ରାଜାଘରେ ଛାତିଥରା ହତ୍ୟାକାଣ୍ଡ: ପୁଣି ଚର୍ଚ୍ଚାରେ କନିକା ରାଜବଂଶ

କଟକ: କନିକା ରାଜବଂଶର ଅନେକ କୁଖ୍ୟାତି ଆଉ ସୁଖ୍ୟାତି ରହିଛି। ଇତିହାସରେ କନିକା ରାଜବଂଶକୁ ନେଇ ଅନେକ ଚର୍ଚ୍ଚିତ କାହାଣୀ ଓ ଲୋକକଥା ରହିଛି। ଓଡ଼ିଶା ଇତିହାସରେ ଅନ୍ୟତମ ସମୃଦ୍ଧ ରାଜବଂଶ ଭାବେ ପରିଗଣିତ ହୋଇ ଆସିଛି କନିକା ରାଜବଂଶ। କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ୍ ଅଞ୍ଚଳରେ ଯଦିଓ କନିକା ରାଜାଙ୍କ ମୂଳ ରାଜଭବନ ରହିଛି କିନ୍ତୁ ରାଜ୍ୟର ବିଭିନ୍ନ ସ୍ଥାନ ଏବଂ ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ବି ରହିଛି ତାଙ୍କର ଅଚଳାଚଳ ସଂପତ୍ତି। କେନ୍ଦ୍ରାପଡାର ରାଜନଗର ଓ ରାଜକନିକା ଭଳି ଦୁଇଟି ବ୍ଲକ୍ କନିକା ରାଜାଙ୍କ ପରିବାର ନାମରେ ନାମିତ ହୋଇଛି। କଟକର ତୁଳସୀପୁର କନିକା ଛକ ଅଞ୍ଚଳରେ କନିକା ରାଜାଙ୍କ କୋଠୀ ଥିବାରୁ ସେହି ଅଞ୍ଚଳ ବି କନିକା ଛକ ନାମରେ ଖ୍ୟାତ। ହେଲେ ୨୦୨୨, ଜାନୁଆରି ୨୬ ତାରିଖ ସକାଳର ଛାତିଥରା ଘଟଣା ପୁଣି ଥରେ କନିକା ରାଜବଂଶକୁ ଚର୍ଚ୍ଚାକୁ ଟାଣି ଆଣିଛି। ଟଙ୍କା ଆଉ ପାରିବାରିକ ଅଶାନ୍ତି ପାଇଁ ରାଜପରିବାରରେ ହତ୍ୟାକାଣ୍ଡ ଘଟିଛି। ରାଜା ପୁଅ ନିଜ ମା’କୁ ଅତ୍ୟନ୍ତ ବିଭତ୍ସ ଭାବେ ହତ୍ୟା କରିଛି।

କନିକା ରାଜବଂଶ

କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ପୂର୍ବରୁ କନିକା ରାଜବଂଶର ସମୃଦ୍ଧ ଇତିହାସ ରହିଛି। କିନ୍ତୁ ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ପରେ କନିକା ରାଜା ହୋଇଥିଲେ ତାଙ୍କ ପୁଅ ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ। ରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କର ରହିଛନ୍ତି ତିନି ପୁଅ। ବଡ଼ ପୁଅ ରବିନ୍ଦ୍ର ନାରାୟଣ ଭଞ୍ଜଦେଓ, ମଝିଆ ପୁଅ ସୌରୀନ୍ଦ୍ର ନାରାୟଣ ଭଞ୍ଜଦେଓ ଓ ସାନ ପୁଅ ଜ୍ୟୋତିରିନ୍ଦ୍ର ନାରାୟଣ ଭଞ୍ଜଦେଓ। ବଡ଼ ପୁଅ ରବିନ୍ଦ୍ର ନାରାୟଣ ଭଞ୍ଜଦେଓ ରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ପରେ କନିକା ରାଜା ହୋଇଥିଲେ। ରବିନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ପରେ ଏବେ ତାଙ୍କ ପୁଅ ଶିବେନ୍ଦ୍ର ନାରାୟଣ ଭଞ୍ଜଦେଓ କନିକା ରାଜା ରହିଛନ୍ତି। ରାଜା ଶିବେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କର ଗୋଟିଏ ଭଉଣୀ ରାଜଲକ୍ଷ୍ମୀ ଭଞ୍ଜଦେଓ ଅଛନ୍ତି। ସେ କନିକା ରାଜବାଟୀରେ ରହୁଛନ୍ତି। ମଝିଆ ପୁଅ ସୌରୀନ୍ଦ୍ର ନାରାୟଣ ଭଞ୍ଜଦେଓ ପଟ୍ଟାୟତ ସାହେବ ଭାବେ ବିବେଚିତ ହୋଇଥିଲେ। ସୌରୀନ୍ଦ୍ର କଟକରେ ରହୁଥିବାବେଳେ ତାଙ୍କର ଗୋଟିଏ ପୁଅ ‌ଶୁଭେନ୍ଦ୍ର ନାରାୟଣ ଭଞ୍ଜଦେଓ ଓ ଝିଅ ଜୟନ୍ତୀ। ସାନ ପୁଅ ଜ୍ୟୋତିରିନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ଗୋଟିଏ ପୁଅ ଗିରୀନ୍ଦ୍ର ନାରାୟଣ ଭଞ୍ଜ‌ଦେଓଙ୍କର ପରଲୋକ ଘଟିଥିବା ବେଳେ ଗୋଟିଏ ଝିଅ ବିଜୟଲକ୍ଷ୍ମୀ ଶିସୋଡ଼ିଆ ରହିଛନ୍ତି।

