ଓଡ଼ିଆ ବଜାର କୁତ୍ତାଖାଇ ଗଳିରେ ହତ୍ୟାକାଣ୍ଡ

କଟକ: ୧୦ ବର୍ଷ ପରେ ଓଡ଼ିଆ ବଜାର କୁତ୍ତାଖାଇ ଗଳିରେ ପୁଣି ସମାନ ଢଙ୍ଗରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଦିନ ଦି’ପହରରେ କୁତ୍ତାଖାଇ ସାହି ସମ୍ପାଦକ ବି. ଆପାରାଓଙ୍କ ପତ୍ନୀ ବି. ଗୁଣାବତୀ(୪୫)ଙ୍କ ଗଳା କାଟି ହତ୍ୟା କରାଯାଇଛି। ଘରେ କେହିନଥିବା ବେଳେ ଗୁଣାବତୀଙ୍କ ବେକକୁ ଧାରୁଆ ଅସ୍ତ୍ରରେ କଟାଯାଇଛି। ଲାଲବାଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଥିବା ବେଳେ ଘରୁ ଏକ ପନିକି ଗାଏବ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, କୁତ୍ତାଖାଇ ଗଳିର ସାହି ସମ୍ପାଦକ ଥିବା ବି.ଆପା ରାଓ ତିନିକୋଣିଆ ବଗିଚାରେ ଏକ ପ୍ରେସ୍‌ରେ କାମ କରୁଥିବା ବେଳେ ସାନ ପୁଅ ବି.ରବିରାଓ ଚଣ୍ଡୀଛକର ଆଇସିସିଆଇ ବ୍ୟାଙ୍କରେ ରିଲେସନ୍ ମ୍ୟାନେଜର ଭାବେ କାମ କରନ୍ତି। ବଡ଼ ଝିଅ ବିବାହିତା। ଆଜି ସକାଳ ପ୍ରାୟ ୧୦ଟା ସୁଦ୍ଧା ବାପା ଓ ପୁଅ ନିଜ କାର୍ଯ୍ୟକ୍ଷେତ୍ରକୁ ଚାଲି ଯାଇଥିଲେ। ଘରର ଦ୍ବିତୀୟ ମହଲାରେ ଏକୁଟିଆ ଥିଲେ ଗୁଣାବତୀ। ତଳ ଘରେ ରହୁଥିବା ଭଡ଼ାଟିଆ ଗଲା କିଛି ଦିନ ହେବ ବାହାରକୁ ଯାଇଥିବାରୁ ଏହି କୋଠାରେ କେବଳ ଗୁଣାବତୀ ଥିଲେ। ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ଗୁଣାବତୀ ଘର ନିକଟରେ ଥିବା କେ.ରାଜା ରାଓଙ୍କ ପରିବା ଦୋକାନକୁ ପରିବା କିଣିବାକୁ ଯାଇଥିଲେ। ଦୋକାନରେ ରାଜାଙ୍କ ପତ୍ନୀ ଭାଗ୍ୟଲକ୍ଷ୍ମୀ ଥିଲେ। ଭାଗ୍ୟଲକ୍ଷ୍ମୀ ତାଙ୍କୁ ପରିବା ଦେଇଥିଲେ। ଦିନ ପ୍ରାୟ ୨ଟା ବେଳେ ଆପାରାଓ ତିନିକୋଣିଆ ବଗିଚାରୁ କାମ ସାରି ଘରେ ପହଞ୍ଚିଲା ବେଳକୁ ଗୁଣାବତୀ ତଳେ ମୁହଁ ମାଡ଼ି ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଆପାରାଓ ତୁରନ୍ତ ଦୌଡ଼ି ଆସି ପରିବା ବ୍ୟବସାୟୀ କେ. ରାଜାଙ୍କୁ କହିଥିଲେ।

ପରେ ସାହିପଡ଼ିଶା ସେଠାରେ ପହଞ୍ଚି ଯାଇଥିଲେ। ଲାଲବାଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଗୁଣାବତୀଙ୍କ ଶବ ଉଦ୍ଧାର କରି ବଡ଼ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇଥିଲା। ଆସନ୍ତାକାଲି ତାଙ୍କର ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।

ଘଟଣାସ୍ଥଳରେ ଏସିପି ତାପସ ପ୍ରଧାନଙ୍କ ସମେତ ଲାଲବାଗ ଥାନା ପୁଲିସ, ସନ୍ଧାନୀ କୁକୁର, ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ତନାଘନା କରିଥିବା ବେଳେ ଘର ସାମ୍ନା‌ରେ ଏକ କୋଠାରେ ଲାଗିଥିବା ଏକ ସିସି କ୍ୟାମେରାର ଫୁଟେଜ୍ ପୁଲିସ ଜବତ କରିଛି। ଏହି କ୍ୟାମେରା ଗୌରୀଶଙ୍କର ପାର୍କ ରାସ୍ତା ଆଡ଼କୁ ମୁହଁ କରିଛି। ଗୁଣାବତୀଙ୍କ ଘରକୁ ଆସିବାକୁ ଦୁଇଟି ରାସ୍ତା ଥିବାବେଳେ ପୁଲିସ କେବଳ ଗୋଟିଏ ପ୍ରବେଶ ପଥର ସିସି କ୍ୟାମେରା ଫୁଟେଜ୍ ଜବତ କରିଛି।

