ପୁଲିସ୍‌କୁ ଲୁଟେରାଙ୍କ ଚ୍ୟାଲେଞ୍ଜ; କଟକରୁ ଲୁଟିଛନ୍ତି ମୁର୍ସିଦାବାଦ୍‌ର ‘ଫେରିବାଲା’!

ଟ୍ରେନ୍‌ରେ ଆସୁଛନ୍ତି ଲୁଟେରା ଦଳ; ୨୦୧୬ରେ ସିଡିଏରୁ ଧରାପଡ଼ିଥିଲେ ୧୫ ଜଣ ; ଯାଜପୁର, ଗଞ୍ଜାମ ‘କେଳା ଗ୍ରୁପ୍‌’ ବି ସ୍କାନର୍‌ରେ

କଟକ: ମଧୁପାଟଣା ଓ ଜଗତପୁର ସିରିଜ୍‌ ଚୋରି ପଛରେ ଅଛନ୍ତି ପଶ୍ଚିମବଙ୍ଗ ମୁର୍ସିଦାବାଦ୍‌ର ‘ଫେରିବାଲା ଗ୍ରୁପ୍‌’! କମିସନରେଟ୍‌ ପୁଲିସର ରେକର୍ଡ କହୁଛି, ମୁର୍ସିଦାବାଦ୍‌ର ତିନୋଟି ଫେରିବାଲା ଗ୍ରୁପ୍‌ ଏଭଳି ଶୈଳୀରେ ୨୦୧୫-୧୬ରେ ସିଡିଏରେ ଲୁଟ୍‌ପାଟ୍‌ କରିଥିଲେ। ଗଞ୍ଜାମ ଓ ଯାଜପୁରରେ ରହୁଥିବା ‘କେଳା ଗ୍ରୁପ୍‌’ ଯଦିଓ ଏଭଳି ତାଲା ଭାଙ୍ଗି ଚୋରି କରନ୍ତି, କିନ୍ତୁ ପୁଲିସର ଅଧିକ ସନ୍ଦେହ ଏବେ ମୁର୍ସିଦାବାଦ୍‌ ଫେରିବାଲା ଗ୍ରୁପ ଉପରେ ରହିଛି। ଏହି ଗ୍ରୁପ୍‌କୁ ଧରିବା ପାଇଁ ପୁଲିସ ଏବେ ମଧୁପାଟଣା ଓ ଜଗତପୁର ଅଞ୍ଚଳର ଟାଵାର ଡମ୍ପ୍‌ ସ˚ଗ୍ରହ କରି ତଦନ୍ତ ଆରମ୍ଭ କରିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ସୂଚନା ଅନୁଯାୟୀ, କୋଭିଡ୍‌ ସମୟରେ କଟକ କମିସନରେଟ୍‌ ପୁଲିସରେ ସିରିଜ୍‌ ଚୋରି କରିଥିବା ଗ୍ୟାଙ୍ଗ୍‌ ଏବେ ଚିନ୍ତା ବଢ଼ାଇ ଦେଇଛି। ମଧୁପାଟଣା ଥାନା ଅଞ୍ଚଳରେ ୧୦ଟି, ଜଗତପୁରରେ ଦୁଇଟି ଓ ବାଦାମବାଡ଼ି ସୂର୍ଯ୍ୟନଗରରେ ଗୋଟିଏ ଲେଖାଏ ଚୋରି ମାମଲା ସମାନ ଶୈଳୀର ହୋଇଛି। ତାଲା ଭାଙ୍ଗି ସୁନା ଅଳଙ୍କାର ଲୁଟ୍‌ ହୋଇଥିବା ‘ସମ୍ବାଦ’ରେ ଲଗାତର ଖବର ପ୍ରକାଶ ପରେ ତତ୍ପର ହୋଇଛି କଟକ କମିସନରେଟ୍‌ ପୁଲିସ। ପୁରା କାରନାମା ପଛରେ ଏବେ ମୁର୍ସିଦାବାଦ୍‌ର ଫେରିବାଲା ଗ୍ରୁପଙ୍କ ସମ୍ପୃକ୍ତ ସନ୍ଦେହ ସାମନାକୁ ଆସିଛି। ଏହି ଗ୍ରୁପ ସିଡିଏରେ ୨୦୧୫ରୁ ୨୦୧୬ ଭିତରେ ଲଗାତର ତାଲା ଭାଙ୍ଗି ସୁନା ଅଳଙ୍କାର ଲୁଟିଥିଲେ। ସେତେବେଳେ ଜୋନ୍‌ ୩ ଏସିପି ଥିବା ପ୍ରମୋଦ ରଥଙ୍କ ନେତୃତ୍ବରେ ତିନୋଟି ଗ୍ରୁପର ୧୫ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଥିଲା।

ଟାଵାର ଡମ୍ପ୍‌ରୁ ଏମାନଙ୍କୁ ଗିରଫ କରାଯାଇଥିଲା। କୁହାଯାଏ, ଏହି ଗ୍ରୁପ ଧରାପଡ଼ିଲା ପରେ ସିଡିଏରେ ତାଲା ଭାଙ୍ଗି ସୁନା ଅଳଙ୍କାର ଲୁଟ୍‌ ମାମଲା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଏବେ ପୁଣି ସେମାନେ କଟକକୁ ଫେରିଥିବା କୁହାଯାଉଛି। ଏହି ଗ୍ରୁପ୍‌ ଦିନରେ ଫେରିବାଲା ହୋଇ ଶାଢ଼ି, ଖେଳନା ଓ କାର୍ପେଟ୍‌ ବିକ୍ରି କରିବାକୁ ଆସନ୍ତି। ଯେଉଁ ଘର ତାଲା ପଡ଼ିଥାଏ, ସେହି ଘର ଆଖପାଖରେ ଲଗାତର ଦୁଇଦିନ ବୁଲାବୁଲି କରନ୍ତି। ତୃତୀୟ ଦିନ ହିଁ ଚୋରି କରନ୍ତି। ଚୋରି ପରେ ଏହି ଗ୍ରୁପର ଜଣେ ସଦସ୍ୟ ସୁନା ଅଳଙ୍କାର ଓ ଟଙ୍କା ଧରି ଟ୍ରେନ୍‌ ଯୋଗେ ସେଦିନ ରାତିରେ ହିଁ ମୁର୍ସିଦାବାଦ୍‌ ଫେରାର ହୋଇଯାଏ। ଏମାନେ ବାଦାମବାଡ଼ି ରକ୍ସି ହୋଟେଲ୍‌ ଗଳି ଏବ˚ ବିକାଶ ଭବନ ଗଡ଼ାରେ ୧୦୦ରୁ ୨୦୦ ଟଙ୍କା ଦେଇ ଶସ୍ତାରେ ଭଡ଼ାରେ ଘର ନିଅନ୍ତି। ନିର୍ଦ୍ଦିଷ୍ଟ ଦୁଇଜଣ ବ୍ୟକ୍ତି ଏହି ଗ୍ରୁପ୍‌କୁ ଶସ୍ତାରେ ଭଡ଼ାଘର ଯୋଗାଇ ଦିଅନ୍ତି। ସେହିପରି ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁର କେଳା ଗ୍ରୁପଙ୍କ ଚୋରି ଶୈଳୀ ବି ଏହିଭଳି। ଏମାନେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, କୋଦଳା, ଭଞ୍ଜନଗର, ଆସ୍କା ସମେତ ଯାଜପୁର ଜିଲ୍ଲା