ଅଚଳାଚଳ ସଂପତ୍ତି

କନିକା ରାଜାଙ୍କର ଅଚଳାଚଳ ସଂପତ୍ତି ରହିଛି। କେନ୍ଦ୍ରାପଡା ଜିଲ୍ଲା ରାଜକନିକାରେ ରହିଛି ରାଜାଙ୍କର ମୂଳ ରାଜବାଟୀ। କେନ୍ଦ୍ରାପଡା ଜିଲ୍ଲାର ରାଜନଗର ତଥା ଅନ୍ୟ ଅଞ୍ଚଳରେ ବି ରାଜାଙ୍କର ରାଜବାଟୀ ଓ ଅଚାଳଚଳ ସଂପତ୍ତି ରହିଛି। କଟକରେ ରାଜପରିବାରର ଗଙ୍ଗା ମନ୍ଦିର, ତୁଳସୀପୁର ତଥା ଅନ୍ୟ ସ୍ଥାନରେ ସଂପତ୍ତି ଓ କୋଠା ରହିଥିବା ବେଳେ ପୁରୀ, ଭୁବନେଶ୍ବର ଓ ଦିଲ୍ଲୀରେ ବି ରହିଛି ବାସଭବନ। କଟକର କନିକା ଛକ ଠାରେ ଦୁଇଟି ବାସଭବନ ରହିଛି। ସେଥି ମଧ୍ୟରୁ ରାଜାଙ୍କ କୋଠୀ ୩୫ ଏକର ପରିମିତ ଅଞ୍ଚଳରେ ରହିଥିବା ବେ‌ଳେ ସେଥିରେ ରହିଛି ୧୦ ଏକରର ଏକ ପୋଖରୀ। ଚୌଧୁରୀ ବଜାରରେ ରହିଥିବା ଚନ୍ଦନ ପୋଖରୀ ବି କନିକା ରାଜାଙ୍କ ସଂପତ୍ତିର ଅନ୍ତର୍ଭୁକ୍ତ। କନିକା ରାଜାଙ୍କ ଦାନରେ ନିର୍ମିତ ହୋଇଥିବା ରେଭେନ୍ସାର ଲାଇବ୍ରେରି ନାମରେ କନିକା ଲାଇବ୍ରେରି ନାମରେ ପରିଚିତ। ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ଏସବୁ ଅଚଳାଚଳ ସଂପତ୍ତି ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ପରିବାର ମଧ୍ୟରେ ବାଣ୍ଟି ହୋଇ ରହିଛି।

