ଚୌଦ୍ବାରର ଦୁଃଖ ୫୫ନଂ ଜାତୀୟ ରାଜପଥ, କେତେ ଲୋକ ମଲେ ସରକାର ଚେତିବେ?

ଚୌଦ୍ବାର: ଚୌଦ୍ବାର ଶିଳ୍ପାଞ୍ଚଳରେ ବିଭିନ୍ନ କଳକାରଖାନା ବନ୍ଦ ହୋଇଯିବା ପରେ ଶ୍ରମିକମାନେ ନାହିଁ ନଥିବା ଦୁର୍ଦ୍ଦଶାରେ ଗତି କରୁଛନ୍ତି। ଅପରପକ୍ଷରେ ଏଠାକାର ବାସିନ୍ଦାଙ୍କ ପାଇଁ ୫୫ ନମ୍ବର ଜାତୀୟ ରାଜପଥ ଏବେ ଚିନ୍ତାର କାରଣ ହୋଇଛି। ଏହି ରାଜପଥ ମରଣଯନ୍ତା ପାଲଟିଛି। ବ୍ୟବସାୟୀଙ୍କ ରୋଜଗାରର ବାଟ ବନ୍ଦ କରି ଦେଇଛି।

ସମୂହ ସ୍ବାର୍ଥ ପାଇଁ ରାଜରାସ୍ତାକୁ ଓହ୍ଲାଇବୁ
ଏନ୍ଏଚ୍ଆଇ କର୍ତ୍ତୃପକ୍ଷ ଦୀର୍ଘ ୩ ବର୍ଷ ହେବ ଚୌଦ୍ବାରବାସୀଙ୍କୁ ଯେଭଳି ଭାବେ ପ୍ରତାରଣା କରୁଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କର୍ତ୍ତୃପକ୍ଷ ଓ ଠିକାଦାର ଯେଉଁଭଳି ଭାବେ ଧନଜୀବନ ସହ ଖେଳ ଖେଳିବା ଓ ୧୦ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ମୃତ୍ୟୁ ଏବଂ ୨୦ ରୁ ଊର୍ଦ୍ଧ୍ବ ବ୍ୟକ୍ତି ଗୁରୁତର ଆହତ ହେବାର କାରଣ ସାଜିଛନ୍ତି, ତାହାକୁ ଚୌଦ୍ବାରବାସୀ ଭୁଲି ପାରୁନାହନ୍ତି । ଗୋଟିଏ ପକ୍ଷରେ ଜୀବନଜୀବିକା ଓ ବ୍ୟବସାୟୀମାନଙ୍କର ପେଟକୁ ଲାତ ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ସ୍ଥିତି ସୃଷ୍ଟି କରିଛି। ଏ ଅଂଚଳବାସୀ ତାର ଉଚିତ୍ ଜବାବ୍ ଦେବେ। ଆବଶ୍ୟକ ପଡ଼ିଲେ ସମୂହ ସ୍ବାର୍ଥ ଦୃଷ୍ଟିରୁ ଦୃଢ ପଦକ୍ଷେପ ଗ୍ରହଣ କରିବୁ ଓ ରାଜରାସ୍ତାକୁ ଓହ୍ଲାଇବୁ।
ବିଷ୍ଣୁଚରଣ ପରିଡ଼ା, ନଗର ସଭାପତି, ବିଜେଡି

 

ଆକ୍ସିଡେଣ୍ଟ୍ ଜୋନ୍‌ ପାଲଟିଛି ‌ରାଜପଥ
ବିପଦସଙ୍କୁଳ ଅବସ୍ଥାରେ ଚୌଦ୍ବାରବାସୀଙ୍କ ଜୀବନଯାତ୍ରା ଦୈନିକ ନିର୍ବାହ ହେଉଛି । ଭିନ୍ନ ଭିନ୍ନ ସମୟରେ ରାସ୍ତା ଜାଣି ହେଉନି। କେଉଁଠି ଖାଲ ତ କେଉଁଠି ଢିପ । ଗେଟି ମାଡ଼ରେ ବହୁ ଆରୋହୀ ଦୈନନ୍ଦିନ ଦୁର୍ଘଟଣାଗ୍ରସ୍ତ ହେଉଥିବା ବେଳେ ଆକ୍ସିଡେଣ୍ଟ ଜୋନ୍ ପାଲଟିଛି ଚୌଦ୍ବାରର ୫୫ନଂ. ଜାତୀୟ ରାଜପଥ। ସରକାର ଓ ରାଜନେତା ଏଥିପ୍ରତି ଦୃଷ୍ଟି ନ ଦେଇ ଦାୟିତ୍ବହୀନତାର ପରିଚୟ ଦେଉଛନ୍ତି। କେତେ ଲୋକ ମଲେ ସରକାର ଚେତିବେ, ଏ ରାସ୍ତା କାମ ହେବ, ତାହା ସମୟ କହିବ।
ଅଶ୍ବିନୀ ଜେନା, ଯୁବସ୍ବେଚ୍ଛାସେବୀ,
ଓଟିଏମ୍ କଲୋନି

