୍ଡରେ ସମ୍ପୃକ୍ତ ନଥିଲା, ତାହା ଏଥିରୁ ସ୍ପଷ୍ଟ ହୋଇଥିଲା। ଆଜି ବି ଏହି ତିନୋଟି ଘଟଣାର ହତ୍ୟାକାରୀ ଅନ୍ଧାରରେ।

ଦୁଇ ବର୍ଷରେ ୫୦ ହତ୍ୟାକାଣ୍ଡ
କଟକ ସହରରେ ଗଲା ଦୁଇ ବର୍ଷରେ ୫୦ଟି ବିଭତ୍ସ ହତ୍ୟାକାଣ୍ଡ ଘଟି ସାରିଲାଣି। ଯେଉଁ ମାମଲାରେ ପୁଲିସ ହତ୍ୟାକାରୀଙ୍କୁ ଗିରଫ କରୁଛି, ସେଥିରେ ଚାର୍ଜସିଟ ଦାଖଲ କରିବାରେ ବି ପଛେଇ ଯାଉଛି। ୨୦୨୧ରେ ମୋଟ ୨୬ ହତ୍ୟା ମାମଲାରେ ୨୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ମାତ୍ର ୧୧ଟିରେ ଚାର୍ଜସିଟ୍ ଓ ୨୦୨୦ରେ ୨୪ ମାମଲାରେ ୨୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୫ଟିରେ ଚାର୍ଜସିଟ୍ ପୁଲିସ କୋର୍ଟରେ ଦାଖଲ କରିବାରେ ସକ୍ଷମ ହୋଇ ପାରିଛି।

ପାନ ବ୍ୟବସାୟୀଙ୍କୁ କିଏ ମାରିଲା?
୨୦୨୧ ଫେବ୍ରୁଆରି ୧୮ ତାରିଖରେ ପାଗା ଲକ୍ଷ୍ମୀନାରାୟଣପୁର ଗାଁର କ୍ଷୀରୋଦ ଭୋଇଙ୍କୁ ତାଙ୍କ ପାନ ଦୋକାନ ଭିତରେ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିଲା। ଜଗତପୁର ଥାନା ପୁଲିସ ଏହି ହତ୍ୟାକାଣ୍ଡର ରହସ୍ୟ ଭେଦି ପାରିଲା ନାହିଁ। ପାନ ବ୍ୟବସାୟୀ କ୍ଷୀରୋଦଙ୍କର ସେଭଳି କୌଣସି ଶତ୍ରୁତା କାହା ସହିତ ନଥିବା ବେଳେ ତାଙ୍କ ମୁହଁ ଓ ମୁଣ୍ଡକୁ ଭୁଜାଲି କିମ୍ବା କଟୁରୀ ଭଳି ଧାରୁଆ ଅସ୍ତ୍ରରେ ହଣାଯାଇଥିଲା। ଶୀତ ଦିନେ କୁହୁଡ଼ି ହୋଇଥିବାରୁ କ୍ୟାମେରାରେ ଚିତ୍ର ସ୍ପଷ୍ଟ ଦେଖାଯାଉ ନଥିବା କହି ମାମଲା ଶିଥିଳ ପଡ଼ିଗଲା। ଏବେ ବି ହତ୍ୟା ଘଟଣାର ରହସ୍ୟ ଉନ୍ମୋଚନ ହୋଇପାରି ନାହିଁ।

 

ରାଜମିସ୍ତ୍ରିଙ୍କୁ କିଏ ମାରି ଫିଙ୍ଗିଲା?
୨୦୨୧ ଜୁଲାଇ ୬ ତାରିଖରେ ଜଗତପୁର ଭଇରପୁର କଣିବାଟି ଭୋଇସାହିର ରମେଶ ଭୋଇଙ୍କୁ ରାତିରେ ହତ୍ୟା କରି କେନ୍ଦ୍ରାପଡ଼ା କେନାଲ-୧ରେ ଦୁର୍ବୃତ୍ତ ଫିଙ୍ଗି ଦେଇଥିଲେ। ଜଗତପୁରରେ ରାଜମିସ୍ତ୍ରି କାମ କରୁଥିବା ରମେଶଙ୍କୁ ଏଭଳି ରାତି ଅଧରେ ହତ୍ୟା କରି କିଏ କେନାଲରେ ଫିଙ୍ଗି ଦେଲା, ଏ ରହସ୍ୟ ନା ପୁଲିସ ନା ପରିବାର, କେହି ବି ଜାଣିପାରିଲେ ନାହିଁ।

 

ପୁଲିସ ସବୁ ପ୍ରକାର ଚେଷ୍ଟା କରିଥାଏ…ପୁଲିସ ସବୁ ପ୍ରକାର ଚେଷ୍ଟା କରିଥାଏ। ବୈଜ୍ଞାନିକ ପଦ୍ଧତିରେ ତଦନ୍ତ ହୋଇଥାଏ। ଟେକନିକାଲି କିଛି ଲିଙ୍କ୍ ଛାଡ଼ି ହୋଇଗଲେ ମାମଲାର ଡିଟେକ୍ସନ ହୋଇ ପାରେନି। କିନ୍ତୁ ଏଭଳି ମାମଲାର ସଂଖ୍ୟା ବହୁତ କମ୍। ଡିଟେକ୍ସନ ନହେଲେ ଯେ ପୁଲିସ କାମ କରିନାହିଁ, ସେଭଳି ନୁହେଁ। ହୁଏତ ପୁଲିସ କିଛି ଗୁରୁତ୍ବପୂର୍ଣ୍ଣ ପ୍ରମାଣ ଛାଡ଼ି ଦେଇଛି କିମ୍ବା  ତଦନ୍ତରେ ତ୍ରୁଟି ରହି ଯାଇଛି ବୋଲି କହିଛନ୍ତି ପିନାକ ମିଶ୍ର, ଡିସିପି, କଟକ

ଅପରାଧୀ ବୀରକୁ ପୋଡ଼ି ମାରିଲେ ୨୦୨୧ ଡିସେମ୍ବର ୪ ତାରିଖରେ ପୁରୀଘାଟ ଗଣେଶଘାଟ ନିକଟ କାଠଯୋଡ଼ି ପଠାରେ ଦୁର୍ଦ୍ଦାନ୍ତ ବୀର ପାଲର ପୋଡ଼ା ଶବ ପୁରୀଘାଟ ଥାନା ପୁଲିସ ଉଦ୍ଧାର କରିଥିଲା। ତାଙ୍କ ପୋଡ଼ା ଶବକୁ କେହି ବାଲିରେ ପୋତି ଦେଇଥିଲା। ଦୁର୍ଦ୍ଦାନ୍ତ ବୀରକୁ ଏଭଳି ଜିଅନ୍ତା ଜାଳି ହତ୍ୟା କଲା କିଏ? ଏ ରହସ୍ୟ କେବେ ଉନ୍ମୋଚନ କରିବ ପୁଲିସ?

ଗୁଣାବତୀଙ୍କ ହତ୍ୟାକାରୀ କିଏ? ଗଲା ୧୬ ତାରିଖରେ ଓଡ଼ିଆ ବଜାର କୁତ୍ତାଖାଇର ସାହି ସମ୍ପାଦକ ବି.ଆପାରାଓଙ୍କ ପତ୍ନୀ ବି.ଗୁଣାବତୀଙ୍କୁ ଦିନ ଦ୍ବିପହରରେ ଘରେ ପଶି ତଣ୍ଟି କାଟି ମାରିଥିଲେ ଦୁର୍ବୃତ୍ତ। ଏହି ଘଟଣାକୁ ୮ ଦିନ ଅତିକ୍ରମ କରିସାରିଥିବା ବେଳେ ଲାଲବାଗ ଥାନା ପୁଲିସ ଏହି ମାମଲା ଉପରୁ ପରଦା ହଟାଇ ପାରୁନାହିଁ। ସିସି କ୍ୟାମେରା ଫୁଟେଜରୁ ପୁଲିସ କିଛି ପ୍ରମାଣ ପାଉନାହିଁ।

କାଠଯୋଡ଼ି ପଠା ମୁଣ୍ଡବିହୀନ ମହିଳାଙ୍କ ଶବ ଉଦ୍ଧାର ମାମଲା ବନ୍ଦ ୨୦୧୬ ନଭେମ୍ବର ୨୩ ତାରିଖରେ ସିଡିଏ ବ୍ରଜବିହାରୀପୁର ନିକଟ କାଠଯୋଡ଼ି ପଠାରୁ ଜଣେ ଗର୍ଭବତୀ ମହିଳାଙ୍କ ମୁଣ୍ଡବିହୀନ ଶବ ଫେଜ୍ ୨ ଥାନା ପୁଲିସ ଉଦ୍ଧାର କରିଥିଲା। ହତ୍ୟାକାରୀ ବେକ କାଟି ମୁଣ୍ଡ ନେଇ ଯାଇଥିବାରୁ ମହିଳାଙ୍କ ଶବର ପରିଚୟ ମିଳିଲା ନାହିଁ କି ହତ୍ୟାକାରୀ ଧରାପଡ଼ିଲା ନାହିଁ। ଫେଜ୍ ୨ ଥାନା ପୁଲିସ ମାମଲାର ଫାଇଲ୍ ବନ୍ଦ କରିଦେଲା।

ବେଲେଶ୍ବର ବରିଷ୍ଠ ନାଗରିକ ଦମ୍ପତିଙ୍କୁ ହତ୍ୟା ଏବେ ବି ଅନ୍ଧାରରେ ମଧୁପାଟଣା ଥାନା ବେଲେଶ୍ବର ଅଞ୍ଚଳରେ ଏଫସିଆଇର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ଶ୍ରୀନାଥ ସାମଲ ଓ ପତ୍ନୀ ବିଦ୍ୟୁତଲତା ସାମଲଙ୍କୁ ଦୁର୍ବୃତ୍ତମାନେ ୨୦୧୯ ଡିସେମ୍ବର ୧୨ ତାରିଖ ସନ୍ଧ୍ୟାରେ ଘରେ ପଶି ଗଳା କାଟି ବିଭତ୍ସ ହତ୍ୟା କରିଥିଲେ। ପୁଲିସ ଘଟଣାସ୍ଥଳରୁ କେବଳ କଟୁରୀ, ପନିକି ଓ ଠେଙ୍ଗା ଜବତ କରିଥିଲା। ତାଙ୍କୁ କିଏ ଓ କେଉଁ ଉଦ୍ଦେଶ୍ୟରେ ହତ୍ୟା କଲା, ତାହା ଆଜି ବି ରହସ୍ୟ ଘେରରେ।

 

ସମ୍ବନ୍ଧିତ ଖବର