କଟକ: ଦୁର୍ଦ୍ଦାନ୍ତ ଅପରାଧୀ ବୀର ପାଲ୍‌ର ପୋଡ଼ାଯାଇଥିବା ଶବର ବାମ କାନରୁ ରକ୍ତ ଝରୁଥିଲା। ଶବକୁ ଓଲଟାଇବା ପରେ ତଳେ ମଳ ପଡ଼ିଥିବା ଦେଖିବାକୁ ମିଳିଥିଲା। ଜିଭ ବି ବାହାରକୁ ବାହାରିଥିଲା। ସାଧାରଣତଃ ତଣ୍ଟି ଚିପା ହେଲେ କିମ୍ବା ଆତ୍ମହତ୍ୟା କଲେ ଏଭଳି ଲକ୍ଷଣ ଶବରେ ଦେଖିବାକୁ ମିଳିଥାଏ। ତେଣୁ ନଦୀବାଲିରେ ବୀରକୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। କିନ୍ତୁ ପୁଲିସ ଏ ନେଇ ସ୍ପଷ୍ଟ ହୋଇପାରୁନାହିଁ। ଗଣେଶ ଘାଟରେ ଯେଉଁ ସ୍ଥାନରୁ ଶବ ମିଳିଥିଲା ଉକ୍ତ ସ୍ଥାନରେ ଏକ ବାଉଁଶ ବାଡ଼ାରେ ପଡ଼ିଥିବା ଜରିପାଲ ଜଳିଯାଇଥିଲା।

Advertisment

ଏଥିରୁ ଗୋଟିଏ କଥା ଅନୁମାନ କରାଯାଉଛି ଯେ ଶବଟିକୁ ହିଁ ସେହି ସ୍ଥାନରେ ପୋଡ଼ାଯାଇଥିଲା। ପ୍ରଥମେ ବୀରରୁ ଶବକୁ ଦୁର୍ବୃତ୍ତମାନେ ନିଆଁ ଲଗାଇଛନ୍ତି। ବୀରର ଶବ ଜଳିବା ପରେ ପାଖରେ ଥିବା ଜରିପାଲ ଜଳିଯାଇଥିଲା। ତେବେ ପୁରୀଘାଟ ଥାନା ପୁଲିସ ହତ୍ୟାକାଣ୍ତର ଦ୍ବିତୀୟ ଦିନ ବି ଅନ୍ଧାରରେ ରହିଛି। ପୁଲିସ ଆଜି ବି ହତ୍ୟାକାଣ୍ତ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦେଇପାରୁ ନାହିଁ। ସୂଚନା ଅନୁଯାୟୀ, କଟକ କମିସନରେଟ୍‌ ପୁଲିସରେ ଜେଲ୍‌ ଫେରନ୍ତା ବୀର ବିରୋଧରେ ପ୍ରାୟ ୧୦ ଅପରାଧିକ ମାମଲା ଥିବା ବେଳେ ପୁଲିସ ତାକୁ ଏକ ହତ୍ୟା ଉଦ୍ୟମ ମାମଲାରେ ଫେରାର‌୍‌ ଦର୍ଶାଇଥିଲା। ପୁଲିସ ତାକୁ ଖୋଜୁଥିବା ବେଳେ ଶନିବାର ପୁରୀଘାଟର ଗଣେଶଘାଟ ପାହାଚ ତଳୁ ବୀରର ପୋଡ଼ାଯାଇଥିବା ଶବ ମିଳିବା ପରେ କଟକରେ ହଇଚଇ ଖେଳିଯାଇଛି।

ଶୁକ୍ରବାର ରାତି ୧୧ଟାରୁ ୧୧ଟା ୩୦ ଭିତରେ ବୀରକୁ ତେଲେଙ୍ଗାବଜାର ଅଞ୍ଚଳର ଲୋକେ ବାହାରେ ବୁଲୁଥିବାର ଦେଖିଥିଲେ। ଯେଉଁମାନେ ବୀରକୁ ଶେଷ ଥର ଦେଖିଥିଲେ ସେମାନଙ୍କୁ ପୁଲିସ ଆଜି ଥାନାକୁ ଆଣି ଜେରା ଚଳାଇଛି। ପୁଲିସ ତେଲେଙ୍ଗାବଜାରରୁ ଗଣେଶଘାଟ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ବରେ ଲାଗିଥିବା ସମସ୍ତ ସିସି କ୍ୟାମେରାକୁ ଆଜି ସନ୍ଧ୍ୟା ସୁଦ୍ଧା ଜବତ କରିଛି। ତେବେ ବୀରର ଗତିବିଧିକୁ ପୁଲିସ ସିସି କ୍ୟାମେରା ଫୁଟେଜ୍‌ରେ ଏବେ ଅନୁଧ୍ୟାନ କରୁଛି। ତେଲେଙ୍ଗାବଜାରରେ ରାତିରେ ବୁଲୁଥିବା ବୀର ପରେ କୁଆଡେ଼ ଯାଇଥିଲା, ସେ ନେଇ ପୁଲିସ ପ୍ରତି ଛକରୁ ସ˚ଗ୍ରହ କରିଥିବା ସିସି କ୍ୟାମେରା ଫୁଟେଜ୍‌କୁ ଯାଞ୍ଚ କରୁଛି।

ଅନ୍ୟପଟେ ବୀର ଓ ତା’ ବଡ଼ଭାଇଙ୍କର ପରସ୍ପର ସହିତ ଭଲ ସମ୍ପର୍କ ନଥିଲା। ୨୦୨୦ ବଡ଼ଭାଇକୁ ଆକ୍ରମଣ ମାମଲାରେ ସେ ଚଳିତବର୍ଷ ଗିରଫ ହୋଇଥିଲା। ବାପ-ପୁଅଙ୍କ ଭିତରେ ବି ସମ୍ପର୍କ ଭଲ ନଥିଲା। ବୀର ଦ୍ବିତୀୟ ବିବାହ କରିଥିବା କୁହାଯାଉଛି। ବାରଙ୍ଗ ଅଞ୍ଚଳରେ ସେ ବିବାହ କରିଥିବା ବେଳେ ପୁଲିସର ଗିରଫଦାରୀରୁ ବର୍ତ୍ତିବା ପାଇଁ ବୀର ଅନେକ ସମୟରେ ବାରଙ୍ଗ ଅଞ୍ଚଳରେ ଲୁଚି ରହୁଥିଲା। ମୋଟାମୋଟି ଭାବେ ବୀରର ପରିବାର ସଦସ୍ୟଙ୍କ ଭିତରେ କଳହ ଲାଗି ରହିଥିଲା।

ହତ୍ୟାକାଣ୍ତ ପଛରେ ପାରିବାରିକ କଳହ ଏକ କାରଣ କୁହାଯାଉଥିବା ବେଳେ ପୁଲିସ ଏ କ୍ଷେତ୍ରରେ ସତ୍ୟାସତ୍ୟ ଯାଞ୍ଚ କରିବା ପାଇଁ ବୀରର ପରିବାର ଓ ବଡ଼ଭାଇଙ୍କ ପରିବାର ସଦସ୍ୟଙ୍କୁ ପୁରୀଘାଟ ଥାନା ପୁଲିସ ଶନିବାର ରାତିରୁ ଆଣି ଜେରା ଚଳାଇଛି। ବୀରର ମୁହଁରେ କ୍ଷତଚିହ୍ନ ଥିବା କୁହାଯାଉଥିବା ବେଳେ ଆସନ୍ତା ଦିନେ/ଦୁଇଦିନ ଭିତରେ ବଡ଼ ମେଡିକାଲରୁ ବ୍ୟବଚ୍ଛେଦ ରିପୋର୍ଟ ପୁଲିସର ହସ୍ତଗତ ହେବ। ରିପୋର୍ଟ ଆସିଲେ ମୃତ୍ୟୁ ପଛର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ। ବର୍ତ୍ତମାନ ପୁଲିସର ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି ଯେ ବୀର ନଦୀକୁ ଶୌଚ ହେବାକୁ ଯାଇଥିବା ସମୟରେ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି।

ହତ୍ୟାକାଣ୍ତ ପରେ ଶବକୁ କିରାସିନି ଢାଳି ପୋଡ଼ି ଦିଆଯାଇଛି। ବୀର ନିକଟରୁ ଯେଉଁ ରଙ୍ଗିନ କପଡ଼ା ବ୍ୟାଗ୍‌ ପୁଲିସ ଜବତ କରିଥିଲା, ସେ ବ୍ୟାଗ୍‌ରୁ କିରାସିନି ଗନ୍ଧ ବାହାରୁଥିଲା। ସେଥିପାଇଁ ଶବକୁ କିରାସିନି ଢାଳି ଜଳାଯାଇଥିବା ଅନୁମାନ କରାଯାଉଛି। ପୁଲିସ ସନ୍ଧାନୀ କୁକୁରର ସହାୟତା ନେଇଥିବା ବେଳେ କୁକୁର ଗଣେଶଘାଟରେ ଯେଉଁ ସ୍ଥାନରେ ବୀରର ଶବ ପଡ଼ିଥିଲା, ସେଠାରୁ ବାହାରି ଦେବୀଗଡ଼ା ପଠାରେ ଯାଇ ବସିଥିଲା। ପୁଣି ସେଠୁ ଫେରିଆସିଥିଲା। ତେବେ କୁକୁର ଏଥିରୁ କି ପ୍ରକାର ଇଙ୍ଗିତ ଦେଉଛି, ସେ ନେଇ ପୁଲିସ ଅନୁସନ୍ଧାନ ଚଳାଇଥିବା ସୂଚନା ମିଳିଛି।