ସ୍ବାମୀ ଓ ପୁଅକୁ ସଂଧ୍ୟା ହେଲେ ବଜାରକୁ ଛାଡୁନି
ଚୌଦ୍ବାର ସହର ଦେଇ ଯାଇଥିବା ମୁଖ୍ୟରାସ୍ତା ଭଙ୍ଗାଯିବା ପରେ ଏହାର ଚିତ୍ର ବଦଳି ଯାଇଛି । ଏପରିକି ଏହି ରାଜପଥରେ ଥିବା ଉଭୟପାର୍ଶ୍ବରେ ଥିବା ବ୍ୟବସାୟ ପ୍ରତିଷ୍ଠାନ ଭଙ୍ଗାଯିବା ପରେ ଦୈନିକ ଦୁର୍ଘଟଣା ଘଟୁଛି। ସେଥିପାଇଁ ସଂଧ୍ୟା ହେଲେ ମୋ ସ୍ବାମୀ ଓ ପୁଅକୁ କୌଣସି କାମ ପଡ଼ିଲେ ରାଜପଥ ଦେଇ ମୁଁ ଯିବାକୁ ବାରଣ କରିଛି। ଜୀବନପ୍ରତି ବିପଦ ଓ ଦୁର୍ଘଟଣାପ୍ରବଣ ଅଂଚଳ ଭାବେ ଓଟିଏମ୍ ଛକରୁ କପାଳେଶ୍ବର ଅଂଚଳ ଏବେ ପରିଗଣିତ ହେଉଛି।
ମୋତି ମହାରଣା, ଗୃହିଣୀ, କପାଳେଶ୍ବର

ଫୁଲବ୍ୟବସାୟ ବୁଡ଼ିଲା, ଏବେ ପାନ ଦୋକାନ କରିଛି
ବର୍ଷ ବର୍ଷ ଧରି ଫୁଲ ବ୍ୟବସାୟ କରି ନିଜ ପରିବାରର ପ୍ରତିପୋଷଣ କରୁଥିଲି। ରାଜପଥର ଏଭଳି ସ୍ଥିତିରେ ବ୍ୟବସାୟ ବୁଡ଼ିଲା। ଏବେ ମୁଁ ନିରାଶ ହୋଇ ରାସ୍ତାକଡ଼ରେ ଉଠା ପାନ ଦୋକାନଟିଏ କରି ଜୀବିକା ନିର୍ବାହ କରୁଛି। ୨୦୧୭ ମସିହାରୁ ଏହି ଜାତୀୟ ରାଜପଥ ସଂପ୍ରସାରଣ ପରେ ମୋର ଫୁଲ ବ୍ୟବସାୟ ବନ୍ଦ ହୋଇଗଲା। କିଛିଦିନ ହେବ ଥାନା କଡ଼ରେ ପାନଦୋକାନ କରିବା ପରେ ମୋତେ ଥଣ୍ତା, କାଶ ସବୁବେଳେ ହେବା ସହ ବିଭିନ୍ନ ସମୟରେ ଜ୍ବର ବି ହେଉଛି। ମୋର ପରିବାର ଚଳାଇବା ଏବେ କଷ୍ଟକର ହୋଇ ପଡିଛି।
ପବିତ୍ର କୁମାର ସିଂହ, ବ୍ୟବସାୟୀ

ସମ୍ବନ୍ଧିତ ଖବର