ଅଜଗର ପେଟରେ ନନ୍ଦକିଶୋର! ୧୬ ଦିନ ହେଲା ହଟୁନି ରହସ୍ୟ; ଡିଜିଙ୍କୁ ଭେଟିଲେ ପତ୍ନୀ, କଂଗ୍ରେସ ନେତା

ନନ୍ଦକିଶୋରଙ୍କୁ ନିଖୋଜ ପୂର୍ବରୁ ଦେଖିଥିଲେ ଅଞ୍ଚଳ ଲୋକ; ବନ ବିଭାଗର ଅସ୍ବୀକାରକୁ ନେଇ ବଢ଼ୁଛି ସନ୍ଦେହ

କଟକ: ଫେରି ବେପାରୀ ନନ୍ଦକି‌ଶୋର ବେହେରା ନିଖୋଜ ଘଟଣାକୁ ୧୬ ଦିନ ବିତିଗଲାଣି। ଏ ଘଟଣା ଉପରୁ ରହସ୍ୟ ଉଠି ପାରୁନି। ଅନ୍ୟପଟେ ପୁଲିସ ଓ ବନ ବିଭାଗର ଆଚରଣ ଘଟଣାକୁ ଅଧିକ ରହସ୍ୟମୟ କରୁଛି। ଏଭଳି ସ୍ଥିତିରେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ନିଖୋଜ ନନ୍ଦକିଶୋରଙ୍କ ପତ୍ନୀ ଓ କଂଗ୍ରେସର ପ୍ରତିନିଧି ମଣ୍ଡଳି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲଙ୍କୁ ଭେଟି ଦାବି ଜଣାଇଛନ୍ତି। ଆରମ୍ଭରୁ ନନ୍ଦକିଶୋରଙ୍କୁ ଏକ ଅଜଗର ଗିଳି ଦେଇଛି ବୋଲି ଅଭିଯୋଗ ଆଣି ଜଙ୍ଗଲରେ ପଡି ରହିଥିବା ଅଜଗରର ସ୍କାନ୍ କରିବାକୁ ପରିବାର ଲୋକ ଦାବି କରିଥିଲେ। କିନ୍ତୁ ତାହାକୁ ବିଭିନ୍ନ ନିୟମ ଆଳରେ ବନ ବିଭାଗ ଏଡାଇ ଯିବା ପରେ ଜଙ୍ଗଲରେ ଆହାର ଗିଳି ପଡ଼ି ରହିଥିବା ଅଜଗର ସେଠାରୁ ବି କୁଆଡେ ଚାଲି ଗଲାଣି। ଅଜଗର ଯିବା ପରେ ପୁଲିସ ଓ ବନ ବିଭାଗ ଜଙ୍ଗଲରେ ନନ୍ଦକିଶୋରଙ୍କୁ ଖୋଜିବା ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ ନନ୍ଦକିଶୋର ମିଳୁ ନାହାନ୍ତି ବୋଲି କୁହାଯାଇଥିଲା। ଏପଟେ ଅଜଗର ଯେଉଁଠି ଶୋଇଥିଲା ତାର କିଛି ଦୂରରୁ ନନ୍ଦକିଶୋରଙ୍କ ଗାଡି, ଚପଲ, ଧୋତି ସବୁ ମିଳିଥିଲା। କିନ୍ତୁ ଏବେ ବନବିଭାଗ କହିବା ଅନୁଯାୟୀ ନନ୍ଦକିଶୋର ସେହି ଅଞ୍ଚଳକୁ ଯାଇ ନାହାନ୍ତି। କିନ୍ତୁ ଅଗଷ୍ଟ ୨୮ ତାରିଖରେ ନନ୍ଦକି‌ଶୋର ନିଖୋଜ ହେବା ଦିନ ଗାଡିଆ ଶବର ସାହି ଦେଇ ତିନି କିଲୋମିଟର ଦୂର ବେଙ୍ଗପାଣି ଘାଟି ରାସ୍ତାର ପିଠାଖିଆ ଆଦି ବିଭିନ୍ନ ପଡା ଗାଁକୁ ଯାଇଥିବା ଲୋକ ଦେଖିଛନ୍ତି ବୋଲି କହିଛନ୍ତି। ଏଭଳି ସ୍ଥିତିରେ ବନ ବିଭାଗର ମନ୍ତବ୍ୟ ଘଟଣାକୁ ନେଇ ସନ୍ଦେହ ବଢାଉଛି।

ନନ୍ଦକିଶୋରଙ୍କ ରହସ୍ୟ ଉନ୍ମୋଚନ ହୋଇ ପାରୁ ନଥିଲେ ବି ବନବିଭାଗ ଏବେ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳ ରାସ୍ତାକୁ ‌ଖାତ ଖୋଳି ବନ୍ଦ କରି ଦେଇଛି। ବନବିଭାଗର ରେଞ୍ଜରଙ୍କ କହିବା କଥା ହେଲା କିଏ ହୁଏତ ନନ୍ଦକିଶୋରଙ୍କ ଧୋତି, ଚପଲ ଇତ୍ୟାଦି ସାମଗ୍ରୀ ନେଇ ସେଠାରେ ପକାଇ ଦେଇ ଥାଇପାରେ। କିନ୍ତୁ ଏଭଳି କଲା କିଏ? ତାହେଲେ ନନ୍ଦକିଶୋରଙ୍କୁ କ’ଣ କେହି ହତ୍ୟା କରିଛି? ନନ୍ଦକିଶୋରଙ୍କ ସାମଗ୍ରୀ ମିଳିଥିବା ସ୍ଥାନରେ ତାଙ୍କ ଧୋତିକୁ ଏକ ଗଛରେ ବାନ୍ଧି ଦିଆଯାଇଛି। ଜଙ୍ଗଲ ଭିତରେ ସ୍ଥାନ ନିରୂପଣରେ ପୁଲିସ ପାଇଁ ସମସ୍ୟା ଆଶଙ୍କାରେ ଏଭଳି ଧୋତିକୁ ବାନ୍ଧି ଦେଇଛି ବନବିଭାଗ। ତାଙ୍କ ଦାଦାଙ୍କ ନିଖୋଜ ରହସ୍ୟ ଉନ୍ମୋଚନ କରନ୍ତୁ ବୋଲି ଆଜି ପୁତୁରା ରାମଚନ୍ଦ୍ର ବେହେରା ଡିଜିଙ୍କୁ ଗୁହାରି କରିଥିଲେ। ରାମଚନ୍ଦ୍ରଙ୍କ ସହ ନିଖୋଜ ନନ୍ଦକିଶୋରଙ୍କ ସ୍ତ୍ରୀ ସରସ୍ବତୀ, ଜଟଣୀ ବିଧାୟକ ସୁରେଶ ରାଉତ୍‌ରାୟ, ବାଙ୍କୀର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ସମେତ ଗ୍ରାମବାସୀ ସୁଦର୍ଶନ ବେହେରା, ସଂଜୟ ସାହୁ, ଅଶୋକ ସାହୁ, ଦିଲ୍ଲୀପ ବେହେରା, ଗୀତାଞ୍ଜଳି ସାହୁ, ସରସ୍ବତୀ ବେହେରା ପ୍ରମୁଖ ଡିଜି ଓ ସିପିଙ୍କୁ ସାକ୍ଷାତ କରି ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର