ଚାରି ମାସ ଯାଏ ସୁଧୁରିବାର ନାହିଁ କଟକ-ଭୁବନେଶ୍ବର ମଧ୍ୟରେ ଥିବା ଗୋପାଳପୁର-ବାଲିକୁଦା ରାସ୍ତା

କଟକ: ଦେଶର ଅନ୍ୟତମ ବ୍ୟସ୍ତବହୁଳ ଜାତୀୟ ରାଜପଥ ଭାବେ କଟକ-ଭୁବନେଶ୍ବର ମଧ୍ୟରେ ଯାଇଥିବା ରାଜପଥ ପରିଚିତ। ଉକ୍ତ ରାଜପଥ ଦେଇ ପ୍ରତିଦିନ ଲକ୍ଷାଧିକ ଗାଡ଼ି ଯିବା ଆସିବା କରୁଥିବା ବେଳେ ରାଜପଥର ଗୋପାଳପୁରରୁ ବାଲିକୁଦା ରାସ୍ତାର ଅବସ୍ଥା ଏବେ ଅତ୍ୟନ୍ତ ଶୋଚନୀୟ। ଆସନ୍ତା ୪ମାସ ମଧ୍ୟରେ ଏଥିରେ କୌଣସି ପରିବର୍ତ୍ତନ ଆସିବ ନାହିଁ ବୋଲି ଏନ୍‌ଏଚ୍‌ଏଆଇ ପକ୍ଷରୁ କୁହାଯାଇଛି। ସର୍ଭିସ ରୋଡରେ ଜାତୀୟ ରାଜପଥରେ ଯାଉଥିବା ଗାଡିର ଚାପ ସମ୍ଭାଳିବାର କ୍ଷମତା ନଥିବାରୁ ବାରମ୍ବାର ମରାମତି ପରେ ବି ରାସ୍ତା ଖରାପ ହେଉଥିବା ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା ୨୦୨୨ ଫେବ୍ରୁଆରିରେ ଏଠାରେ ନିର୍ମାଣ ଚାଲୁଥିବା ଫ୍ଲାଏ ଓଭର ବ୍ରିଜ କାମ ଶେଷ ହେବା ପର୍ଯ୍ୟନ୍ତ ଏଭଳି ସମସ୍ୟା ‌ଲାଗି ରହିବ ବୋଲି ଏନ୍‌ଏଚ୍‌ଏଆଇର ସହାୟକ ଯନ୍ତ୍ରୀ ଚିତ୍ତରଂଜନ ପଟ୍ଟନାୟକ ମତ ରଖି ସମସ୍ୟାରୁ ହାତ ଝାଡି ଦେଇଛନ୍ତି। କିନ୍ତୁ ସର୍ଭିସ ରୋଡକୁ ବ୍ୟବହାର କରିବା ପୂର୍ବରୁ ଏହାକୁ ବ୍ୟବହାର ଉପଯୋଗୀ କାହିଁକି କରାଗଲା ନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ବାଲିକୁଦା ଛକରେ ଟ୍ରାଫିକ ସମସ୍ୟା ଦୂର କରିବାକୁ କଟକ ସଦରର ଗୋପାଳପୁର ବାଲିକୁଦା ମଝିରେ ଏକ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ଚାଲିଛି। ବର୍ଷକ ତଳେ ଫ୍ଲାଏ ଓଭର ବ୍ରିଜ ନିର୍ମାଣ କାମ ଆରମ୍ଭ ହୋଇଥିଲା। ତେବେ ମନ୍ଥର ଗତିରେ କାମ ଚାଲୁଥିବାରୁ ଏହା ଆଜି ସୁଦ୍ଧା ଶେଷ ହେଲାନାହିଁ।

ଏକ ବର୍ଷ ଧରି ଏଠାରେ ଥିବା ସର୍ଭିସ ରୋଡ ବା ବାଇପାସ୍‌ ରାସ୍ତାରେ ଗାଡି ମଟର ଚଳପ୍ରଚଳ କରୁଛି। ମାତ୍ର ଟିକିଏ ବର୍ଷା ହେଲେ ବାଇପାସ୍ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇ ପଡ଼ୁଛି। ରାସ୍ତା‌ରେ ବଡ ବଡ ଖାଲଖମା ହେବା ସହିତ ପାଣି ଜମି ରହିବାରୁ ଶହ ଶହ ସଂଖ୍ୟା‌ରେ ଗାଡି ମଟର ଏଠି ଘଣ୍ଟା ଘଣ୍ଟା ଧରି ଫସି ରହୁଛି। ଟ୍ରକ-ବସ୍‌ରୁ ଆରମ୍ଭ କରି ଦୁଇ ଚକିଆ ଗାଡିର ଯାତ୍ରୀ ଦୀର୍ଘ ସମୟ ଧରି ଏଠାରେ ଅଟକି ରହୁଛନ୍ତି। ଫ୍ଳାଏ ଓଭର ବ୍ରିଜ୍‌ ନିର୍ମାଣ ପାଇଁ ଜାତୀୟ ରାଜପଥକୁ ବନ୍ଦ କରାଯାଇ ସର୍ଭିସ ରୋଡକୁ ବ୍ୟବହାର କରାଗଲା। ମାତ୍ର ରାଜପଥକୁ ବନ୍ଦ କରିବା ପୂର୍ବରୁ ୫ଶହ ମିଟରର ସର୍ଭିସ ରୋଡକୁ ସେହିଭଳି ଉପଯୋଗୀ କରାଗଲା ନାହିଁ। ଏଥିରେ ରାଜପଥରେ ଯାଉଥିବା ଗାଡିର ଭାର ସମ୍ଭାଳିବାର କ୍ଷମତା ଅଛି କି ନାହିଁ ତାହା ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ଚିନ୍ତା କଲେ ନାହିଁ। ସର୍ଭିସ ରୋଡ ଉପରେ କେବଳ ନାଲି ମୋରମ୍‌ ପକେଇ ଏହାକୁ ବ୍ୟବହାର କରାଗଲା। ଫଳରେ ଟିକିଏ ବର୍ଷାରେ ରାସ୍ତା ଦବିବା ସହିତ ବଡ ବଡ ଖାଲ ସୃଷ୍ଟି ହେଉଛି। ସେପଟେ ସର୍ଭିସ ରୋଡ ପାର୍ଶ୍ବରେ ଥିବା ‌ଡ୍ରେନଟି ମାଟିରେ ପୋତି ହୋଇଯାଇଥିବାରୁ ରାସ୍ତାରୁ ବର୍ଷା ପାଣି ନିଷ୍କାସନ ନହୋଇ ଜମି ରହୁଛି। ପାଣି ଜମି ରହିବାରୁ ରାସ୍ତାରେ ଖାଲ ବିଷୟରେ ଗାଡି ଚାଳିକ ସୂଚନା ପାଉ ନଥିବାରୁ ‌ପ୍ରତିଦିନ ଏକାଧିକ ଦୁର୍ଘଟଣା ଘଟୁଛି।

ସମ୍ବନ୍ଧିତ ଖବର