Sambad

ମା’-ପୁଅ ବିବାଦ

ମା’ ପରେଶ କୁମାରୀ ଦେବୀ ଓ ପୁଅ ଶୁଭେନ୍ଦ୍ର ଭଞ୍ଜଦେଓଙ୍କ ବିବାଦ ଦୀର୍ଘ ଦିନରୁ ଗଡି ଆସୁଥିଲା। ପ୍ରଥମ ପତ୍ନୀଙ୍କ ସହ ବିବାହ ବିଚ୍ଛେଦ ପରେ ଶୁଭେନ୍ଦ୍ରଙ୍କର ମାନସିକ ସ୍ଥିତି ବିଗିଡି ଥିଲା। ପରକୁ ପର ଶୁଭେନ୍ଦ୍ରଙ୍କର ତିନି ତିନିଟି ବିବାହ ବିଚ୍ଛେଦ ହୋଇଥିଲା। ଏସବୁ ପାଇଁ ଶୁଭେନ୍ଦ୍ର ମା’ ପରେଶ କୁମାରୀ ଦେବୀଙ୍କୁ ହିଁ ଦାୟୀ କରିବା ଆରମ୍ଭ କରିଥିଲେ। ମା’ଙ୍କ ହାତରେ ବି ସବୁ ସଂପତ୍ତିର ଚାବି କାଠି ରହିଥିଲା। ଏଭଳି ସ୍ଥିତ‌ିରେ ଅତିଷ୍ଠ ହୋଇ ପୂର୍ବରୁ ଏକାଧିକ ଥର ଶୁଭେନ୍ଦ୍ର ମା’ ପରେଶକୁମାରୀ ଦେବୀଙ୍କୁ ଆକ୍ରମଣ ବି କରିଥିଲେ। ପୁଲିସରେ ଅଭିଯୋଗ ‌ବି ହୋଇଥିଲା। ପୂର୍ବରୁ ଗୋଟିଏ ମହଲାରେ ମା’-ପୁଅ ରହୁଥିବା ବେଳେ ସପ୍ତାହେ ହେଲା ମା’ ଉପର ମହଲାରେ ଝିଅ ଜୟନ୍ତୀଙ୍କ ସହିତ ରହୁଥିଲେ। କିନ୍ତୁ ଜାନୁଆରି ୨୬ ସକାଳେ ପରେଶକୁମାରୀଙ୍କୁ ହତ୍ୟା କରି ଶୁଭେନ୍ଦ୍ର ସବୁ ବିବାଦରେ ଯବନିକା ଟାଣି ଦେଇଥିଲା।

ସୌରୀନ୍ଦ୍ର ନାରାୟଣ-ପରେଶ କୁମାରୀଙ୍କ ପରିବାର

ରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ମଝିଅ ପୁଅ ହେଉଛନ୍ତି ସୌରୀନ୍ଦ୍ର ନାରାୟଣ ଭଞ୍ଜ ଦେଓ। ସୌରୀନ୍ଦ୍ରଙ୍କର ୪ ମାସ ତଳେ ପର‌ଲୋକ ଘଟିଥିବା ‌ବେଳେ ସେ ପରିବାର ସହିତ କଟକର କନିକା ଛକ ଅଞ୍ଚଳ ତୁଳସୀପୁର ଶ୍ରୀବିହାର କଲୋନିରେ ବାସ କରୁଥିଲେ। ପତ୍ନୀ ପରେଶକୁମାରୀ ଦେବୀ (୭୫) ଓ ପୁଅ ‌ଶୁଭେନ୍ଦ୍ର ଭଞ୍ଜଦେଓ (୫୨) ଓ ଝିଅ ଜୟନ୍ତୀ ସାମନ୍ତରାୟ (୫୪)ଙ୍କୁ ନେଇ ହେଉଛି ତାଙ୍କ ପରିବାର। ୨୦୨୧, ସେପ୍ଟେମ୍ବରରେ ସୌରୀନ୍ଦ୍ର ନାରାୟଣ ଭଞ୍ଜ ଦେଓଙ୍କ ପରଲୋକ ଘଟିଥିଲା। ପୁଅ ଶୁଭେନ୍ଦ୍ର ଭଞ୍ଜ ଦେଓ ପ୍ରଥମେ ରିୟଲଇଷ୍ଟେଟ୍ ବ୍ୟବସାୟ କରୁଥିଲେ। ପ୍ରାୟ ୨୫ ବର୍ଷ ତଳେ ଶୁଭେନ୍ଦ୍ର ଝାଡ଼ଖଣ୍ଡର ରାଞ୍ଚି ନିବାସୀ ରୂପା ଭଞ୍ଜ ଦେଓଙ୍କୁ ବିବାହ କରିଥିଲେ। ବିବାହର ୨ ବର୍ଷରେ ପାରିବାରିକ କଳହ ଯୋଗୁଁ ସେମାନେ ଅଲଗା ହୋଇ ଯାଇଥିଲେ। ତାଙ୍କର ବି କୌଣସି ସନ୍ତାନ ନଥିଲା। କିନ୍ତୁ ତା’ ପରଠାରୁ ଶୁଭେନ୍ଦ୍ରଙ୍କର ମାନସିକ ସମସ୍ୟା ଆରମ୍ଭ ହୋଇଥିବା କୁହାଯାଉଛି। ପରେ ପ୍ରାୟ ୧୮ ବର୍ଷ ତଳେ ଗଡ଼ୱାଲ ନିବାସୀ ଲୁସି ଭଞ୍ଜ ଦେଓଙ୍କୁ ଶୁଭେନ୍ଦ୍ର ଦ୍ବିତୀୟ ବିବାହ କରିଥିଲେ। ହେଲେ ପାରିବାରିକ କଳହ ଯୋଗୁଁ ବିବାହର ୨ ବର୍ଷରେ ବି ସେମାନେ ଅଲଗା ହୋଇଯାଇଥିଲେ। ତାଙ୍କର କିନ୍ତୁ ଗୋଟିଏ ଝିଅ ରହିଛି। ଲୁସି ଭଞ୍ଜ ଦେଓ ନିଜ ୧୭ବର୍ଷର ଝିଅଙ୍କୁ ଧରି ଦିଲ୍ଲୀରେ ରହୁଛନ୍ତି। ପରେ ୨୦୧୨ ମସିହାରେ ବଲାଙ୍ଗୀର ନିବାସୀ କବିତା ସିଂହଦେଓଙ୍କୁ ଶୁଭେନ୍ଦ୍ର ତୃତୀୟ ବିବାହ କରିଥିଲେ। କିନ୍ତୁ ବିବାହର କିଛି ବର୍ଷ ମଧ୍ୟରେ ସେମାନଙ୍କ ମଧ୍ୟରେ ବି ପାରିବାରିକ କଳହ ହେବାରୁ କବିତା ଶୁଭନ୍ଦ୍ର ଭଞ୍ଜ ଦେଓଙ୍କ ଠାରୁ ଅଲଗା ହୋଇ ଭୁବନେଶ୍ବର ଠାରେ ରହୁଛନ୍ତି। ଅନ୍ୟପଟେ ସୌରୀନ୍ଦ୍ର ନାରାୟଣ ଭଞ୍ଜ ଦେଓଙ୍କ ଝିଅ ଜୟନ୍ତୀ ସାମନ୍ତରାୟ ରାଜାବଗିଚା ନିବାସୀ ଦୀପକ ସାମନ୍ତରାୟଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ପାରିବାରିକ ବିବାଦ ଯୋଗୁଁ ଜୟନ୍ତୀ ସାମନ୍ତରାୟ ବି ନିଜ ସ୍ବାମୀ, ପିଲାଙ୍କ ଠାରୁ ଦୂରେଇ କିଛି ବର୍ଷ ହେଲା ବାପ ଘରେ ରହି ଆସୁଥିଲେ।

