ତିନିବର୍ଷ ହେଲା ଅଟକିଛି ଜାତୀୟ ରାଜପଥ ସଂପ୍ରସାରଣ, ଚୌଦ୍ବାରବାସୀଙ୍କ ପେଟକୁ ଲାତ

କଟକ: ବିଜୁ ବାବୁଙ୍କ ସ୍ବପ୍ନର ସହର ଚୌଦ୍ବାର। ହେଲେ ‌ଅଞ୍ଚଳର ଭାତହାଣ୍ଡି ‘ଓଟିଏମ୍‌’ ଲୁଗାକଳ ବନ୍ଦ ହୋଇଯିବା ପରେ ସ୍ଥାନୀୟ ବାସିନ୍ଦାଙ୍କ ଦୁର୍ଦ୍ଦିନ ଆରମ୍ଭ ହୋଇଯାଇଛି। ଗୋଟିକ ପରେ ଗୋଟିଏ କଳକାରଖାନା ବନ୍ଦ ହୋଇଗଲାଣି। ଯେଉଁ ଶ୍ରମିକମାନେ ପେଟ ପୋଷିବା ପାଇଁ ଛୋଟ ବଡ଼ ଦୋକାନ ବା ବ୍ୟବସାୟିକ ପ୍ରତିଷ୍ଠାନ ଖୋଲି ଦୁଇ ପଇସା ରୋଜଗାର ପାଇଁ ଉଦ୍ୟମ ଆରମ୍ଭ କରିଥିଲେ, ଏତେ ବର୍ଷ ପରେ ସେମାନଙ୍କ ଅଣ୍ଟା ଟିକେ ସଳଖ ହେବା ବେଳକୁ ଜାତୀୟ ରାଜପଥ ସଂପ୍ରସାରଣ ନାମରେ ସେମାନଙ୍କ ପେଟକୁ ସରକାର ନାତ ମାରିଲେଣି। ତେବେ ରାଜପଥ ସଂପ୍ରସାରଣ ଯୋଗୁଁ କେବଳ ବ୍ୟବସାୟୀମାନେ ପ୍ରଭାବିତ ହୋଇଛନ୍ତି ତା ନୁହେଁ, ବରଂ ୩ବର୍ଷ ହେଲାଣି କାମ ଅଧପନ୍ତରିଆ ଭାବେ ପଡ଼ି ରହିଥିବାରୁ ୫୫ ନମ୍ବର ଜାତୀୟ ରାଜପଥ ଗାଁ ରାସ୍ତାଠୁ ବି ହୀନ ଭଳି ଦୃଶ୍ୟମାନ ହେଉଛି। ଦିନ ତମାମ ମଙ୍ଗୁଳିଠୁ ଧୂମାବତୀ ପର୍ଯ୍ୟନ୍ତ ଧୂଳିର ଚାଦର ଢାଙ୍କି ହୋଇ ରହୁଥିଲାବେଳେ ରାସ୍ତାସାରା ବଡ଼ବଡ ଗାତ ଯୋଗୁଁ ଦୁର୍ଘଟଣା ଘଟିବା ନିତିଦିନିଆ ଘଟଣା ପାଲଟିଗଲାଣି। ମଙ୍ଗୁଳିଠୁ ଅନୁଗୁଳ ପର୍ଯ୍ୟନ୍ତ ୫୫ ନମ୍ବର ଜାତୀୟ ରାଜପଥକୁ ୬ ଲେନ୍‌ କରାଯିବା ପାଇଁ ଯୋଜନା ହୋଇଥିଲା। ଜାତୀୟ ରାଜପଥ ୪ଲେନ୍‌ ସହ ଦୁଇଟି ସର୍ଭିସ୍‌ ଲେନ୍‌ ନିର୍ମାଣ ପାଇଁ ଅଞ୍ଚଳ ଚିହ୍ନଟ ହୋଇଥିଲା। ଏଥିପାଇଁ ୫ବର୍ଷ ତଳୁ ମାପଚୁପ ହେବା ପରେ ବଜାର ଭାଙ୍ଗିବା ପାଇଁ ୪ବର୍ଷ ତଳେ ନୋଟିସ୍‌ କରାଯାଇଥିଲା। ହେଲେ ଚୌଦ୍ବାର କଟକ ବିଧାୟକଙ୍କ ହସ୍ତକ୍ଷେପ ପରେ ବ୍ୟବସାୟୀମାନଙ୍କୁ କିଛି ଦିନ ସମୟ ଦିଆଯାଇଥିଲା। ୨୦୧୮ ମସିହାରେ ଜାତୀୟ ରାଜପଥ ଦୁଇ କଡ଼ରେ ଥିବା ଦୋକାନଗୁଡ଼ିକୁ ଭାଙ୍ଗିଦିଆଯାଇଥିଲା।