ଜଖପୁରା, କନ୍ତରା, କୋରେଇ ଅଞ୍ଚଳରେ ଥିବା ବସ୍ତିରେ ରହୁଛନ୍ତି। ଚୋରି କଲା ବେଳେ ଏହି ଗ୍ରୁପ୍‌ ସ˚ଘବଦ୍ଧ ଭାବେ ଯିବାକୁ ଅଧିକ ପସନ୍ଦ କରନ୍ତି। ପାଖାପାଖି ଗୋଟିଏ ଗ୍ୟାଙ୍ଗ୍‌ରେ ୮ରୁ ୧୦ ଜଣ ସଦସ୍ୟ ରହୁଛନ୍ତି। ଯେଉଁ ଅଞ୍ଚଳରେ ଏମାନେ ଚୋରି କରିବାକୁ ଯୋଜନା କରନ୍ତି, ପ୍ରଥମେ ସେହି ଅଞ୍ଚଳରେ କୌଣସି ହୋଟେଲ୍‌, ଲଜ୍‌ କିମ୍ବା ଅସ୍ଥାୟୀ ଘରେ ଆଶ୍ରୟ ନିଅନ୍ତି। ଯେଉଁ ସହରରେ ଲୁଟ୍‌ କରନ୍ତି, ସେହି ସହରକୁ ପୁଣି ପାଖାପାଖି ବର୍ଷକ ପରେ ଫେରନ୍ତି।

ଲଗାତର ଲୁଟ୍‌ କଲେ ପୁଲିସ ହାତରେ ଧରାପଡ଼ିଯିବାର ଆଶଙ୍କା ଥିବାରୁ ଏଭଳି କୌଶଳ କେଳା ଗ୍ରୁପ୍‌ ବ୍ୟବହାର କରୁଥିବା କୁହାଯାଉଛି। ତେବେ ଅପରାଧ ଘଟାଇବା ପରେ ଏମାନେ ଫେରାର ହେବାକୁ ଟ୍ରେନ୍‌ ବ୍ୟବହାର କରୁଛନ୍ତି। ଯାଜପୁର ରୋଡ୍‌ ରେଳଷ୍ଟେସନ କିମ୍ବା ଗଞ୍ଜାମରୁ ଟ୍ରେନ୍‌ ଯୋଗେ କଟକ ରେଳ ଷ୍ଟେସନ୍‌ରେ ପହଞ୍ଚି କଟକରେ ଅପରାଧ ଘଟାଉଥିବା କୁହାଯାଉଛି। ପୁଲିସ ଏବେ ଏହି ଫେରିବାଲା ଗ୍ରୁପ୍‌ ଓ କେଳା ଗ୍ରୁପକୁ ସ୍କାନର‌୍‌କୁ ଆଣିଛି। ନିର୍ଦ୍ଦିଷ୍ଟ ଭାବେ ଏହି ତିନୋଟି ଗ୍ରୁପ୍‌ ରାଜ୍ୟରେ ଏଭଳି ତାଲା ଭାଙ୍ଗି ଅପରାଧ ଘଟାଉଥିବାରୁ କମିସନରେଟ୍‌ ପୁଲିସ ସେମାନଙ୍କୁ ଧରିବା ପାଇଁ ଦୀର୍ଘଦିନ ହେବ କଟକରେ କାମ କରିଆସୁଥିବା ଅଫିସରଙ୍କ ଗୁଇନ୍ଦା ତଥ୍ୟ ଲୋଡ଼ିଛି। ଗୁଇନ୍ଦା ତଥ୍ୟ ଓ ଚୋରି ହୋଇଥିବା ଅଞ୍ଚଳର ପୃଥକ ଟାଵାର‌୍‌ ଡମ୍ପ୍‌ ସ˚ଗ୍ରହ କରାଯାଉଛି। ଚୋରି ଘଟିଥିବା ରାତିରେ କେଉଁମାନେ ବାହାରୁ ଆସିଥିଲେ, ସେମାନଙ୍କ ଗତିବିଧି ପୁଲିସ ଅନୁଶୀଳନ କରୁଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର