ମା, ପୁଅ ଓ ବୋହୂ ଅଟକ
କଟକ : ମଧୁପାଟଣା ମଙ୍ଗଳାସାହିିରେ ପରିବାରର ଇଜ୍ଜତ ବଞ୍ଚାଇବାକୁ ଆଜି ଗ଼ଡ଼ିଲା ମୁଣ୍ଡ। ଘରର ବୋହୂ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଏବଂ ପୂର୍ବ ଶତ୍ରୁତା ପାଇଁ ପୁରୀଘାଟ ଥାନା ବାମ୍ଫିସାହିର ଦୁର୍ଦ୍ଦାନ୍ତ ଯୁବକ ବସନ୍ତ ଦୋରା ଓରଫ ଧପୁ (୩୨)କୁ ସାହି ଦାଣ୍ଡରେ ପିଟି ପିଟି ହତ୍ୟା କରାଯାଇଛି। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ପାତ୍ର ରକ୍ତ ଭିଜା ଲୁହା ରଡ୍ ଧରି ଫେରାର ହୋଇଯାଇଥିବା ବେଳେ ମା’ ସମେତ ୩ ଜଣଙ୍କୁ ପୁଲିସ ଥାନାରେ ଅଟକ ରଖିଛି। ଏ ସଂକ୍ରାନ୍ତରେ ମଧୁପାଟଣା ଥାନାରେ ପୁଲିସ କେସ୍ ନମ୍ବର ୧୨୧/୧୭, ଦଫା ୩୦୨,୩୪ରେ ମାମଲା ରୁଜୁ କରିିଥିବା ବେଳେ ଘଟଣାସ୍ଥଳରୁ ମୃତ ବସନ୍ତଙ୍କ ମନି ପର୍ସ, ମୋବାଇଲ୍, ଧଳା ରଙ୍ଗର ଆପାଚି ବାଇକ୍ ଏବଂ ଚଷମାକୁ ଜବତ କରିଥିବା ସୂଚନା ମିଳିଛି।
ପ୍ରକାଶ ଯେ ପୁରୀଘାଟ ବାମ୍ଫିସାହି ଅଞ୍ଚଳର ସ୍ୱର୍ଗତ ସନ୍ୟାସୀ ଦୋରାଙ୍କ ସାନ ପୁଅ ବସନ୍ତ ଦୋରା ଅଞ୍ଚଳରେ ପ୍ରଥମେ ଏକ ଚିକେନ୍ ଦୋକାନ ଖୋଲିଥିଲେ। ବେପାର ନହେବାରୁ ପରେ ଏକ ପରିବା ଦୋକାନ ଖୋଲିଥିଲେ । କିନ୍ତୁ କମିସନରେଟ୍ ପୁଲିସରେ ତାଙ୍କ ବିରୋଧରେ ଏକାଧିକ ଅପରାଧିକ ମାମଲା ଯୋଡ଼ି ହୋଇଯାଇଥିଲା। ଅନ୍ୟପକ୍ଷରେ ମଧୁପାଟଣା ଥାନା ଘାଟକୂଳ ମଙ୍ଗଳାସାହିରେ ରହୁଥିବା ସୁବାସ ପାତ୍ର ନାମକ ଜଣେ ଯୁବକଙ୍କ ସହିତ ପୂର୍ବରୁ ସମ୍ପର୍କ ଥିବାରୁ ସେ ତାଙ୍କ ଘରକୁ ଯିବା ଆସିବା କରୁଥିଲେ। ଘରକୁ ଯିବା ଆସିବା ସମୟରେ ସୁବାସଙ୍କ ସ୍ତ୍ରୀ ସହିତ ବସନ୍ତଙ୍କର ଏକ ପ୍ରକାର ସମ୍ପର୍କ ସ୍ଥାପନ ହୋଇଥିଲା।
୨୦୧୬ ମସିହା ସାବିତ୍ରୀ ଓଷା ଦିନ ବସନ୍ତ ତାଙ୍କୁ ଅପହରଣ କରି ନେଇ ପୁରୀଘାଟ ଥାନା ହାତୀପୋଖରୀ ଖ୍ରୀଷ୍ଟିଆନ୍ ଗଳିରେ ଥିବା ଏକ ଭଡ଼ା ଘରେ ରଖିଥିବା ନେଇ ମଧୁପାଟଣା ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଅଭିଯୋଗ ଆଧାରରେ ବସନ୍ତଙ୍କୁ ଧରି ଥାନାରେ ପଚରାଉଚରା କରିବା ପରେ ସମ୍ପୃକ୍ତ ମହିଳାଙ୍କୁ ହାତୀପୋଖରୀ ଅଞ୍ଚଳରୁ ଉଦ୍ଧାର କରିଥିଲା। ସେବେଠାରୁୁ ଦୁଇ ବନ୍ଧୁ ସୁବାସ ଓ ବସନ୍ତଙ୍କ ପରିବାର ମଧ୍ୟରେ ଶତ୍ରୁତା ଆରମ୍ଭ ହୋଇଥିଲା । ବସନ୍ତ ମଙ୍ଗଳାସାହିକୁ ଅନେକ ସମୟରେ ଆସିବା ବେଳେ ସୁବାସଙ୍କ ପରିବାରର ତିନି ଭାଇଙ୍କୁ ହତ୍ୟା ଧମକ ଦେଉଥିବାରୁ ଏହାକୁ ନେଇ ଛକାପଞ୍ଝା ଆରମ୍ଭ ହୋଇଥିଲା ।
ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଏକ ନୂଆ ଆପାଚି ଗାଡ଼ିରେ ବସନ୍ତ ମଙ୍ଗଳାସାହିିରେ ଥିବା ସୁବାଷଙ୍କ ଘର ନିକଟକୁ ଆସି ତାଙ୍କ କେବିନ୍ ପାଖରେ ଛିଡ଼ାହୋଇ ତାଙ୍କ ସ୍ତ୍ରୀଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି । କେବିନ୍ରେ ଥିବା ସମ୍ପୃକ୍ତ ମହିଳାଙ୍କ ୯ ବର୍ଷର ପୁଅ ତୁରନ୍ତ ତାଙ୍କ ବଡ଼ ବାପା ସନ୍ତୋଷଙ୍କୁ ଏକଥା କହିଥିଲେ । ଘଟଣାସ୍ଥଳରୁ ବସନ୍ତ ବାଇକ୍ରେ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ରକ୍ତମୁଖା ହେଇ ସନ୍ତୋଷ ଏବଂ ତାଙ୍କ ମା’ ବାସନ୍ତି ବସ୍ତି ମଝିରେ ଘେରିଯାଇ ଏକ ଲୁହା ପାଇପ୍ରେ ବସନ୍ତଙ୍କ ମୁଣ୍ଡର ଡାହାଣ ପାର୍ଶ୍ୱକୁ ପିଟି ତଳେ ପକାଇ ଦେଇଥିଲେ। ବସନ୍ତ ତଳେ ପଡ଼ିଯିବା ପରେ ତାଙ୍କୁ ପାଇପ୍ରେ ଛେଚି ଛେଚି ହତ୍ୟା କରିଥିଲେ ସେମାନେ ।
ହତ୍ୟାକାଣ୍ଡ ଭିଆଇବା ପରେ ପରିବାରର ବଡ଼ ପୁଅ ତଥା ଘଟଣାର ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ରକ୍ତଭିଜା ଲୁହା ପାଇପ ଧରି ଫେରାର ହୋଇଯାଇଥିବା ବେଳେ ମଧୁପାଟଣା ଥାନା ପୁଲିସ ସାନ ପୁଅ ସୁବାସ, ସ୍ତ୍ରୀ ଏବଂ ମା’ ବାସନ୍ତିଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଥିବା ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତି । ସାଇଣ୍ଟିଫିକ୍ ଟିମ୍ ମଙ୍ଗଳାସାହିରେ ପହଞ୍ଚି ରକ୍ତ ନମୂନା ସଂଗ୍ରହ କରିଥିବା ବେଳେ ପୁଲିସ ଶବ ବ୍ୟବଚ୍ଛେଦ ପରେ ବସନ୍ତଙ୍କ ମୃତଦେହକୁ ପରିବାର ଜିମା ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/Nuapada-Balisahi-Mangala-Basti-Thare-Jubakaku-Hatya-1.jpg)