କଲିଂ ବେଲ୍ ବଜାଇ ଡାକି ଥିଲା ଶୁଭେନ୍ଦ୍ର

ଜାନୁଆରି ୨୬ ତାରିଖ, ବୁଧବାର ସକାଳ ପାଖାପାଖି ୮ଟା ବେଳେ ଶୁଭେନ୍ଦ୍ର ଉପର ମହଲାକୁ ଯାଇ କଲିଂ ବେଲ୍ ବଜାଇ ଥିଲା। ସେତେବେଳେ ଝିଅ ଜୟନ୍ତୀ ଗୋଟିଏ ରୁମ୍‌ରେ ଶୋଇଥିବା ବେଳେ ଅନ୍ୟ ରୁମରେ ଶୋଇଥିଲେ ପରେଶକୁମାରୀ। କଲିଂ ବେଲ୍ ଶବ୍ଦ ଶୁଣି ପରେଶକୁମାରୀ କବାଟ ଖୋଲିଥିଲେ। ସିସି କ୍ୟାମେରା ଫୁଟେଜ୍ ଅନୁଯାୟୀ ପ୍ରଥମେ ମା’-ପୁଅଙ୍କ ଭିତରେ ବଚସା, ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ଧୀରେଧୀରେ ଶୁଭେନ୍ଦ୍ର ଉଗ୍ର ହେବା ସହିତ କଟୁରୀ, ପ୍ରେସର କୁକର ଇତ୍ୟାଦିରେ ପରେଶକୁମାରୀଙ୍କୁ ଆକ୍ରମଣ କରିବା ସହିତ ହତ୍ୟା କରି ଗୋଟିଏ ପଟୁ ଅନ୍ୟ ପଟକୁ ଘୋଷାଡ଼ି ଘୋଷାଡ଼ି ନେଇ ଫିଙ୍ଗି ଥିଲା।

