କ୍ଷତାକ୍ତ ମୃତଦେହ ଉଦ୍ଧାର; ରାଜମିସ୍ତ୍ରିଙ୍କୁ ହାଣି କେନାଲ୍‌ରେ ଫିଙ୍ଗିଦେଲେ

ଜଗତପୁର: ଜଗତପୁର ଥାନା ଭୈରପୁର ଅଞ୍ଚଳରେ ଜଣେ ରାଜମିସ୍ତ୍ରିଙ୍କ କ୍ଷତାକ୍ତ ମୃତଦେହ ଶାଖା କେନାଲ୍‌ରୁ ଉଦ୍ଧାର କରାଯାଇଛି। ତାଙ୍କୁ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହତ୍ୟା କରାଯିବା ପରେ କେନାଲ୍‌ରେ ଫିଙ୍ଗି ଦିଆଯାଇଥିବା ପୁଲିସ ଅନୁମାନ କରୁଛି। ମୃତକଜଣକ ଭୈରପୁର କଣିବାଟି ଗ୍ରାମର ରମେଶ ଓରଫ ନଣ୍ଡା ଭୋଇ(୪୨) ବୋଲି ପରିଚୟ ମିଳିଛି। ଘଟଣାସ୍ଥଳରେ ଜଗତପୁର ପୁଲିସ, କଟକ ଡିସିପି ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ହତ୍ୟାକାରୀଙ୍କ ସମ୍ପର୍କରେ ପୁଲିସ ସ୍ପଷ୍ଟ ସୂଚନା ପାଇ ନଥିଲେ ବି ସଂଘବଦ୍ଧ ଭାବେ ହତ୍ୟାକାଣ୍ଡକୁ ରୂପ ଦିଆଯାଇଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି।

ଗ୍ରାମର କିଛି ଲୋକ ପାର୍ଶ୍ୱବର୍ତ୍ତୀ ଶାଖା କେନାଲ ପାଣିରେ ରମେଶଙ୍କ ମୃତ ଦେହ ପଡ଼ିଥିବା ଏବଂ ପୋଲର ଏକାଧିକ ସ୍ଥାନରେ ରକ୍ତଛିଟା ପଡ଼ିଥିବା ଦେଖିଥିଲେ। ଖବରଟି ସଙ୍ଗେ ସଙ୍ଗେ ଆଖପାଖ ଅଞ୍ଚଳରେ ବିଜୁଳି ବେଗରେ ପ୍ରଚାରିତ ହୋଇଯାଇଥିଲା। ଖବର ପାଇ କଟକ ଡିସିପି ପ୍ରତୀକ ସିଂ, ଜୋନ୍‌-୧ ଏସିପି ଅମରେନ୍ଦ୍ର ପଣ୍ଡା, ଜଗତପୁର ଥାନା ଆଇଆଇସି ରବୀନ୍ଦ୍ରନାଥ ମେହେର ପ୍ରମୁଖଙ୍କ ସହିତ ପୁଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ। ରମେଶଙ୍କ ମୃତଦେହ ପାଣିରୁ ଉଦ୍ଧାର କରାଯିବା ପରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ଦେଖାଯାଇଥିଲା। ତାଙ୍କ ମୁଣ୍ଡ ପଛପଟେ ଧାରୁଆ ଅସ୍ତ୍ର ଦ୍ୱାରା ଗଭୀର କ୍ଷତ କରାଯାଇଥିବା ଦେଖାଯାଇଥିଲା। ଦୁର୍ବୃତ୍ତମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ସନ୍ଦେହ କରାଯାଉଥିବା ବେଳେ ପୁଲିସ ଏ ନେଇ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଛି।

ମିଳିଥିବା ସୂଚନା‌ ମୁତାବକ, ଦୁର୍ବୃତ୍ତମା‌ନେ ଗତକାଲି ରାତିରେ ପାର୍ଶ୍ଵବର୍ତ୍ତୀ ଗ୍ରାମ ସୁଜାପୁର ଓ ସୁନାଖଳା ଅଞ୍ଚଳର କିଛି ଲୋକଙ୍କ କବାଟ ବାଡେଇବା, ଜଣେ ବ୍ୟକ୍ତିଙ୍କ ବାଇକ୍‌କୁ ଭାଙ୍ଗିବା ଏବଂ ରାତିରେ ବାହାରକୁ ଉଠିଥିବା ଜଣେ ମହିଳାଙ୍କୁ ଧକ୍କା ମାରିଥିଲେ। ସାଇଣ୍ଟିଫିକ୍‌ ଟିମ ଓ ସନ୍ଧାନୀକୁକୁର ଜରିଆରେ ତଦନ୍ତକୁ ଆଗକୁ ବଢ଼ାଇବା ପରେ ପୁଲିସ ଅନ୍ୟ କେତେକ ତଥ୍ୟ ପାଇଛି। ଦୁର୍ବୃତ୍ତମାନେ କଣିବାଟି ଗାଁ ଦେଇ ଗଲାବେଳେ ମୃତକ ରମେଶଙ୍କ ସାମ୍ନାସାମ୍ନି ହୋଇଯାଇଥିଲେ। ଚିହ୍ନା ପଡ଼ିଯିବା ଭୟରେ ସେମାନେ ରମେଶଙ୍କୁ ହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ତା’ଛଡ଼ା, ଦୁର୍ବୃତ୍ତମାନେ ଅଭ୍ୟାସଗତ ନିଶାଖୋର୍‌ ବୋଲି ଅଞ୍ଚଳରେ ଚର୍ଚା ହେଉଛି।

ସେପଟେ, ମୃତକ ରମେଶଙ୍କ ପତ୍ନୀ ଲତା କହିଛନ୍ତି, ଗତକାଲି ରାତି ପ୍ରାୟ ୩ଟା ବେଳେ ଦଳେ କୁକୁର ଜୋର୍‌ରେ ଭୁକୁଥିବା ଶୁଣି ରମେଶ କେନାଲ ପୋଲ ଆଡ଼େ ଯାଇଥିଲେ। ସକାଳ ପର୍ଯ୍ୟନ୍ତ ସେ ଫେରି ନ ଥିଲେ। ସକାଳେ ଲୋକମାନେ ତାଙ୍କ ମୃତଦେହ କେନାଲ୍‌ରେ ଦେଖି ଖବର ଦେବା ପରେ ଆମେ ଜାଣିବାକୁ ପାଇଥିଲୁ। ସ୍ୱାମୀଙ୍କ ହତ୍ୟାକାରୀଙ୍କୁ ଧରିବା ସହିତ ମୋତେ ନ୍ୟାୟ ମିଳୁ ବୋଲି ଲତା କାନ୍ଦି କାନ୍ଦି ଦାବି କରିଛନ୍ତି। ସୂଚନାଯୋଗ୍ୟ, ରମେଶ ନିଜ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ପରିବାରରେ ପତ୍ନୀ ଲତା, ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି।

ସମ୍ବନ୍ଧିତ ଖବର