ତଦନ୍ତ ବେଳେ ଆଜି ପୁଲିସ ସନ୍ଧାନୀ କୁକୁର ମାଇକା ଛକ ଯାଏ ଦୌଡ଼ି ଯାଇଥିଲା। ସେଠୁ ପୁଣି ଘଟଣାସ୍ଥଳକୁ ଫେରି ଆସିଥିଲା। ପରିବା ବ୍ୟବସାୟୀ କେ.ରାଜାଙ୍କ ବୟାନ ଆଧାରରେ ହତ୍ୟାକାଣ୍ଡ ଦିନ ୧୨ଟା ୩୦ରୁ ୨ଟା ଭିତରେ ହୋଇଥିବା ପୁଲିସ ସ୍ପଷ୍ଟ ହୋଇଛି। ଶୁକ୍ରବାର ଦିନ ପ୍ରାୟ ୧୨ଟା ୩୦ରୁ ଗୋଟାଏ ୩୦ ଯାଏ ମୁସଲିମ୍ ସମ୍ପ୍ରଦାୟର ଲୋକେ ନମାଜ ପଢ଼ିବାକୁ ଯାଇଥିବାରୁ ଗୁଣାବତୀଙ୍କ ଘରକୁ କେହି ଆସିବା ନେଇ ପଡ଼ୋଶୀଙ୍କ ନିକଟରେ କୌଣସି ସୂଚନା ନାହିଁ। ଶୁକ୍ରବାର କୁତ୍ତାଖାଇ ଗଳି ଜନଶୂନ୍ୟ ହୋଇଯାଉଥିବାରୁ ହତ୍ୟାକାଣ୍ଡ ସମ୍ପୂର୍ଣ୍ଣ ଯୋଜନାବଦ୍ଧ ଭାବେ ହୋଇଥିବା କୁହାଯାଉଛି।

ସରୋଜଙ୍କୁ ବି ଘରେ ପଶି ମାରିଥିଲେ

୨୦୧୨ରେ ତଳେ କୁତ୍ତାଖାଇ ଗଳିରେ ଓଟି ଚନ୍ଦର ରାଓଙ୍କ ୪୫ବର୍ଷୀୟ ପୁଅ ଓଟି ସରୋଜଙ୍କୁ ବି ଜଣେ ଦୁର୍ବୃତ୍ତ ଛାତିରେ ସ୍କ୍ରୁ-ଡାଇଭର୍ ଭୁସି ହତ୍ୟା କରିଥିଲା। ଦିନ ପ୍ରାୟ ୨ଟା ବେଳେ ଘରେ ସରୋଜ ଏକୁଟିଆ ଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିଲା। ଚମାର ସାହିର ଭିନ୍ନ ସମ୍ପ୍ରଦାୟର ଜଣେ ଯୁବକ ହତ୍ୟାକାଣ୍ଡ କରିଥିଲା। ସମ୍ପୃକ୍ତ ଯୁବକକୁ ପୁଲିସ ଗିରଫ କରି ଚୌଦ୍ବାର ଜେଲ୍ ହାଜତକୁ ପଠାଇ ଦେଇଥିଲା। ଏବେ ବି ସମ୍ପୃକ୍ତ ଯୁବକଜଣକ ସଜା କାଟୁଛି। ଅଭିଯୁକ୍ତଜଣକ ନିଶାଡ଼ି ହୋଇଥିବା ବେଳେ ଏଭଳି ନିଶା ପାଇଁ ଘରେ ପଶି ହତ୍ୟା କରିଥିଲା। ସମାନଧରଣର ଘଟଣା ଶୁକ୍ରବାର ଘଟିବା ପରେ କୁତ୍ତାଖାଇ ଗଳିରେ ଆତଙ୍କ ଖେଳି ଯାଇଛି।

ପନିକି ଧୁଆ ହେଇ ବାରଣ୍ଡାରେ ଥିଲା

ଗୁଣାବତୀ ସୁନାର କାନଫୁଲ, ହାର ପିନ୍ଧୁଥିବା ବେଳେ ସେସବୁ କିନ୍ତୁ ତାଙ୍କ ନିକଟରେ ଥିଲା। ଚୋରି ଉଦ୍ଦେଶ୍ୟରେ ଏଭଳି ହତ୍ୟାକାଣ୍ଡ ହୋଇ ନଥିବା ପୁଲିସ ଅନୁମାନ କରୁଛି। ତାଙ୍କ ସହ ପରିବାର କିମ୍ବା ପଡ଼ୋଶୀଙ୍କ ସେଭଳି ଶତ୍ରୁତା ନଥିବା ବେଳେ କେଉଁ ପରିସ୍ଥିତିରେ ହତ୍ୟାକାଣ୍ଡ ହୋଇଛି, ତାକୁ ନେଇ ସନ୍ଦେହ କରାଯାଉଛି। ଶୁକ୍ରବାର ଗୁଣାବତୀଙ୍କ ଘରେ ଆମିଷ ହେଉ ନଥିବାରୁ ପନିକି ସଫା କରି ଦ୍ବିତୀୟ ମହଲାର ବାରଣ୍ଡାରେ ରଖିଥିଲେ। ବାରଣ୍ଡାରେ କିନ୍ତୁ ପନିକି ନଥିବା ଦେଖିବାକୁ ମିଳିଛି। ସେହି ପନିକିରେ ଦୁର୍ବୃତ୍ତ ଗୁଣାବତୀଙ୍କ ତଣ୍ଟି କାଟି ଦେଇ ପନିକି ସହିତ ଫେରାର ହୋଇଯାଇଥିବା କୁହାଯାଉଛି। ତେବେ ପରିବାର ସଦସ୍ୟ କିମ୍ବା କେହି ପରିଚିତ ଲୋକଙ୍କର ହତ୍ୟାକାଣ୍ଡ ସହିତ ସମ୍ପୃକ୍ତ ସନ୍ଦେହ କରାଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ପୁଲିସ ଏ ଦିଗରେ ଛାନଭିନ୍ ଜାରି ରଖିଛି।

ସମ୍ବନ୍ଧିତ ଖବର