ମା’ଙ୍କୁ ମାରୁଥିଲା ପୁଅ, ଝିଅ ନାଚାର

ପରେଶକୁମାରୀ ଦେବୀଙ୍କୁ ଯେତେବେଳେ ପୁଅ ଶୁଭେନ୍ଦ୍ର ପିଟିପିଟି ଅତ୍ୟନ୍ତ ବିଭତ୍ସ ଭାବେ ହତ୍ୟା କରୁଥିଲା, ସେତେବେଳେ ନାଚାର ଅବସ୍ଥାରେ ଝିଅ ଜୟନ୍ତୀ ସିସି କ୍ୟାମେରାରେ ସେ ଦୃଶ୍ୟ ଦେଖୁଥିବା ବେଳେ ଭୟରେ ନାଚାର ଅବସ୍ଥାରେ ରୁମ୍ ଭିତରୁ ବାହାରି ପାରି ନଥିଲେ। ରୁମ୍‌ରୁ ବାହାରିଥିଲେ ହୁଏତ ତାଙ୍କ ଜୀବନ ବି ନଥାନ୍ତା। ସେ ପୁଲିସକୁ ଫୋନ୍ କରିଥିଲେ। ପୁଲିସ ପ୍ରଥମେ ଘର ପାଖକୁ ଆସି ପଳାଇ ଥିଲା। ପୁଣି ଥରେ ଜୟନ୍ତୀ ପୁଲିସକୁ ଫୋନ୍ କରିଥିଲେ। ଘର ଭିତରକୁ ଆସିବାକୁ କହିଥିଲେ। କିନ୍ତୁ ପୁଲିସ ‌ଆସି ପହଞ୍ଚିଲା ବେଳକୁ ସବୁ କିଛି ଶେଷ ହୋଇ ସାରିଥିଲା। ପରେଶକୁମାରୀଙ୍କ ମୃତଦେହ ଅତ୍ୟନ୍ତ ବିଭତ୍ସ ଭାବେ ଘରର ଗୋଟିଏ ପଟେ ପଡି ରହିଥିଲା। ଗୋଟିଏ ପଟୁ ଅନ୍ୟ ପଟକୁ ଘୋଷଡ଼ା ହୋଇ ମୃତଦେହକୁ ପକା ଯାଇଥିବା ଦେଖିବାକୁ ମିଳିଥିଲା। ଘରର ଚଟାଣ ଓ କାନ୍ଥ ରକ୍ତରଂଜିତ ହୋଇ ଯାଇଥିଲା।

Sambad

ଶୁଭେନ୍ଦ୍ରର ତୃତୀୟ ପତ୍ନୀ କଲେ ଶାଶୂଙ୍କ ଶେଷକୃତ୍ୟ

ଶୁଭେନ୍ଦ୍ର ନାରାୟଣ ଭଞ୍ଜଦେଓର ତୃତୀୟ ପତ୍ନୀ କବିତା ସିଂହଦେଓ ପରେଶକୁମାରୀଙ୍କ ଶେଷକୃତ୍ୟ କରିଛନ୍ତି। ଶୁଭେନ୍ଦ୍ରଠାରୁ ଅଲଗା ହୋଇ ଯଦିଓ କବିତା ଭୁବନେଶ୍ବରରେ ରହୁଥିଲେ, କିନ୍ତୁ ପରଂପରା ନିର୍ବାହ ପାଇଁ ସେ ଆସି ସତୀଚୌରାରେ ତାଙ୍କର ଶେଷକୃତ୍ୟ କରିଛନ୍ତି। କବିତା ପୂର୍ବରୁ ଶୁଭେନ୍ଦ୍ରର ବାପା ଅର୍ଥାତ ତାଙ୍କ ଶ୍ବଶୁର ସୌରୀନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ଶେଷକୃତ୍ୟ ବି କରିଥିଲେ। ୬ ମାସ ତଳେ ସୌରୀନ୍ଦ୍ର ନାରାୟଣଙ୍କ ପରଲୋକ ଘଟିଥିଲା। ସେତେବେଳେ ଶୁଭେନ୍ଦ୍ରର ମାନସିକ ସ୍ଥିତି ଠିକ୍ ନଥିବାରୁ କବିତା ଶେଷକୃତ୍ୟ କରିଥିଲେ। ପୂର୍ବରୁ ସଂପର୍କ ଖରାପ ଥିବାରୁ ସେ ଅଲଗା ହୋଇଥିଲେ ବି ସେ ଶାଶୂଘରର ଖବର ରଖୁଥିଲେ। ଗତକାଲି ଏଭଳି ଘଟଣା ସଂପର୍କରେ ଖବର ପାଇ ସେ ଆସିବା ସହିତ ଶେଷକୃତ୍ୟ ସଂପନ୍ନ କରିଛନ୍ତି।

ସମ୍ବନ୍ଧିତ ଖବର