Sambad

ଯାହାଫଳରେ ଅନେକ ବ୍ୟବସାୟୀ କ୍ଷତିରେ ପଡ଼ିବା ସହ କେତେକ ଜୀବିକା ହରାଇଥିଲେ। ତଥାପି ସହରର ଉନ୍ନତି ପାଇଁ ଏହି କାମ ହେଉଥିବାରୁ ସେମାନେ ଚୁପ୍‌ ରହିଥିଲେ। କିନ୍ତୁ କାମ କାମ ମନ୍ଥର ଗତିରେ ହେଉଥିବାରୁ ସହରବାସୀଙ୍କ ମଧ୍ୟରେ ଅନେକ ଥର ଅସନ୍ତୋଷ ଦେଖାଦେଇଛି। ଫଳସ୍ବରୂପ ଚୌଦ୍ବାର ବନ୍ଦ, ଆନ୍ଦୋଳନ ଇତ୍ୟାଦି କରାଯାଇଥିଲା। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ସଂପୃକ୍ତ ଠିକା ସଂସ୍ଥାର ଅଧିକାରୀମାନେ ମାସେ ଦୁଇମାସ ଭିତରେ କାମ କରିଦେବେ ବୋଲି ପ୍ରତିଶ୍ରୁତି ଦେଇ ଚାଲିଛନ୍ତି। କିନ୍ତୁ କାମ କରିବା ପରିବର୍ତ୍ତେ ଜାତୀୟ ରାଜପଥର ଅବସ୍ଥା ବିଗିଡ଼ିବାରେ ଲାଗିଛି। ଏବେ ରାସ୍ତାର ନିୟମିତ ବ୍ୟବଧାନରେ ଖାଲ ସୃଷ୍ଟି ହୋଇଯାଉଥିବାରୁ ଯାତ୍ରୀ ଓ ମାଲ୍‌ ପରିବହନରେ ଅନେକ ସମସ୍ୟା ଦେଖାଦେଉଛି। ସେହିପରି ସର୍ଭିସ୍‌ ରୋଡ୍‌ର ନିର୍ମାଣ ଅଧାରେ ପଡ଼ିଥିବାରୁ ଦୁଇ ଚକିଆ ଗାଡ଼ି ବ୍ୟବହାର କରିବା କଷ୍ଟକର ହୋଇପଡୁଛି। ଖରାପ ରାସ୍ତା ଯୋଗୁଁ ଦୁର୍ଘଟଣା ଘଟିବା ନିୟମିତ ହୋଇପଡ଼ିଥିଲାବେଳେ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି। ହେଲେ କଳିଙ୍ଗ ବଜାର ଇମ୍ଫା ଗେଟ୍‌ ସମ୍ମୁଖ ଓ ମୁଣ୍ଡମାଳ ନିକଟରେ ରାସ୍ତାରେ ନାମକୁମାତ୍ର ପାଣି ଛିଞ୍ଚା ଯାଉଛି। ଦିନକୁ ଦିନ ଦୁର୍ଘଟଣାରେ ମୁଣ୍ଡ ଗଡୁଥିବାବେଳେ ଆଗକୁ ଆନ୍ଦୋଳନ କରିବାକୁ ଚୌଦ୍ବାର ବାସୀ ସଜବାଜ ହେଲେଣି।

ରାସ୍ତା କଡ଼ରେ ଘଣ୍ଟାଏ ବସିଲା ପରେ ଚୁଟି ଧଳା ହୋଇଯାଉଛି
ରାସ୍ତା ସାରା ଖାଲ, ଢିପ। ରାସ୍ତା କଡ଼ରେ ଦୋକାନ କରିଥିବାରୁ ଏଠାରେ ଘଣ୍ଟାଏ ବସିଲା ପରେ ଚୁଟି ଧଳା ପଡ଼ିଯାଉଛି। ଧୂଳି ଯୋଗୁଁ ଥଣ୍ଡା, କାଶ ରୋଗରେ ସମସ୍ତେ ଆକ୍ରାନ୍ତ ହେଉଛନ୍ତି। ବେପାର କରିବାରେ ବହୁତ ଅସୁବିଧା ହେଉଛି। ପାଖାପାଖି ହଜାରେ ବ୍ୟବସାୟୀ ଜାତୀୟ ରାଜପଥ କାମ ଯୋଗୁଁ ପ୍ରଭାବିତ ହୋଇଛନ୍ତି।
ଗିରିଧାରୀ ଦଳାଇ, ବ୍ୟବସାୟୀ

