ଚୌଦ୍ବାରବାସୀଙ୍କ ଦୁଃଖ ୫୫ ନମ୍ବର ଜାତୀୟ ରାଜପଥ!

କଟକ: ହୋୟାଂହୋ ନଦୀକୁ ଯେମିତି ଚୀନ୍‌ର ଦୁଃଖ‌ ବୋଲି କୁହାଯାଏ, ଠିକ୍‌ ସେମିତି ଚୌଦ୍ବାର ସହର ମଧ୍ୟ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଏବେ ଅଞ୍ଚଳବାସୀଙ୍କ ଦୁଃଖ ପାଲଟିଛି। ଚୌଦ୍ବାରରୁ ଯେଉଁ ଆଡକୁ ଯିବାକୁ ଚାହିଁଲେ ବି ରାଜପଥ ଦେଇ ଯିବାକୁ ହେବ। କିନ୍ତୁ ତିନି ବର୍ଷ ହେଲାଣି ରାଜପଥ ସଂପ୍ରସାରଣ କରାଯିବା ନାମରେ ବଜାର ଭାଙ୍ଗି ଦିଆଯିବା ଏବଂ ଏପର୍ଯ୍ୟନ୍ତ ରାସ୍ତା କାମ ନସାରିବା ବିଷୟ ଅତ୍ୟନ୍ତ ଉଦ୍‌ବେଗଜନକ। ରାସ୍ତାର ଅବସ୍ଥା ଯୋଗୁଁ ଏଠାରେ ଦୁର୍ଘଟଣା ଘଟିବା ନିତିଦିନିଆ ହୋଇଗଲାଣି। ତେଣୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ବିରୋଧରେ ଏବେ ସହରବାସୀଙ୍କ ଅସନ୍ତୋଷ କୁହୁଳିବାରେ ଲାଗିଛି।

ରାଜପଥ କର୍ତ୍ତୃପକ୍ଷ ତୁରନ୍ତ ରାସ୍ତା କାମ ଶେଷ କରନ୍ତୁ
ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥର ଅବସ୍ଥା ନ କହିବା ଭଲ। ରାସ୍ତାର ଅବସ୍ଥା ଯେମିତି, ସେଥିରେ ଯିବା ଆସିବା ସମ୍ଭବ ହେଉନି। ରାଜପଥ କାମ କେବେ ସରିବ ବୁଝା ପଡୁନି। ଶ୍ରମିକ ମାନେ ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ସେମାନେ କାମ ପାଉ ନଥିଲା ବେଳେ ଏପଟେ ଜାତୀୟ ରାଜପଥ କଷ୍ଟ ଆହୁରି ସମସ୍ୟା ସୃଷ୍ଟି କରୁଛି। ଠିକାଦାର କୋଟି କୋଟି ଟଙ୍କା ରୋଜଗାର କରି ଚାଲିଛନ୍ତି। କିନ୍ତୁ ରାସ୍ତା କାମ ଶେଷ କରୁ ନଥିବାରୁ ସାଧାରଣ ଲୋକ ଦୁର୍ଘଟଣାର ଶିକାର ହୋଇ ହଇରାଣରେ ପଡୁଛନ୍ତି। ରାଜପଥ କର୍ତ୍ତୃପକ୍ଷ ତୁରନ୍ତ ରାସ୍ତା କାମ ଶେଷ କରିବା ଦିଗରେ ଦୃଷ୍ଟି ଦିଅନ୍ତୁ।
ପରୀକ୍ଷିତ ନାୟକ,
ଓଟିଏମ୍‌ ଦୁର୍ଗା ବଜାର

ଦୁର୍ଦ୍ଦଶାରେ କଳିଙ୍ଗ ବଜାର ବ୍ୟବସାୟୀ
ଜାତୀୟ ରାଜପଥ ସଂପ୍ରସାରଣରେ କଳିଙ୍ଗ ବଜାର ଅଧିକ କ୍ଷତିଗ୍ରସ୍ତ ହୋଇଛି। ଅଧିକାଂଶ ବ୍ୟବସାୟୀ ଏହି ଅଞ୍ଚଳକୁ ଛାଡ଼ି ଅନ୍ୟଆଡେ ଯାଇ ଗୁଜୁରାଣ ମେଣ୍ଟାଉଛନ୍ତି। ୧୫୦ରୁ ଉର୍ଦ୍ଧ୍ବ ଦୋକାନ ଏଠାରେ ଭାଙ୍ଗି ଯାଇଥିଲା ବେଳେ କାହାର ଏଥିପ୍ରତି ଦୃଷ୍ଟି ନାହିଁ। ଏହି ଅଞ୍ଚଳର ବ୍ୟବସାୟୀ ମାନଙ୍କ ପ୍ରତି ଅନ୍ୟାୟ ହୋଇଛି। ରାସ୍ତା କାମ ପାଇଁ ବଜାର ଭଙ୍ଗା ହେଲା, କିନ୍ତୁ ବଜାର ସୃଷ୍ଟି କରିବା ପାଇଁ ରାଜପଥ କର୍ତ୍ତୃପକ୍ଷ କିମ୍ବା ସରକାରଙ୍କ ପକ୍ଷରୁ କିଛି କରାଗଲା ନାହିଁ।
କରୁଣାକର ନାୟକ,
ସଭାପତି, କଳିଙ୍ଗ ବଜାର ପୂଜା କମିଟି

ରାସ୍ତା ଖରାପ ଥିବାରୁ ଗ୍ରାହକ ଆସୁ ନାହାନ୍ତି
ରାସ୍ତା କାମ ଶେଷ କରିବା ନାମରେ ଆମ ବେପାର ମାନ୍ଦା କରିଦେଲେ। ରାସ୍ତା ଖରାପ ଥିବାରୁ ଗ୍ରାହକ ବେଶୀ ଆସୁ ନାହାନ୍ତି। ଫଳରେ ପରିବାର ଚଳାଇବା କଷ୍ଟକର ହୋଇପଡୁଛି। ଫଳ ବେପାରରେ ଅଧିକ ଲାଭ ନାହିଁ। ଯାହା ଦୁଇ ପଇସା ହେଉଥିଲା, ରାସ୍ତା କାମ ଯୋଗୁଁ ସବୁ ବରବାଦ୍‌ ହୋଇଗଲା।
ସନାତନ ବିଶ୍ବାଳ,
ଓଟିଏମ୍‌ ବଜାର ଫଳ ବ୍ୟବସାୟୀ

ରାଜପଥ ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦିଅନ୍ତୁ
ଚୌଦ୍ବାର ମଧ୍ୟ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ଯିବା ଆସିବା କରିବା ଅତ୍ୟନ୍ତ କଷ୍ଟଦାୟକ। ଏହି ରାସ୍ତାରେ ତିନି ବର୍ଷ ମଧ୍ୟରେ ୧୦ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କର ମୃତ୍ୟୁ ହୋଇସାରିଲାଣି। ଏପରିକି ୨୦ରୁ ଅଧିକ ଲୋକ ଦୁର୍ଘଟଣା ଯୋଗୁଁ ଗୁରୁତର ଆହତ ହୋଇଛନ୍ତି। ସ୍କୁଲ୍‌, କଲେଜ ପିଲାମାନେ ରାସ୍ତାରେ ଯିବା ଆସିବା କରିବା ବିପଦ। ଜାତୀୟ ରାଜପଥ କାମ ପକାଇ ରଖିବା ଅତ୍ୟନ୍ତ ସମ୍ବେଦନଶୀଳ ବିଷୟ। ଏହାଦ୍ବାରା ସାଧାରଣ ଜନତା ହଇରାଣ ହେଉଛନ୍ତି। ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ।
କୈଳାସ ଚନ୍ଦ୍ର ବରାଳ,
ଶିକ୍ଷାବିତ

ସମ୍ବନ୍ଧିତ ଖବର