ଯେଉଁ ଠିକାଦାର କାମ ନେଇଛନ୍ତି, ସେ ସଂପୂର୍ଣ୍ଣ ଅଯୋଗ୍ୟ
ରାଜପଥ ସଂପ୍ରସାରଣ ଯୋଗୁଁ ଚୌଦ୍ବାର ବାସିନ୍ଦାଙ୍କ ସମସ୍ୟା କହିଲେ ସରିବନି। ୨୦୧୮ ନଭେମ୍ବରରୁ ରାସ୍ତା ଭାଙ୍ଗିଛି ଯେ, ବର୍ତ୍ତମାନ ଯାଏ କିଛି ହୋଇନି। ଲୋକେ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ବ୍ୟବସାୟୀ ହାତ ବାନ୍ଧି ବସିଛନ୍ତି। ରାସ୍ତାରେ ଧୂଳି, ଧୂଆଁ, ରୋଗ ବ୍ୟାପିବାରେ ଲାଗିଛି। ଯେଉଁ ଠିକାଦାର ଏହି କାମ ନେଇଛନ୍ତି ସେ ସଂପୂର୍ଣ୍ଣ ଅଯୋଗ୍ୟ। ସ୍ଥାନୀୟ ନେତା ଓ ଠିକାଦାରଙ୍କ ମଧ୍ୟରେ ଭିତିରି ସମ୍ପର୍କ ରହୁଥିବା ଭଳି ମନେ ହେଉଛି। ଏଠାରେ ନିୟମିତ ଭାବେ ଦୁର୍ଘଟଣା ହେଉଛି। ପିଲାମାନେ ସ୍କୁଲ୍‌, କଲେଜ ଯିବାରେ ଅସୁବିଧା ହେଉଛି। ବର୍ତ୍ତମାନ ଚୌଦ୍ବାର ଅବସ୍ଥା ସାଂଘାତିକ ଅବସ୍ଥାରେ ଅଛି।
ରାଜକିଶୋର ସାମନ୍ତରାୟ, ସମାଜସେବୀ

ଆଉ ଲୋକଙ୍କ ଜୀବନ ଦେଇ ପାରିବୁନି, ଶୀଘ୍ର କାମ ନସାରିଲେ ଆନ୍ଦୋଳନ ହେବ
ଆମେ ଏସବୁ ସମସ୍ୟା ଉପରେ ଜାତୀୟ ରାଜପଥ ପ୍ରାଧିକରଣର ଏକାଧିକ ଅଧିକାରୀଙ୍କୁ ଅବଗତ କରିଛୁ। ହେଲେ ସବୁ ଜାଣି ବି ସେମାନେ ଅଜଣା ପାଲଟି ଯାଇଛନ୍ତି। କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ସଡ଼କ ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁହେଲାଣି ଓ ୨୦ରୁ ଅଧିକ ଗୁରୁତର ଆହତ ହେଲେଣି। ଆମେ ଜୀବନ ଦେଇ ଚାଲିଛୁ। ଲୋକଙ୍କ ଗାଡ଼ି ଖରାପ ହେବାରେ ଲାଗିଛି। ତଥାପି ଏନ୍‌ଏଚ୍‌ କତ୍ତୃର୍ପକ୍ଷ କେବେ ବି ତାଙ୍କ ତରଫରୁ ଆସୁ ନାହାନ୍ତି। ସେମାନେ ଶୁଣିବାର ନାହିଁ କି କିଛି କରିବାର ନାହିଁ। ସେମାନେ ଭାବୁଛନ୍ତି ଏମାନେ କିଛି ନୁହଁନ୍ତି। ଆଗକୁ ଆଉ ଲୋକଙ୍କ ଜୀବନ ଦେଇପାରିବୁନି। ଶୀଘ୍ର କାମ ନସାରିଲେ ବଡ଼ ଧରଣର ଆନ୍ଦୋଳନ କରାଯିବ।
ପ୍ରମୋଦ କୁମାର ଦାସ,
ସାଧାରଣ ସମ୍ପାଦକ, କଳିଙ୍ଗ ବଜାର ପୂଜା କମିଟି

ବିନା ଚଷମା, ମାସ୍କରେ ରାସ୍ତାକୁ ବାହାରି ହେଉନି
ବିଗତ ୩ବର୍ଷ ହେଲା ଯେଉଁ ଠିକା କମ୍ପାନି କାମ ନେଇଛି, ସେ ରାସ୍ତା ନିର୍ମାଣ କରିବା ବଦଳରେ ପୁରୁଣା ରାସ୍ତାକୁ ବିପର୍ଯ୍ୟସ୍ତ କରି ରଖିଛି। ଏଠାରେ ୭ରୁ ୮ଜଣଙ୍କ ମୃତ୍ୟୁ ହେଲାଣି। ପରିବହନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ମଙ୍ଗୁଳିଠୁ ଧୂମାବତୀ ରାସ୍ତା ବିପର୍ଯ୍ୟସ୍ତ। ସହରରେ ପ୍ରଦୂଷଣ ବଢୁଛି। ରାସ୍ତାକୁ ଚଷମା ଓ ମାସ୍କ ବ୍ୟବହାର ନକରି କେହି ବାହାରି ପାରିବେ ନାହିଁ।
ଅଜୟ କୁମାର ବେହେରା
ପୂର୍ବତନ ଉପ ନଗରପାଳ, ଚୌଦ୍ବାର ପୌରପାଳିକା

ଶୀଘ୍ର ରାସ୍ତା କାମ ଶେଷ କରିବାକୁ ପ୍ରଶାସନକୁ ନିବେଦନ କରୁଛୁ
ଜାତୀୟ ରାଜପଥ ସଂପ୍ରସାରଣ କାମ ବନ୍ଦ ହୋଇ ପଡ଼ିରହିଛି। ଚାରିଆଡ଼େ ଖାଲ, ଧୂଳି ଭର୍ତ୍ତି। ଭଲରେ ଟିକେ ନିଶ୍ବାସ ନେଇ ହେଉନି। ଏଥି ଯୋଗୁଁ ଆମେମାନେ ଏହି ରାସ୍ତା ଦେଇ କଲେଜକୁ ଆସିବା ବିପଦ୍‌ଜନକ ହୋଇ ଯାଉଛି। ଶୀଘ୍ର କାମ ଶେଷ କରିବାକୁ ଆମେ ପ୍ରଶାସନକୁ ନିବେଦନ କରୁଛୁ।
ସୁକନ୍ୟା ପ୍ରଧାନ,
ତୃତୀୟ ବର୍ଷ ଛାତ୍ରୀ, ଚୌଦ୍ବାର ମହାବିଦ୍ୟାଳୟ

ଚୌଦ୍ବାରବାସୀଙ୍କୁ ଏଭଳି ଦୁର୍ଦ୍ଦଶାରୁ ମୁକ୍ତି ଦିଅନ୍ତୁ
୫୫ନମ୍ବର ଜାତୀୟ ରାଜପଥରେ ମଙ୍ଗୁଳିଠୁ ଅନୁଗୁଳ ପର୍ଯ୍ୟନ୍ତ ହେଉଥିବା ରାସ୍ତାକାମ ଚୌଦ୍ବାର ପାଇଁ ବହୁତ ଭଲ। କିନ୍ତୁ ରାସ୍ତା କାମ ଯେଉଁଭଳି ଭାବେ ମନ୍ଥର ଗତିରେ ରାଉଛି, ତାହା ନିନ୍ଦନୀୟ। ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଆମେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛୁ ଯେ, ଆମ ଜାତୀୟ ରାଜପଥକୁ ସେମାନେ ଗୁରୁତ୍ବ ଦିଅନ୍ତୁ। ଚୌଦ୍ବାରବାସୀ ଏଭଳି ଦୁର୍ଦ୍ଦଶା ଯୋଗୁଁ ଯେଉଁ ହନ୍ତସନ୍ତ ହେଉଛନ୍ତି, ସେଥିରୁ ଆମକୁ ମୁକ୍ତି ଦିଅନ୍ତୁ।
ଅର୍ଜୁନ ପଣ୍ଡା,
ସମ୍ପାଦକ, ଓଟିଏମ୍‌ ବଜାର ପୂଜା କମିଟି

ସମ୍ବନ୍ଧିତ ଖବର